Unknown

 

 

 

 

 

 

 

 

 

 

ରାଧାପ୍ରେମ ଲୀଳା

ବିଶ୍ୱମ୍ଭର ରାଜେନ୍ଦ୍ର ଦେବ

 

(ବନ୍ଦନା)

ହରିଣ ନୟନା ପ୍ରତି ।୧।

 

ଜୟ ଶ୍ରୀ ଶାରଦା ସଜକଞ୍ଜଲୋଚନା

ବିଧୁବଦନା କୁନ୍ଦରଦନା ଗୋ ।ପଦ।

 

ଦିବ୍ୟ ଗାନକୁଶଳା            କୁନ୍ଦ-ଇନ୍ଦୁ-ଧବଲା

ଦୀନଜନବତ୍ସଲା ଅମରୀ ଶିରମାଳା ଯେ ।

ମଣିହାରମଣ୍ଡିତ            କୁଚକୁମ୍ଭମଣ୍ଡଳା

ଦିନଭାଞ୍ଜନରେଖା ମଞ୍ଜୁ ନେତ୍ର ଯୁଗଳା ।

 

ମାଣିକ୍ୟ ବୀଣା ଗୁଣା-            ଅଙ୍ଗୁଳି ଚାଳନ କଲା

କଉତୁକିନୀ ହରମନମୋହିନୀବାଲା ।୧।

ତବ କରୁଣା ଲେଶ            ସମ୍ପାଦି ଆଦି ଶେଷ

ରଚି ମହତ ଭାଷ୍ୟ ଭବେ ରଖିଲେ ଯଶ ।୨।

 

ଧନ୍ୟ ସେ ବୃହସ୍ପତି            ବିରଚି ନାନା ସ୍ତୁତି

ଅରଜି ଗୁରୁ ଖ୍ୟାତି ସରଜିଲେ କୀରତି ।୩।

 

ବସି ଯେ ପଦ ତଳେ            କିଶୋରଚନ୍ଦ୍ର ବୋଲେ

ସଦୟନେତ୍ରାଞ୍ଚଳେ ଅନାଇଁ ଦିଅ ବେଳେ ।୪।

 

ଗଞ୍ଜ ହେ ମୋର ଘୋର କଦନ ପ୍ରତି ।୨

 

ଗଞ୍ଜ ହେ ଦିଅ କୃପା ବରଷି କଞ୍ଜନୟନ ହେ କୁଞ୍ଜବିଳାସୀ ।ପଦ।

 

ବ୍ରଜ କାମିନୀଙ୍କ            କେଳି କଳା ରଙ୍କ

ରାଧାଧର ମଧୁରସ ପିପାସୀ ।

ଯମୁନା ନିକଟ            ବନ ତଟ ବିଟ

ଆହେ ମହୀତଳ ଶ୍ୟାମଳ ଶଶୀ ।

ମୋହନ ବଂଶୀ            ସ୍ୱରେ ଉଲ୍ଲାସି

ମୋହିଲେ କୁଳଜା ରମଣୀରାଶି ।୧।

 

ଅତି ପାପଶୀଳ            ଦ୍ୱିଜ ଅଜାମିଳ

ତୁମ୍ଭ ନାମ ଥରେ ଦେବାରୁ ଭାଷି ।

ଯମ କିଙ୍କରଙ୍କୁ            ଘଉଡ଼ାଇ ତାକୁ

କରାଇଲ ବିଭୁ ସ୍ୱପୁରବାସୀ ।

ଅସୁର ନାଶି            ସୁରଙ୍କୁ ତୋଷି

ଭବେ ଉଡ଼ାଇଲେ କୀରତିହସୀ ।୨।

 

ଗୋବର୍ଧନ ଗିରି            ଆତ ପତ୍ର ପରି

ଶ୍ରୀହସ୍ତେ ବହିଲେ ନୋହି ଆୟାସୀ ।

ମଦ ତେଜି ନର            ଭଜି ପୁରନ୍ଦର

ବନ୍ଦିଲା ଚରଣେ ଶରଣ ପଶି ।

ଦିବସ ନିଶି            ସେ ଗୁଣ ଘୋଷ

ଜନେ କାଟୁଛନ୍ତି ଏ ଭବପାଣି ।୩।

 

କୂଳିନେ ପାଲଟି            ଥିବା ପାଟ ଶାଢ଼ୀ

ହରିନେଲ କାହୁଁ ଗୁପତେ ଆସି ।

ଜଳେ ବୁଡ଼ିଥିଲେ            ଲାଜେ ସଡ଼ି ଗଲେ

ସେ କାଳେ ସକଳ ଗୋପସୁକେଶୀ ।

ନୀପପଲାଶି             ଉପରେ ବସି

କେତେ ହଟ କଲ ହେ ବଳିଧ୍ୱଂସୀ ।୪।

 

ଦେବୀ ରାଧାଙ୍କର            ପ୍ରେମଲୀଳା ସାର

ଗୀତେ ବର୍ଣ୍ଣିବାକୁ ହୋଇ ଲାଳସୀ ।

ରାଜେନ୍ଦ୍ର ତନୁଜ            ଶ୍ରୀ କିଶୋରଚନ୍ଦ୍ର

ବନ୍ଦୁଛି ଅମନ୍ଦ ଶୁଭ ମନାସୀ ।

 

ରମାବିଳାସୀ            ସ୍ୱଜନେ ହସି

ଦେବେ ଯେବେ ଯିବ ନିନ୍ଦାରେ ଭାସି ।୫।

 

(ଗାୟକ । )

ମୁନିବରବାଣୀ ।୩।

 

ଶୁଣ ହେ କୋବିଦବ୍ରାତ            ଏଥୁଅନ୍ତେ ପରୀକ୍ଷିତ

ରାଜା ପଡ଼ି ଶୁକ ପଦେ ଭାଷିଲେ ମୋଦେ ଯେ ।୧।

ହେ ମୁନି ମୁକୁଟ ହାର            ଦୟା ହେବାରୁ ତୁମ୍ଭର

ଶୁଣିଲି ଶ୍ରୀ ଭାଗବତ ଗଲା ଦୁରିତ ଯେ ।୨।

 

କଥା ଗୋଟିଏ ଆଉରି            ପୁଛିବି ଅଛି ବିଚାରି

କହିବା ହେବେ ଗୋସାଇଁ ମତେ ବଢ଼ାଇ ଯେ ।୩।

ବୋଲନ୍ତି କି ଜନେ ଭୁଲି            ରାଧା ବିନ୍ଧ୍ୟସୁତା ବୋଲି

ସେ ତ ବୃଷଭାନୁ ଜେମା ଲାବଣ୍ୟ ସୀମା ଯେ ।୪।

 

ଏକ ଦେହେ ଜନ୍ମ ବେନି            ଅଛି ବିଚିତ୍ର ହେ ମୁନି

ତୁଟାଅ ମୋର ସଂଶୟ କହ ନିଶ୍ଚୟ  ହେ ।୫।

ରାଧା ବ୍ରଜେ ଗୋପୀମେଳେ            ବିହରି ଶ୍ୟାମଙ୍କ ତୁଲେ

କିପରି ଲୀଳା ରଚିଲେ କହ ତା ଭଲେ ଲୋ ।୬।

 

ଏ ଗୀରେ ଋଷି ରୁଷିଲେ            ଶ୍ରୀ କିଶୋରଚନ୍ଦ୍ର ବୋଲେ

କିଶୋର ଶ୍ରୀକୃଷ୍ଣ ପଦ ମୋର ସମ୍ପଦ ଯେ ।୭।

 

ରାଗ-ସିନ୍ଧୁଡ଼ା ।୪।

 

ଶୁଣ କୁରୁବଂଶ-ନୃପ-ଅବତଂଶ ବଳାଇ ମନେ ଶରଧା ।

ଜନ୍ମାଦି ଯୌବନ ଲୀଳା ସଂବିଧାନ ଯେତେ ରଙ୍ଗେ କଲେ ରାଧା ଯେ ।

ସେହି କୌତୁକ ରସ ।

ଏବେ କହୁଛି କରି ବିଶେଷ ।୧।

 

ନିଜର ତନୟା ଶିବ-ପ୍ରିୟ-ଜାୟା ହେବା ହେତୁ ହିମବତୀ

ମେନାଙ୍କ ଉନ୍ନତି ନୋହିଲା କଥିତ ଭାଗ୍ୟବାନ ପଦେ ସ୍ଥିତ ।

ହୋଇ ଦୁହେଁ ହରଷେ ।

ବିହରିଲେ ପ୍ରଫୁଲ୍ଲ ମାନସେ ।୨।

 

ବିନ୍ଧ୍ୟ ମହାଗିରି ତା ପ୍ରିୟା ମଞ୍ଜରୀ ସହି ନ ପାରି ସେ ଶିରୀ ।

ସୁଲବଣ୍ୟସ୍ଥଳୀ ବାଳିକାଯୁଗଳ ଲଭିବାକୁ ଚିତ୍ତେ ସ୍ମରି ଯେ ।

କୃଶ ଦିଶିଲେ ଅତି ।

ନିଜେ କଳିବାରୁ ଚିନ୍ତାରତି ।୩।

 

ଏକ ଦିନେ କାନ୍ତ ଛାମୁରେ ଏମନ୍ତ ଦେବୀ ମଞ୍ଜରୀ ଭାଷିଲେ।

ବିଶ୍ୱମ୍ୱର ରାଜଇନ୍ଦ୍ରଙ୍କ ତନୁଜ ଶ୍ରୀ କିଶୋରଚନ୍ଦ୍ର ବୋଲେ ।

କୃଷ୍ଣ କଞ୍ଜ ପୟର ।

ସେବ ଧନେ ହୋଇ ତତପର ।୪।

 

ଅତି ତୋଷେ ଧୀବର ପ୍ରତି ।୫।

 

ଆହେ ପରାଣପତି ।ପଦ।

 

ମେନା ଦେବୀ ଭାଗ୍ୟବଳେ            ମିନାଙ୍ଗପରଙ୍କୁ ଜାମ ତା କଲେ

ତାଙ୍କ ସମ କେ ମହୀମଣ୍ଡଳେ ।୧।

ନ ଥିବା ଘେନି କୁମାରୀ            ହେଲି ମୁଁ ଅଭାଗିନୀ ନାରୀ ପରି

ନାଥ ଦିନ ନେଲି ଝୁରି ଝୁରି ।୨।

 

ବାଳା ରତନ ଯୁଗଳ            ନ ମିଳିବ ଯେବେ ଭକ୍ଷି ଗରଳ

ବରଜିବି ଜୀବନ କେବଳ ।୩।

ବିନ୍ଧ୍ୟ ଭାଷିଲେ ଏ ଗୀରେ            ଶ୍ରୀ କିଶୋରଚନ୍ଦ୍ର ଅତି ଆଦରେ

କୁଞ୍ଜବିଳାସିଙ୍କି ଧ୍ୟାନ କରେ ।୪।

 

ପାବନି ରେ ପ୍ରତି ।୬।

 

ନବୀନାରେ । ମୋ ସୁଖ ସଉଭାଗ୍ୟ ସଦନାରେ ।ପଦ।

ତୋଠାରୁ ବଳି ସତେ            ସାରି ଦେଲାଣି ମତେ

ଏ ଚିନ୍ତା ଅନାରତେ ।୧।

ରେ କଳାକାରମୁହିଁ            ସବୁ କରଇ ବିହି

ଦୁଃଖିନୀ ନୁହ ତୁହି ।୨।

 

ମହା ତପ ଆଚରି            ଅରଜିବା କୁମାରୀ

ଦୟା କରିବେ ହରି ।୩।

ବ୍ରଜ ପରମ ମହେନ୍ଦ୍ର-            ନନ୍ଦନ ଧ୍ୟାନେ ସାନ୍ଦ୍ର

ହେଲେ କିଶୋରଚନ୍ଦ୍ର ।୪।

 

ମୋରେ ନ ବଳାଅ ତୁ ମନ ପ୍ରତି ।୭।

 

ନୃପ ହେ ଘେନ ଏ ଚରିତ,

ଇତର କଥାରେ ଥରେ ନ ବଳାଅ ଚିତ୍ତ ।ପଦ।

 

ନିଜ ରମଣୀକି ବିନ୍ଧ୍ୟ ଏ ବିଧିରେ ବୋଧି ।

ତାଙ୍କ ସହ ତପ କଲେ ନିମଜ୍ଜାଇ ବୁଦ୍ଧି ।୧।

ଏହି ପ୍ରକାରେ କେତେକ ସମ୍ୱତ୍ସର ଗଲା ।

ଦୟାଳୁ ବିଧିଙ୍କ ହୃଦ ଦ୍ରବମୟୁ ହେଲା ।୨।

 

ମରାଳ ଉପରେ ବସି ମରାଳୟ ଆସି ।

ବିରାଜିଲେ ବିଭୁ ଦମ୍ପତିଙ୍କ ଆଗେ ହସି ।୩।

ଭାଷିଲେ ମୃଦୁଳକ୍ଷରମୟୀ ମଞ୍ଜୁବାଣୀ ।

ଶ୍ରୀ କିଶୋରଚନ୍ଦ୍ର ଭଣେ ତାଙ୍କ ପାଦ ଗୁଣି ।୪।

 

ବକ ରାମ ଶୋକ ଚାହିଁ ପ୍ରତି ।୮।

 

ହେ ଦମ୍ପତି ଘେନ ଘେନ ।

ଫେରାଅ ଏଥର ତପରୁ ମନ ହେ ।

 

ତୁମ୍ଭ ବାଞ୍ଛିତ, ଦେବାକୁ କି ଅନୁମାନ ।୧।

ଜଗତ ମୋହିବା ବଳି

ଜନମ କରିବ ବାଳାଯୁଗଳି ହେ ।

ଅଳପ କାଳେ, ଯେଉଁପରି ଥିଲ ଭାଳି ।୨।

 

ହରିବିଜୟୀ ତରୁଣ

ଅବଶ୍ୟ କରିବେ ପାଣିଗ୍ରହଣ ହେ ।

ସେ ବେନିଙ୍କର, ଯେ ତିନିପୁର ଶରଣ ।୩।

ଏତେ କହି ବିଧି ଗଲେ

ତପ ତେଜି ନିଜ ପୁରେ ରହିଲେ ହେ ।

ସୁଖେ ଦମ୍ପତି, ଶ୍ରୀ କିଶୋରଚନ୍ଦ୍ର ବୋଲେ ।୪।

 

ରାଗ-ଚକ୍ରକେଳି ।୯।

 

ଶୁଣ କରୁକୁଳବଳଭେଦନ ।

ଏହିପରି ଗଲା କେତେକ ଦିନ ।୧।

ଦିନେ ବସିଥିଲେ ସାବତ୍ରୀବର ।

ମନେ ଖଳିଗଲା ବିନ୍ଧ୍ୟାନ୍ଦ୍ରିଙ୍କ ଚର ।୨।

 

କାଳାତୀତ ହୋଇବାରୁ ବିରଞ୍ଚି ।

ଯୋଗମାୟାକୁ ସ୍ତୁତି କଲେ ପାଞ୍ଚି ।୩।

ଭକ୍ତିଭାବରେ ତୋଷ ବହି ଚିତ୍ତେ ।

ଦେବୀ ଉଭା ହୋଇ ତାଙ୍କ ପୁରତେ ।୪।

 

ଏ ଭାରତୀ ସବିନୟେ ଭାଷିଲେ ।

ଯୁବରାଜ କିଶୋରଚନ୍ଦ୍ର ବୋଲେ ।୫।

 

ଭାଷ ଭାଷ ଗୋଦାବରୀ ପ୍ରତି ।୧୦।

 

ହେ ସୁବୁଦ୍ଧି ବିଧି ଚିତ୍ତେ କାହିଁକି ସ୍ମରିଲ ମୋତେ କହ କହ ।୧।

ହଂସସଂଚରଣଶୀଳ ଅଛି କି ତବ କୁଶଳ କହ କହ ।୨।

କି କଥା ହୃଦୟେ ଅଛି ଅଛି ଜଣା ଯାଉ ନାହିଁ କିଛି କହ କହ ।୩।

ଅସାଧ୍ୟ ବିଷୟ ଥିଲେ ସାଧି ଦେବି ଅବହେଳେ କହ କହ ।୪।

ଏ ଗୀରେ ଧାତା ଭାଷିଲେ ଶ୍ରୀ କିଶୋରଚନ୍ଦ୍ର ବୋଲେ କହ କହ ।୫।

 

ଦେବ ହେ ହେଲ ପ୍ରସନ୍ନ ଯେବେ ପ୍ରତି ।୧୧।

 

ଦେବି ଗୋ ଘେନ ମୋର ବାଣୀ

ଜିତମତ୍ତପରଭୃତଭାଷିଣୀ ।ପଦ।

ବୃଷଭାନୁ ଚନ୍ଦ୍ରଭାନୁ ନାମକ ।

ବ୍ରଜେ ଛନ୍ତି ବେନି ନରନାୟକ ।୧।

 

ସେ ନୃପଦ୍ୱୟଙ୍କ ବେନି ବନିତା ।

ଗର୍ଭେ ଧରିଛନ୍ତି ବେନି ଦୁହିତା ।୨।

ଏହିକ୍ଷଣି ତୁମ୍ଭେ ମର୍ତ୍ତକୁ ଯିବ ।

ଗର୍ଭରୁ ବାଳିକାଯୁଗଳ ନେବ ।୩।

 

ରଖି ବିନ୍ଧ୍ୟାଦ୍ରରମଣୀ ଉଦରେ ।

କେହି ନ ଜାଣିବେ ଫେରିବେ ଖରେ ।୪।

ଏ ଗୀରେ ଦେବୀ ସେହିପରି କଲେ ।

ରାଜଇନ୍ଦ୍ରଦେବତନୁଜ ବୋଲେ ।୫।

 

ଚାରୁଚନ୍ଦ୍ର କ୍ରୀଡ଼ା କରେ ପ୍ରତି ।୧୨।

 

ଏଥୁଅନନ୍ତରେ ନରେଶ            ଘେନ ମନୋହର ରସ

ଗର୍ଭବଶୁଁ ଦର୍ରହାସୀକି ଭଜିଲା ଅଶେଷ ଅଳସ ।୧।

ବାଳା ବରଜି ପଲଙ୍କ            ତିନି ତିନି ହୋଇ ରଙ୍କ

ଖାଲି କ୍ଷିତି ତଳେ ସଦା ପହୁଡ଼ିଲା ଲଭିବାକୁ ସୁଖ ।୨।

 

ଚାହା ତୁଟିଲା ଆହାରୁ            ସରୁ କଟି ହେଲା ଗରୁ

ଚାରୁ ସୁବିଚନ ଗୁରୁଜନ ମାନ୍ୟ ନ କଲା ଦୂରରୁ ।୩।

ପ୍ରସବିବା କାଳ ଜାଣି            ଉପଚାର ସଖୀଶ୍ରେଣୀ

କଲେ ଶ୍ରୀ କିଶୋରଚନ୍ଦ୍ର ବୋଲେ କୃଷ୍ଣ ପଦଦ୍ୱନ୍ଦ ଗୁଣି ।୪।

 

ବୋଲେ ଲକ୍ଷ୍ମଣ ଶୁଣ ଚାପଧାରୀ ପ୍ରତି ।୧୩।

 

ଶୁଣ ନୃପ ତାଙ୍କ ଉଦରୁ ବେନି            ବାଳିକା ଜନ୍ମି ମଣ୍ଡିଲେ ଅବନୀ

କାନ୍ଦିବାର ମାଧୁର ।

ନ ଥିବ କୋକିଳାଗୀରେ ସେପରି ।୧।

 

ଶୁଣି ବିନ୍ଧ୍ୟ ମହାଆନନ୍ଦ ହୋଇ            ବିଞ୍ଛାଇଲେ ବାସ ରତନ ନେଇ

ରାଜବିଧିରୁ ବଳି ।

ସବୁ ସମ୍ଭରଯାକ କଲେ ଅଳୀ ।୨।

 

ଶଙ୍ଖ ହୁଳହୁଳି ମଙ୍ଗଳ ଗୀତ            ଦାସୀ ଗାନେ ପୁର ହେଲା ପତିତ

ଶେଷ ଉତ୍ସବ କରି ।

ଶୁଆଇ ଦେଲେ ସେ ବେନି କୁମାରୀ ।୩।

 

ଏକାଳେ ନାରଦ ମଥୁରାପୁରେ            ଗାଇ ମିଳିଲେ ଏ ଭଜନ ଧୀରେ

କିଶୋରଚନ୍ଦ୍ର ଭାଷେ ।

ସେ ମୁନି ପୟର ସ୍ମରି ମାନସେ ।୪।

 

ପାଦପଦ୍ମ ମୋହୁଛି ମନ ପ୍ରତି ।୧୪।

 

ଆହେ ମୋହନ, ଭୁବନ-ସନ୍ତାପ-ଦହନ ।ପଦ।

ସୁନ୍ଦର କୁନ୍ଦହସନ            କ୍ୱଣିତମଣିରସନ

ଅସୁର ତରୁ ସ୍ୱସନ ପୁଟପୁରୁଟ ବସନ ।୧।

ଶରଦ ଚନ୍ଦ୍ର ବଦନ            ଲଳନା ହୃଦ ମଦନ

ସକଳ ସୁଖ ସଦନ ଲଳିତ ମୋତି ବଦନ ।୨।

 

ବ୍ରଜେନ୍ଦ୍ରପ୍ରିୟନନ୍ଦନ            ନିଖିଳଦେବବନ୍ଦନ

କାମନା ହରିଚନ୍ଦନ ଜଳଦଚ୍ଛବିନିନ୍ଦନ ।୩।

ମିଳନ୍ତେ କଂସ ରାଜନ            ଭାଷିଲେ କରି ଅର୍ଚ୍ଚନ

କିଶୋରଚନ୍ଦ୍ର ଭଜନ ଧ୍ୟାନରେ ହେଲେ ମଜ୍ଜନ ।୪।

 

ଉଠିଲେ ହୋଇ ପ୍ରମୋଦ ପ୍ରତି ।୧୫।

 

ହେ ମୁନି ମୁକୁଟହାର            ସତେ କି ଭାଗ୍ୟରୁ ମୋର

ମଣ୍ଡିଦେଲ ହସି ହସି ମଧୁ ନଗର, ବିଧିସୁତ ।୧।

ଏ ଚରଣରେଣୁରାଜି            ମୋ ସଦନରେ ବିରାଜି

ନ ଦେଲା କି ସୁଖ ଲେଖ ସମ୍ପଦ ଆଜି, ବିଧିସୁତ ।୨।

 

କୃତାର୍ଥ ହୋଇଲୁଁ ଯେତେ            ଏ ପରିବାର ସହିତେ

ଭସାଇ ଦେଲ ପ୍ରମୋଦନାଦରେ ମୋତେ, ବିଧିସୁତ ।୩।

ଆଗମ ହେତୁ ସମ୍ପ୍ରତି            ଶୁଣିବାକୁ ଲୋଡ଼େ ଶୃତି

ସେ ବିଷୟ କହ କହ ଲଭିବି ତୃପ୍ତି, ବିଧିସୁତ ।୪।

ଏ ଗୀରେ ରୁଷି ଭାଷିଲେ            ଶ୍ରୀ କିଶୋରଚନ୍ଦ୍ର ବୋଲେ

ନୃଶଂସ କଂସର ଶିରୀ ସରିଲା ଭଲେ ।୫।

 

ସଂଗ୍ରାମ ଅତି ପ୍ରତି ।୧୬।

 

ହେ ଭୋଜବୀର ଆଜି ସରିଲା ଶିରି ତୋର ।ପଦ।

ବଳାଇଲୁ ନିତି            ମଦମତ୍ତେ ମତି

ନ ଜାଣିଲୁ ସାରାସାର ।୧।

 

ଏ ବିଷୟଯାକ            କର ଜାଗରୁକ

ନୋହେ ଏ ଭଲ ବେଭାର ।୨।

ଅଷ୍ଟ ଶକ୍ତି ତୁଲେ            ଜନମ ଲଭିଲେ

ଯେ ଅଟନ୍ତି ତୋର ପର ।୩।

 

କହ ଦେଲି ସ୍ୱଚ୍ଛେ            କେବଳ ତୁ ପଛେ

ହେବୁ ନିଶ୍ଚେ ହରବର ।୪।

ଏତେ କହି ଗଲେ            ସେ ପଦେ ବନ୍ଦିଲେ

ଶ୍ରୀ କିଶୋରକଳାକର ।୫।

 

ରାମ ଯୁବତୀ ପ୍ରତି ।୧୭।

 

ହେ ନରପ୍ରତି ଶୁଣ ଏ ଚରିତରତି ।ପଦ।

ଘେନି ମୁନିମଣି କଥା            ଲଭିବାରେ ମହାବ୍ୟଥା

କଂସର ସରିଲା ଧୃତି ।୧।

 

ମନ ନି ମିଶେ କାହିଁରେ            ଦିଶିଲା ଚାରି ଦିଗରେ

କେବଳ କାଳ ମୁରତି ।୨।

ନ କଲା ନିଦ୍ରା ଆହାର            କଲା ଏ ଭାବନା ସାର

ବାଳକ ମାରଣ ରୀତି ହେ ।୩।

 

ପ୍ରମୋଦମୟ ମାନସେ            ପୁତନାକୁ ଡାକି ପାଶେ

ଭାଷିଲା ଏହି ଭାରତୀ ।୪।

ବନ୍ଦିଲେ କିଶୋରଚନ୍ଦ୍ର            ବ୍ରଜଯୁବରାଜ ଇନ୍ଦ୍ର

ନିଜ ମନେ ରଖି ନିତି ।୫।

*************

 

ତୁ ସାନ ବାନର ପ୍ରତି ।୧୮।

 

ଆଗୋ ମୋ ସେବକ-ବକ-ଅଙ୍ଗ-ରଙ୍କ-ମନା

କପଟକୁଶଳା ଝଳି ବିକଟଦଶନା

କର ମୋର ବୋଲ ।

ନିର୍ଭୀକ ମାନସେ ତୁହି ଏ ଜଗତେ ବୁଲ ।୧।

 

ବିକଳ ନ ହୋଇ ଖାଅ ସକଳ ବାଳକ

କୁମାରୀମାନଙ୍କୁ ମାତୃ ନ ମାନି ତୁ ରଖ,

ବାଛି ମୋର ପାଇଁ ।

ଆଣ ମୋ ପାଶକୁ ଜାଣ ହେବେ ମହାଦେଈ ।୨।

 

ଘନବନଯାକ ମନ ଲଗାଇ ତୁ ଖୋଜ

ତୋତେ କି ଜଣା ନୁହଇ ଯେତେ ଅଛି ରାଜ୍ୟ

ନ ଆସେ କି ବିଦ୍ୟା ।

ବାହାର ହୁଅ ରେ ମାଂସଆହାରବିନୋଦା ।୩।

 

ଏତେ କହି କଂସ ଭୂପ ରହିଲା ମଉନେ

ପୁତନା ଗମିଲା ନନ୍ଦସୁତ ନାମ ଗାନେ

ମାତି ନିତି ନିତି ।

ଶ୍ରୀ କିଶୋରଚନ୍ଦ୍ର ବୋଲେଁ ନେଲା ଅକୀରତି ।୪।

 

ରାଗ-ଆଷାଢ଼ଶୁକ୍ଳ ।୧୯।

 

ହେ ନୃପ ମଣ୍ଡନ ଘେନ ଘେନ ମନ କବି ପ୍ରସନ୍ନ ।ପଦ।

କ୍ରୁର କଂସ ଆଦେଶ ବହି ଶିରେ

କ୍ରୁର ପୁତନା ନୂତନା ବେଶରେ ।

ବିହରି ବିହରି ସର୍ବ ଭୁବନ

ଖାଇଲା ଖୋଜି ସକଳ ନନ୍ଦନ ।

ବାଛି କୁମାରୀଙ୍କ । ନିଜ ଅଙ୍କରେ ରଖିଲା ସେବକୀ ।୧।

 

ଏକ ଦିବସେ ନିଜ ସ୍ୱରୂପରେ ।

ପରବେଶ ହେଲା ବିନ୍ଧ୍ୟ ମନ୍ଦିରେ ।

ଅନାଇଲା କାହିଁ କେହି ନାହାନ୍ତି

ଦୁଇ କୁମାରୀ ମାତ୍ର ଖେଳୁଛନ୍ତି ।

ବକ୍ଷେ ଧରି ବେଗେ । ଉଡ଼ି ପଳାଇଲା ଆକାଶ ମାର୍ଗେ ।୨।

 

ଗାର୍ଗ ପଉର୍ଣ୍ଣମାସୀ ଏହିକାଳେ

ବିଦର୍ଭଗାରେ ସ୍ନାନ କରୁଥିଲେ ।

ଗାନ କରି ନାରାୟଣ ତବିତ

ଆନ ପ୍ରସଙ୍ଗରେ ନ ଥିଲା ଚିତ୍ତ

ଲେଖିବାର ବିହି । କେବେହେଁ ସେ କଥା ଆନ ନୁହଇ ।୩।

 

ତପ କରୁଥିଲେ ସେ ବନେ ବସି

ବିନ୍ଧ୍ୟପୁରୋଧାବର ଗାର୍ଗ୍ୟ ଋଷି ।

ଜାଣି ସେ ମନ୍ତ୍ରକୁଶ ଫିଙ୍ଗି ଦେଲେ

ବାଜନ୍ତେ ତା ବକ୍ଷ-କକ୍ଷମଣ୍ଡଳେ ।

ଭୟରୁ ଅସୁରୀ । ପକାଇ ଦେଲା ସେ ବେନି କୁମାରୀ ।୪।

 

ବିଦର୍ଭଗା ନଦୀ ମହା ସ୍ରୋତରେ

ଖସି ଭାସିଲେ କୁସୁମ ପ୍ରକାରେ ।

ଭୀଷ୍ମକ ଲଭିଲେ ଚନ୍ଦ୍ରାବଳୀଙ୍କି

ମିଳିଲା ସେ ରାଧା ପୌର୍ଣ୍ଣମାସୀଙ୍କି ।

ରଙ୍କ ପରି ଧରି । ଆସିଲେ ଯଶୋଦା ଛାମୁକୁ ଫେରି ।୫।

 

ମହା ପ୍ରମୋଦ ବହି କାଶକେଶା

ଭାଷିଲେ ମୃଦାହାସମିଶା ଭାଷା ।

ବିଶ୍ୱମ୍ୱର ନରପତି ସୁତ୍ରାମା

ପାଟକୁମାର କିଶୋରଚନ୍ଦ୍ରମା ।

ବନ୍ଦିଲେ ସେ ଧୀରେ । ଶିଶୁଇନ୍ଦୀବରନେତ୍ରା ପଦରେ ।୬।

 

କପିରାଜନ ଶୁଣିବା ହେ ପ୍ରତି ।୨୦।

 

ନନ୍ଦୁ ମହୀଳା ଗୋ ଦେଖ ଦେଖ ଏ ବାଳିକା,

ଅଟଇ କେବଳ ମହୀଦେବୀ-ଚଳ-ମଞ୍ଜୁଳ-ଚମ୍ପାମୁଳିକା ।ପଦ।

 

ନାରାୟଣ ନାମ କରି ପାରାୟଣ ସ୍ନାନ କରୁଥିଲି ବସି ।

ବିଦର୍ଭଗା ନଦୀ ପ୍ରବାହେ ଏ ନିଧିସ୍ୱରୂପା ଆସିଲା ଭାସି ।୧।

ମିଳିବାରୁ ରଙ୍କ ଶଙ୍କରଙ୍କ ପୂଜା ଛାଡ଼ି ଦେଇ ।

ମୋଦମୟ ମନେ ପବନୁ ଜବନେ ତୋ ପାଶେ ଆସିଲି ଧାଇଁ ।୨।

 

ଭୁରୁ ଆଖି ମୁଖ କେଡ଼େ ରୂପରେଖ ଭୁପନନ୍ଦନାରୁ ବଳେ ।

କନକାଦ୍ରିଜନ୍ୟ କେତକୀ କୁନ୍ଦନ କାନ୍ତିକି ଚ୍ୟୁତିରେ ଦଳେ ।୩।

କାଷାୟବସନା ଏ ପ୍ରତିପାଳନା କର ବୋଲୁ ଯଶୋବତୀ ।

ଭାଷିଲେ ବଚନ କଲେ କୃଷ୍ଣ ଧ୍ୟାନ ଶ୍ରୀ କିଶୋରଚନ୍ଦ୍ର ନିତି ।୪।

 

ଓଟାରି ମନ ପ୍ରତି ।୨୧।

 

ଗୋ ପୌର୍ଣ୍ଣମାସି ସତେ କି ସୁନ୍ଦର କୁନ୍ଦହାସୀ ।ପଦ।

 

କେଡ଼େ ଏ ବିଚିତ୍ର ଲୀଳା            ଏ କାହା ନେତ୍ରପିତୁଳା

ବିଦର୍ଭଗାରେ ଆସିଲା ଭାସି ।୧।

ଅମରପୁର ନାଗରୀ            ସମ ଲବେ ନୋହି କରି

ଆଜଠାରୁ ହୋଇ ଯିବେ ଦାସୀ ।୨।

 

ଏ କେଳତି ମୁରତିକି            ଦେବା ଧାତ୍ରୀ ଜରତୀକି

ପାଳନା କରିବ ସେ ଅଶ୍ୱାସି ।୩।

ପ୍ରିୟ ଧାତ୍ରୀକି ଡାକିଲେ            ଯଶୋଦା ଭାଷିଲେ ବୋଲେ

ଶ୍ରୀ କିଶୋରଚନ୍ଦ୍ର ଦୁଃଖ ନାଶି ।୪।

 

ପଚାର କେ ଆଣିଛି ଏ ଜଗତୀକି ପ୍ରତି ।୨୨।

 

ନିଅ ନିଅ କୁନ୍ଦଲଳିତହାସୀକି ହସି ତୋଷଚିତ୍ତରେ ।ପଦ।

 

କହିବାର-ନୋହେ ଏ କଥା            ଚାହୁଁଥିଲେ ତୁଟିଛି ବ୍ୟଥା

ଆହା ଏ ମଧୁରାଧରାଟି କି ତୋରା ନିଖିଳ ଜନନୟନବିତ୍ତରେ ।୧।

ତୋତେ ବୋଲି ସିନା ଜରତି            ଦେଉଛି ଏ ରତି ମୂରତି

ଶିଶୁ ଏଣୀକି ନେତ୍ରା ଅଙ୍ଗ ମୃଦୁଳତା ନ ଥିବ ତ ନବ ନବନୀତରେ ।୨।

 

ପ୍ରତିପାଳି ନିତିକି ନିତି            ଦେଖ ଦେଖ ଲୀଳାସମ୍ପୃତ୍ତ

ଥାଉ ପୁଣ୍ୟ ଫଳ ତେଣିକି କେବଳ ଆଉ ମିଳି ପାରିବ କି ଇତରେ ।୩।

ପ୍ରତିପାଳି ନିତିକି ନିତି ଦେଖ ଦେଖ ଲୀଳା ସମ୍ପତ୍ତି

ଥାଉ ପୂଣ୍ୟ ଫଳ ତେଣିକି କେବଳ ଆଉ ମିଳିପାରିବକି ଇତରେ

ଶ୍ରୀକିଶୋରଚନ୍ଦ୍ର ବୋଇଲେ            ଏ ବାଳାଃ ତରୁଣା ହେଲେ

ବନ୍ଦାଇବେ ପାଟ ନନ୍ଦରାଟ ଚାଯ ହେଲି ବୋଲି ପୁବାପୁରୁହୂତରେ ।୪।

 

 

ରାଗ-ଭାଟିଆର ।୨୩।

 

ଶୁଣ ନରପତି ଏ ଅନ୍ତରେ            ରାଣୀ ଦେଲେ ଆଣି ବେନି କରେ

ଜରତୀ ଭରତି କରି ହୃଦଘଟେ ପ୍ରେମ ରସ ନେଲା ନିଜ ପୁରେ ।୧।

ପୌର୍ଣ୍ଣମାସୀ ଆସି ତୋଷ ବହି            ବୁଝାଉ ବୁଝିଲେ ସବୁ ତହିଁ

କରାଳା ଏକାଳେ ଭୀଷ୍ମକ ସଦନୁ ଚନ୍ଦ୍ରବଳୀକି ଆଣିଲେ ଯାଇଁ ।୨।

 

ବେନି ପୁରେ ରହି ବେନି ବାଳା            ବଢ଼ିଲେ ଶଶାଙ୍କହଳାତୁଳା

ଲଳିତା ବିଶାଖା ପଦ୍ମା ଇନ୍ଦୁଲେଖା ମିଳି କଲେ ନାନାବିଧ ଲୀଳା ।୩।

ମଦନ ହୃଦୟେ କଲା ଠାବ            ଏଣୁ ଜାଣିଲେ ସରସ ଭାବ

କ୍ରମେ କ୍ରମେ ବେନି ବାଳାର ବଢ଼ିଲା ସଙ୍ଗୀତାଦି ରସେ ପ୍ରେମ ଭାବ ।୪।

 

ଏଥୁଅନ୍ତେ ରମ୍ୟ ବଂଶୀଧାରୀ            ନିତି ନାନାବିଧ ବେଶ ଧରି

ରାଧା ଅଟ୍ଟାଳିକା ତଳେ ବିହରନ୍ତି ସଖା ସଙ୍ଗେ ପ୍ରେମାନନ୍ଦେ ପୁରି ।୫।

ଦଇବେ ଦିନେ କିଶୋରି ନେତ୍ର            ଚୁମ୍ୱିଲା ଶ୍ୟାମଙ୍କ ନୀଳ ଗାତ୍ର

କମ୍ପିଲା ଶରୀର ପବନେ ଯେମନ୍ତ ଅଭିନବ ରମ୍ଭା-ତରୁ-ପତ୍ର ।୬।

 

ଲଳିତାଙ୍କୁ ଡାକି ବିଶ୍ୱାସରେ            ଭାଷିଲା ଭାରତୀ ଏକାନ୍ତରେ

ଶ୍ରୀ କିଶୋରଚନ୍ଦ୍ର ସେ ଦେବୀଙ୍କ ପଦକଞ୍ଜରେ ବନ୍ଦଇ ନିରନ୍ତରେ ।୭।

 

ଘନ ଘୋଟି ଆସୁଛି ପ୍ରତି ।୨୪।

 

ଘନକେଶି ରେ ଘନକେଶି କହ ମୋ ଧନ ।

କନକବରନା ମୋ ନାରୀରତନ ।ପଦ।

 

ମନନେତ୍ରମୋହନ            କାହା ପ୍ରିୟ ନନ୍ଦନ

ସେ ନାଗରମଣ୍ଡନ-ଶିର-ସୁମନ ।୧।

ପ୍ରମଦାଜନଙ୍କର            ଧଇର୍ଯ୍ୟ ମହୀଧର

ଚୁର୍ଣ୍ଣ ହୁଏ ପଡ଼ିଲେ ତୋ ନେତ୍ରବାଣ ।୨।

 

ପାମର କାମଦେବ            କାହୁଁ ପାଇବ ଲବ

ଇନ୍ଦ୍ରନୀଳ ଶ୍ରୀଅଙ୍ଗ ଛବି ଗଠନ ।୩।

ସଖି କେଉଁ ଯୁବତୀ            ଦେଖି ଏ ଚାରୁମୂର୍ତ୍ତି

ରଖିବ ତ ହଜାଇ ସ୍ୱକୁଳ ଜ୍ଞାନ ।୪।

 

ଲଳିତା ଶୁଣି ତୋଷେ            ଭାଷିଲେ ହାସରସେ

କିଶୋରଚନ୍ଦ୍ର କରେ କୃଷ୍ଣ ସ୍ମରଣ ।୫।

 

ଭଜ ରେ ମନ କଳାକହ୍ନାଇ ପ୍ରତି ।୨୫।

 

ବାରିକାକ୍ଷି । ଯିବୁଟି ସରି । ନିଖିଳ-ନୟନ-ମୋହନ ଶିରୀ । ପଦ।

 

ଜାଣି ନାହୁଁ ଆଜିଯାଏ କିରେ ରାଜସାରସଗମନା ବରଚତୁରୀ

ନନ୍ଦ ଯଶୋବତୀ ସଦନ ସମ୍ପତ୍ତି ତା ନାମ ଶ୍ରୀକୃଷ୍ଣ ଚନ୍ଦ୍ରକଧାରୀ ।୧।

ଆଉ ଅନୁରାଗ ଚାହାଁ ନା ସେ ଦିଗେ ଯାଉ ସେ ଯମୁନା ତଟକୁ ଫେରି

ସକୀଧୃତିଖିଆ ସ୍ମରଶାଣଦିଆ ତା କଟାକ୍ଷ ଛଟା ନୂଆ କଟାରି ।୨।

 

ଶୁଣିଛି ମୁଁ କାଲି ଏ ବ୍ରଜଛଇଳୀ ବସି କଥା ହେଉଥିଲେ ଗୋ ...

ସେ ମହା ରଙ୍ଗିଲା ପୁଣି ଡାକିନେଲା ମଞ୍ଜୁଳ ନୀପନିକୁଞ୍ଜକୁ ଠାରି ।୩।

ତେଜ ଗୋ ଏଥର ଅଟ୍ଟଳିବିହାର ଯାଉ ପଛେ ଆମ୍ଭ କୁତୁକ ସରି

କଟାକ୍ଷବଡ଼ି ଫିଙ୍ଗି ପୀତବାସ ତୋ ମାନସଝସ ନେବ ଓଟାରି ।୪।

 

ଲଳିତା ଏପରି କହନ୍ତେ କିଶୋରୀ ମାନେ ହସି ଲାଜେ ରହିଲେ ପୁରୀ

ଶ୍ରୀ କିଶୋରଚନ୍ଦ୍ର ଭାଷିଲେ ପାରୀନ୍ଦ୍ର ମଧ୍ୟାମକଦ୍ୱନ୍ଦ ମନରେ ସ୍ମରି ।୫।

 

ରାଗ-ଚକ୍ରକେଳି ।୨୬।

 

ଘେନ ଘେନ ହେ ନୃପଅଖଣ୍ଡଳ ।

ଏହିପରି ସରସେ ନେଲେ କାଳ ।୧।

ରାଧା ଲଳିତାଙ୍କ ସ୍ନେହ ସମ୍ପତ୍ତି ।

କହିଲେ କି ହୋଇବ ସମାପତି ।୨।

 

ଏକଦିନେ କିଶୋରଚନ୍ଦ୍ରଙ୍କର ।

ପରବେଶ ହେଲା ଜନ୍ମବାସର ।୩।

ନନ୍ଦରାଜା ମହାନନ୍ଦେ ସେ କାଳେ ।

ସବୁ ସମ୍ଭାର ସାଜିଲେ ଚପଳେ ।୪।

 

କାମପାଳ ଶ୍ୟାମଘନ ସୁନ୍ଦର ।

ନିଜ ମାଜଣା ବଢ଼ାଇ ସତ୍ୱର ।୫।

ଚାରି ସଖାଙ୍କୁ ଘେନି ମୋଦ ମନେ

ବିଜେ କଲେ ମନିଯୁକ୍ତ ଆସନେ ।୬।

 

ଦାସୀ ହୁଳହୁଳି ବାଦ୍ୟ ବାଜଣା ।

ପୂର୍ଣ୍ଣ କରିଦେଲା ବ୍ରଜପାଟଣା ।୭।

ଏହିକାଳେ ନିଜ ମୋତିମାଳାକୁ ।

ଯଶୋବତୀ ଭାଷିଲେ ଏ ଭାଷ୍ମକୁ ।୮।

 

ଶ୍ରୀ କିଶୋରଚନ୍ଦ୍ର ସେ ସମୟରେ ।

ରାଧାକ୍କୃଷ୍ଣ ପଦ ତଳେ ଜୁହାରେ ।୯।

 

ରାତି ପାହିଗଲା ହେ ହାତି ପତି ।୨୭।

 

ଯାଅ ଯାଅ ଥରେ ତୁ ଡାକି  ମୋର ବୀରବଧୁ ବିଧୂ ମୁହୀଁକି ।ପଦ।

 

ଲଳିତାଦି ଥିବେ ସାଥିରେ            ବିଜେ କରି ମନ୍ଦ ଗତିରେ

ମନ୍ଦାକ୍ଷବତୀ ତ ମନ୍ଦାରଅଧରା

ବନ୍ଦାଇବାକୁ ମୋ ନୀଳମୂର୍ତ୍ତିକି ।୧।

 

ବନ୍ଦାପନା ବିଧି ସମ୍ଭର            ହୋଇଲାଣି ସବୁ ତୟାର

ଗଜୀବାକ୍ଷୀମାନେ ଯେ ଯାହା ବିଧାନେ ।

ଗଜିଲେଣି ସାଜି ମଣିଚତକି ।୨।

 

କହିଦେବୁ ଏ ରୀତି ଯେତେ            ଯେବେ ଘେନି ବସିବ ଚିତ୍ତେ

ଆସିଲେ ନାହିଁ କି ନନ୍ଦରାଣୀ

ଫରମାସିଲେ ଏପରି ତତେ କାହିଁକି ।୩।

 

ରାଧା ଆଗେ ଯାଇ କହିଲା            ଶ୍ରୀ କିଶୋରଚନ୍ଦ୍ର ଧ୍ୟାୟିଲା

ପଶୁପନଗରୀ ନାଗରୀ ନାଗର-

ଇନ୍ଦ୍ରପଦଅରବିନ୍ଦ ଦୁଇକି ।୪।

 

ଛାଡ଼ ଏ ଆଡ଼ରୁଷା ଜାଡ଼ କାଳରେ ପ୍ରତି ।୨୮।

 

ବିଜେ କର ଗୋ ରାଜହଂସଗମନି ।

ମୋଦେ ଆଜ ଗହଣରେ ନିଜ ପ୍ରିୟ ସଜନୀକି ଘେନି ।ପଦ।

ରେ ଖେଳଲୋଳମତି            ମତେ ନନ୍ଦଯୁବତୀ

ପେଶିଅଛନ୍ତି ଗୋ ।

ପଣ୍ଡିତା କରିବୁ ଶୋଭା ମଣ୍ଡି ସେ ପୁର ଅବନି ।୧।

 

କୁନ୍ଦଦଶନା ମୋର            ନନ୍ଦନନ୍ଦନଙ୍କର

ଜନ୍ମବାସର ଗୋ ।

ମନ୍ଦାରଅଧରା ଗଲେ ବନ୍ଦାଇବୁ ଦୁର୍ବ ଘେନି ।୨।

 

ସକଳ ନୀଳକେଶୀ            ମଣ୍ଡି ମଣ୍ଡନେ ରସି

ହରଷେ ମିଶି ଗୋ ।

ମଞ୍ଜୁଳ ମଙ୍ଗଳ ଗାନ କରିବାରେ ଶୁଭେ ଧ୍ୱନି ।୩।

 

ଭ୍ରାତାଭ୍ରକ୍ଷୋଦପୂର୍ଣ୍ଣ            ଚନ୍ଦନସୂନ ତୂର୍ଣ୍ଣ

କର ଧାରଣ ଗୋ ।

ମଦାମୋଦସୁମଧୁରା ଧରାଧରବରସ୍ତନୀ ।୪।

 

ଶୁଣି ସଖୀ ଭାରତୀ            ମୋଦରସେ ଭରତି

ହେଲେ ଶ୍ରୀମତୀ ।

କିଶୋରଚନ୍ଦ୍ରଙ୍କ ହେବ ସଫଳ ନୟନ ବେନି ।୫।

 

ଶ୍ୟାମଘନଙ୍କୁ ଜୁହାର ପ୍ରତି ।୨୯।

 

ନୃପକେଶରୀ ମଜ୍ଜାଇ ମନ ଘେନ ଏ ଚରିତ,

ବିନାଶ ହେବ କି ନାଶ କାତର ସନ୍ତତ ।ପଦ।

 

ଶ୍ରୀମତୀ ଏ ବଚନରେ            ବିଜେ କଲେ ଯତନରେ

ସଖୀଏ ଗଲେ ଗହନେ ବହି ମୋଦଚିତ୍ତ ।୧।

ରୋହିଣୀଙ୍କ ସଙ୍ଗେ ମିଶି            ରହି କେତେ ମଦାଳସୀ

ବନ୍ଦଶଉଥିଲେ ଶ୍ୟାମଙ୍କୁ ସେ ଅର୍ଘ ଧରି ତ ।୨।

 

ମିଳି ଯଶୋବତୀ ଆଗେ            ଓଳଗ ବିହି ସରାଗେ

ଉଭାହେଲେ ଲାଜେ ଶୋଭାବତୀ କିଶୋରୀ ତ ।୩।

ଏ ସ ଚକ୍ଷୁରେ ରୋହିଣୀ            ଦେଲେ ଦୁର୍ବାକ୍ଷତ ଆଣି

ବନ୍ଦାଇଲେ ପରଦା ଆପଟେ ତ୍ୱରିତ ।୪।

 

କି ରଙ୍ଗରେ ଦେଇ ଫିଙ୍ଗି            ବାହୁଡ଼ନ୍ତେ ହେଲା ସଙ୍ଗୀ

ରାଧାମୁଖାମ୍ୱୁଜେ କୃଷ୍ଣନେତ୍ର ମଧୁବ୍ରତ ।୫।

ଆସି ମିଶି ନନ୍ଦରାଣୀ            ଭାଷିଲେ ଏ ମୃଦୁ ବାଣୀ

ଶ୍ରୀ କିଶୋରଚନ୍ଦ୍ର ଚିନ୍ତେ ସେ ଚରିତ ।୬।

 

ରାଗ-ବଉଳ ଚଉତିଶା ।୩୦।

 

ଧନ ମୋ କିଶୋରୀକୁଳ କଳାପଚନ୍ଦ୍ରମା ।

ଖଣ୍ଡିଲୁ ସକଳ ଦୁଃଖରେ ମୋ ଧନ ମଣ୍ଡି ପୁର ସୀମା ।୧।

ମଧୁଲିଟକେଶା ମୋର ବଧୁଲୀଅଧରା ।

ଏ ବିଧିବିଧାନ ଯାକରେ ମୋ ଧନ ସବୁ ତୋର ପରା ।୨।

 

ମୁଁ ଆସି ନ ପାରି ନୂଆ ମୋତିମାଳା ହାତେ ।

ଡକାଇଲି ବୋଲି କେବେ ରେ ମୋ ଧନ ନ ଘେନିବୁ ଚିତ୍ତେରେ ।୩।

ଯାଅ ଯାଅରେ ମୋ ବଧୂ ମଧୁରବଚନା ।

କହିଲି ବୋଲି ଏପରି ରେ ମୋ ଧନ ନ କରି ଶୋଚନା ରେ ।୪।

 

ଶ୍ରୀ କିଶୋରଚନ୍ଦ୍ର ବୋଲେ ମାନସରେ ଭାବି ।

ସେ ରମଣୀମଣିଙ୍କର ଯେ ସେ କାଳେ ବାହୁଡ଼ିବା ଛବି ।୫।

 

ରାଗ-କଳସା ।୩୧।

 

ଏଥୁଅନ୍ତେ ଘେନ ନୃପମଣ୍ଡଳିମଣ୍ଡନ ।

କରିଦେବ ଏ ଚରିତ ତ୍ୱରିତ ଖଣ୍ଡନ ।୧।

ବୃହବନେ ଅନେକ ଦିନରୁ କରି ଘର ।

ଥିଲା ଏକ ଶବରୀ କଣିକା ନାମ ତାର ।୨।

 

ନିତି ନିତି ଆସି ବିକେ ବ୍ରଜ ବଜାରକୁ ।

ଖଞ୍ଜନ ଶାରିକା ପିକ ମୟୁର କୀରକୁ ।୩।

ଦିନେ କୃଷ୍ଣ ବିଚାରିଲେ ଶରଧା ବଳାଇ ।

ଦେଖିବି ବାଣିଜା ଦେଶେ କିଶୋରିକି ମୁହିଁ । ୪ ।

 

ଏତେ ବିଚାର ଶବରୀ ବେଶ ଧରି ବେଗେ ।

ମନ୍ଦମନ୍ଥରେ ବିଳାସ କଲେ ରାଜମାର୍ଗେ । ୫ ।

ଶ୍ରୀନରେ ବସାଇଛନ୍ତି ଶୁକ ବସନ୍ତକୁ ।

ଉଚ୍ଚରେ ଉଚ୍ଚାରି ମୃଦୁ ମଧୁର ଗୀତକୁ । ୬ ।

ଯାହା ଗାନ କରିବାର କହୁଅଛି ଶୁଣ ।

କିଶୋରଚନ୍ଦ୍ର ମାଗିଲେ ତାହାଙ୍କ ଶରଣ । ୭ ।

 

ବାଟ ଛାଡ଼ ନାଗର ପ୍ରତି । ୩୨ ।

 

ଆସ ଆସ କିଣିବ ସରା ଏ ସାରି ବୀରକୁ ଗୋ । ପଦ ।

ଆଣିଅଛି ମୁଁ ଦେଖ                  କେରୀ ବସନ୍ତକୁ ପିରା

କେତେ ଦିନକୁ ଏ ବ୍ରଜନଗରକୁ ଗୋ । ୧ ।

ଗୋଟିଏ ଖଞ୍ଜରୀଟ             ଏକ୍ଷଣି ଦେଲି ଭେଟ

ନୀଳ ନବୀନ ନୀରଦ ସ୍ପନ୍ଦରକୁ । ୨ ।

 

ସକଳ ରସାଳସୀ                   କିସ କରୁଛ ବସି

ମଣ୍ଡି ମଣିମୟ ମହଲା ପୁରକୁ । ୩ ।

ଏପରି ରାଧା ପାଶେ             ମିଳି ଭାଷିଲେ ତୋଷେ

ଶ୍ରୀ କିଶୋରନନ୍ଦ ବନ୍ଦେ ଶ୍ରୀ ରାଧାଙ୍କୁ । ୪ ।

 

ବାଲୁବଜାରୁ ପ୍ରତି । ୩୩ ।

 

ରାସରସିକାରେ ରଖ ଏ ସୁନ୍ଦର ସାରୀକି । ପଦ ।

ଭୁବନମୋହନ ନବନୀତ ବଲ୍ଲୀଟି

ପବନୀଲଳନା ଶିର ସୁନାମଲ୍ଲୀଟି ।

କଦମ୍ବ ବନେ ବୁଲି ଆଣିଅଛି ମୁଁ କାଲି

ଶୁକ ପିକ ଖଞ୍ଜନ ତୋର ଶରଧା ବୋଲି ।

ମୋ ପଛେ ଲାଗି ଲାଗି ମାଗିବାକୁ ନ ଦେଲି

ଏ ନଗର ସରସ ନାରୀଙ୍କି । ୧ ।

 

ଥିଲା ଭଲ ଶୁକ ପିଲା ଏବେ ମୋ ପାଶେ

କିଣି ପକାଇଲା ଚନ୍ଦ୍ରାବଳୀ ହରଷେ ।

ଆସୁଥିଲି ମୁଁ ବିକି ନନ୍ଦନନ୍ଦନ ଡାକି

ବୋଇଲେ ଦିଅ ମୋତେ ଏ କୋକିଳ ପକ୍ଷିକି ।

ଶୁଣୁଥିବି ଏହାର ପଞ୍ଚମ ଗାନ ଚାକି

ହସି ମୁଁ ଦେଲି ବଂଶୀଧାରିକୀ। ୨ ।

 

ଅତର ସୁବାସୀ ନବର କରଙ୍ଗୀଲା

କଷାବସନେ ଧନୁଟିମନୁଟିବଳା ।

ସଜନୀଙ୍କ ସଙ୍ଗରେ ହସି ମନ୍ଦ ମଧୁରେ

ବିହିର ଦରପଣ ଦୋସରି ପାଭାଗରେ ।

କି ମାନିବରେ ଧର ବସନ୍ତ ପକ୍ଷୀ କରେ

ଗେଲାଇ ଚାଲି ସୁକୁମାରୀକି । ୩ ।

 

ଆଗୋ ଲଳିତା ବିଶାଖା କହିବ ମତେ,

କି ନାମ ଏହାର ପୁଣି ବୟସ କେତେ ।

ଶ୍ରୀମୁଖକୁ ନପଟ ଚନ୍ଦ୍ରମା ପୁଣି ବୟସ କେତେ ।

ଆହା କି ମନୋହର ଝଳି ଲଲାଟପଟ ।

ଭଙ୍ଗୀ ଚାହାଣୀ ଛଟା କି ଖେଳ ଖଞ୍ଜରୀଟ

ଲଗାଉଅଛି ପ୍ରୀତିଡୋରକି । ୪ ।

 

ଶର୍ବରୀ ବଚନ ଶୁଣି ନବରମଣୀ ।

ମନ୍ଦେ ହସି ଫିଙ୍ଗିଲା ଯେ ଲୋଲଚାହାଣୀ ।

ବସନ୍ତ ପକ୍ଷୀ ଭଖି ଭାଷିଲେ ଏ ବାଣୀକି

କିଶୋରଚନ୍ଦ୍ର ମାଗେ ନିରକେ ହୋଇ ସୁଖା ।

ବିତୁ ହେ ଦେଇ ମତେ ତୁମ୍ଭ ସେବାତରୀକି

କର ଏ ଭବଜଳୁ ପାରିକି । ୫ ।

 

ଶ୍ୟାମ ପ୍ରେମରେ ପଡ଼ିଲା ପ୍ରତି । ୩୪ ।

 

ମତେ କେତେ ପଚାରୁ ଏ ବାଣୀ,

ଶବରରମଣୀ ନାହୁଁକି ତୁ ଜାଣି । ପଦ ।

 

ତିଲୋକି ତୋ ନୂଆ ରୀତି                  ନୁହଇ ଭଲ ପ୍ରତୀକି

ଆଜି କାହା କୂଟ ମନ୍ତ୍ରେ ଦୀକ୍ଷିତା ହେଲୁକି ପୁଣି । ୧ ।

ଏ ମଞ୍ଜୁଳା କାମକଳା            ଲଳିତା ଚମ୍ପକମାଳା

କହି ଦେବେ ମୋର ନାମ ବେଗେ ଯାଅ ପୁଣି । ୨ ।

 

ଏ ଶୁକ ସାଳିକା            ସତ ମୂଲ ଦିଅ କହି

ଆଉ ଥିଲେ ବତାଇ ଘରେ ପୁଣି ବେଗେ ଦିଅ ଆଣି । ୩ ।

ଶବରୀ ତହୁଁ ଫେରିଲେ                   ଶ୍ରୀ କିଶୋରଚନ୍ଦ୍ର ବୋଲେ

ରେ ମନ ସେ ପଦେ ମଜ୍ଜୁ ଦିବସ ରଜନୀ । ୪ ।

 

ରାଗ-ରାମକେରି । ୩୫ ।

 

ଶୁଣ ନରପତି ଏ ଅନ୍ତେ ନିମଜ୍ଜାଇ ମାନସ ।

ଏହିପରି ହସ ରସରେ ଗଲା କେତେ ଦିବସ । ୧ ।

ପଲ୍ଲବୀଲା ଆମ କୁସୁମ କାଳ ଶୋଭା ସମ୍ପତ୍ତି ।

ଫଟି କଟିବାରେ ସୁମନା ଲୁଟି ନେଲା ସେ ଧୃର୍ଦ୍ଦି ।

 

ଅନାଇ ଏମନ୍ତ ସମୟ ମନେ କହି ଶରଧା ।

ଆଜି ପୁଜିବି ତରଣିକି ବୋଲି ଭାବିଲେ ରାଧା । ୩ ।

ଦଇବେ ସେ ଦିନ ହୋଇଛି ବାସନ୍ତିକ ପଞ୍ଚମୀ ।

ଅଳୀଙ୍କି ଘେନି ସଙ୍ଗତରେ ଗଲେ କାନନ ଭ୍ରମି । ୪ ।

 

ସେ କାଳେ ଶିଖଣ୍ଡମଣ୍ଡନେ ଧେନୁବୃନ୍ଦ ଖେଳାଇ ।

ବିହରୁଥିଲେ ନୀପକୁଞ୍ଜପୁଞ୍ଜେ ମନ ମିଶାଇ । ୫ ।

ସେ କାଳେ ରାଧା ସହଚରୀ ମିଳି ଦେଖିଲେ ଶୋଭା ।

ଫୁଲ ପଲ୍ଲବରେ ହୋଇଛି ମନନୟନଲୋଭା । ୬ ।

ଶ୍ରଦ୍ଧାଯୁକ୍ତ ହୋଇ ମଧୁରାଧିକା ରାଧିକା ଗେଲେ

ଭାଷିଲେ ସଖୀଙ୍କି କିଶୋରକଳାନିଧି ବୋଇଲେ । ୭ ।

 

ମୋର ସଜଫୁଟା କମଳବଦନା ପ୍ରତି । ୩୬ ।

 

ମୋର କୁନ୍ଦ-ସୁନ୍ଦର-ଦର-ହସନାରେ ।

ଝଳି ଲଳିତଜିତ ମୋ ଦଶନାରେ । ପଦ ।

କେବେ ଗୋ ଆସି ନ ଥିଲି                   ଏ ବନପଟକୁ ବୁଲି

କେତେ ଅଛନ୍ତି ନୂଆ ସୁମନା ରେ । ୧ ।

ସତେ ଏ ଯମୁନା ବନ            ମୋହି ନେଉଛି ମୋ ମନ

ଚହଟିବାରେ ଫୁଲ ବାସନା ରେ । ୨ ।

 

ମୁଁ ନ ଜାଣଇମା କିଛି             ତୋଳି ଆଣି ବାଛି ବାଛି

ଚିହ୍ନଉଥିବ ମୀନନୟନା ରେ । ୩ ।

ଏ ବୀରେ ଦେଖାଇ ଅଳୀ            ଭାଷିଲେ ହରଷେ

କିଶୋରଚନ୍ଦ୍ର ଧ୍ୟାଏ ଜାମିନା ରେ । ୪ ।

 

କି ନାଦରେ ପ୍ରାଣସଙ୍ଗୀନୀ ପ୍ରତି । ୩୭।

 

ଚାହାଁ ରେ ଚାହାଁ ମୋ ଧନ ଫୁଟିଛି କେଡ଼େ ଯତନେ

ମଞ୍ଜୁଳ ଚଞ୍ଜୁଳ କୁନ୍ଦ ନିଆଳ ସୁମନାମାନେ । ପଦ ।

ଭଲା ରସିକ-ଭ୍ରମର ନୁହଇ ଲନେ ଅନ୍ତର ରେ । ସହି ।

ମତି ମନ୍ଥାଳି ମାତିଛି ମଲି-ମକରନ୍ଦପାନେ । ୧ ।

 

ଆହା ଏ ରସାଳି ଦ୍ରୁମ ବକୁଳେ ଦିଶେ ସୁସମାରେ । ସହି ।

ରହିଲା ପରି ବୀରେନ୍ଦ୍ର ମଦନ ଶର ସନ୍ଧାନେ । ୨ ।

ସତେ ଏ କେତକୀ ଫୁଲ୍ଲ କି ସୁବାସ କି ଡଉଲ ରେ । ସହି ।

ବସନ୍ତ ରଚ୍ଚାର ସୁନା କଟାଇ ପରି ଏମାନେ । ୩ ।

 

ମଦମତ୍ତ ପରଭୃତ ଶୁଣି ହୋଇଲେ ଲଜ୍ଜିତ ରେ । ସହି ।

ମିତ ତୋ ମଧୁର ବୀଣାଜିଣା ବଚନ ଶ୍ରବଣେ । ୪ ।

ନାନା ଫୁଲ ଆଣି ତୋଳି ରାଧାଙ୍କୁ ଚିହ୍ନାଇ ଆଳୀ ସେ । ସହି ।

ଭାଷିଲେ କିଶୋରଚନ୍ଦ୍ର ରସିଲେ ଶ୍ରୀକୃଷ୍ଣ ଧ୍ୟାନେ । ୫ ।

 

ଚାହିଁ ଗଲା ଫେରି ଫେରି ରେ ପ୍ରତି। ୩୮ ।

 

ଚାହାଁ ନୂଆ ଛଇଳି ରେ ମୋ ରସବଲ୍ଲୀ । ପଦ ।

କି ସୁନ୍ଦର କି ବାସନା             ଏ ଚମ୍ପକ ଛୁରିଅନା

ଆଣିଛି ତୋ ପାଇଁ ସିନା ବନଯାକ ବୁଲି । ୧ ।

ନିଅ ଗୋ ଇନ୍ଦୀବର             ବହିଛି କୃଷ୍ଣ ଆକାର

ଅବକଂସ କର କାମକୁ ତୁ କଖିଆଲି । ୨ ।

 

ଝଡ଼ା ସୁଧିରକୁ ସମାନ            ହେବ ରେ ବାଳାରତନ

ମଧୁଲଟିର ଜୀବନଧନ ଏ ବଧୂଲୀ । ଚାହାଁ । ୩ ।

କେଡ଼େ ଦେଲା କୁନ୍ଦକଳି             ଏ ଅଇଣୀ ଫୁଲ ତୋଷ

ଜଳୁଛି ଘରରୁ ଝଳି କେ ନ ଯିବ ଭୁଲି । ଚାହାଁ ।

 

କିଶୋରଚନ୍ଦ୍ର ସେ କାଳେ             ନିଜ ମନେ ଭାଳି ଦେଭେ

ସେ ରାସରସିକା ନାସା ମୃଗମଦକଲି । ୫ ।

 

ଛଇଲା ମୋରେ ଛାଡ଼ିଲି ଛାଡ଼ ପ୍ରତି । ୩୯ ।

 

ନୃପ ହେ ଗୁଣଗଣମଣ୍ଡନେ ଘେନ ଏ ଚରିତ ଖେଦଖଣ୍ଡନ ।       ପଦ ।

 

ତନୁଜା ବନଯାକ ବୁଲି ବୁଲି ।

ଅଳାପିରେ ଗୀତ ସକଳ ଅଳୀ । ୧ ।

ଆହା ସେ ମଧୁରସ୍ୱର ମାଧୁରୀ ।

କଦମ୍ବ କାନନେ ଗଲା ପ୍ରସରି । ୨ ।

 

ସେ ବନେ ମୋହନ ମନ୍ନାଇ ମତି

ସଖାଙ୍କ ଖେଳରସେ ଥିଲେ ମାତି । ୩ ।

ବାଜିଲା କାନେ ଯେତେବେଳେ ଗାନ ।

ଭଜିଗଲା ଧୃତି ହେଲେ ଅଜ୍ଞାନ । ୪ ।

 

ଭାବିଲେ ରାଧା ସହଚରୀମାନେ ।

ତୋଳୁଛନ୍ତି ଫୁଲ ଆସି ଏ ବନେ । ୫ ।

ଭୁଲାଇ ସଖାଙ୍କୁ ଭାଷିଲେ ବାଣୀ ।

ଏ ରସେ ଶ୍ରୀ କିଶୋରଚନ୍ଦ୍ର ରଣି । ୬ ।

 

ଶ୍ୟାମ ଆଜ ଏକସମା ଛାଡ଼ ପ୍ରତି । ୪୫ ।

 

ହେ ମିତ କରିବା ଅଜ୍ର ଏପରି । ପଦ ।

 

ଯଉବନେ ମିଳି ରଚି ବନକେଳି ପୁରକୁ ଯାଉଛେ ଫେରି । ୧ ।

ନିଜେ ଅଜଣା ରହି ସୁରଭୀଙ୍କି ନେଇ ଦିଅନ୍ତୁ ଯମୁନା ବାରି । ୨ ।

ଯାଅ ଫୁଲ ତୋଳି ଏ ପଟେ ମୁଁ ଗଲି ଯେ ଆଣିବ ସେ ତାହାରି । ୩ ।

ସୁବେଶ ହୋଇବା ହସି ମାତି ଯିବା ବ୍ରଜବଜାରେ ବିହରି । ୪ ।

ସେ ବିଭୂ ପଙ୍କଜପଦ କରେ ତା ଳକିଶୋରଚନ୍ଦ୍ର ଜୁହାରି । ୫ ।

 

ଚାରୁଚନ୍ଦ୍ରକ ଡାକରେ ପ୍ରତି । ୪୧।

 

ଘେନ ଘେନ ନୃପବର            କହି ସଖାଙ୍କୁ ଶ୍ରୀଧର

ମନ୍ଦେ ମନ୍ଦେ ଯାଇ ମଣ୍ଡିଲେ ମାଧବୀ ନିକୁଞ୍ଜମନ୍ଦିର ।

ଲୁଚି ଦେଖୁଥିଲେ ଶ୍ୟାମ            ବାଳାଙ୍କର ଲୀଳାକ୍ରମେ

କେ ଫୁଲ ପଲ୍ଲବ ଲାଗି ହୋଇ ଦିଶେ ବଲ୍ଲରୀ ସୁସମ । ୨ ।

 

ଦେଖ ଦଇବର ଭଙ୍ଗି            କାହୁଁ ଆସି ଏକ ଭଙ୍ଗୀ

ରାଧା-ମୁଖ-କଞ୍ଜ-ମକରନ୍ଦବିନ୍ଦୁ ପାନେ ହେଲା ରଙ୍ଗୀ । ୩ ।

ବାଳା ଚେଳାଞ୍ଚଳେ ବାରି             ଦେଲେ ହେଲେ ସେ ଝଂକାରି

ମାରି ନେଲା ନଟମୁକୁଟପଟକୁ ନିପଟ ଓଟାରି । ୪ ।

 

ମନ୍ଦେ ହସି ଚନ୍ଦ୍ର ମୁଖୀ            ଜଳପିଲେ ସେ ସଖୀଙ୍କି

କିଶୋରଚନ୍ଦ୍ର ବନ୍ଦିଲେ ନଟବରପଦ ମନେ ରଖି । ୫ ।

 

ନ ମାର ରେ ଗୋରି ପ୍ରତି । ୪୨ ।

 

ଅନାଅ ରେ ସହି ଏ ଭଙ୍ଗୀରେ ଚାଲି । ପଦ ।

ମୋରୁଦନ ପାଶେ ଆସେ କି ଲାଳସେ ନ ଚୁମ୍ବି ଏ ବନମଲ୍ଲୀ । ୧ ।

କାହିଁକି ଏ ମାରେ ମୁଁ ଜାଣି ନ ପାରେ କହ କହ ରସବଲ୍ଲୀ । ୨ ।

ମେ ଝୁନା ଚାର୍ଦରେ ବାରିଦେଲେ ଦରେ ନୀପଟରେ ନିଏ ପେଲି । ୩ ।

 

କିଗୋ ଏକିସମା ସବୁ ହୋଇ ଜମା ଧାଇଁ ଆସ ମଲି ମଲି । ୪ ।

ସଜନୀଏ ଗୀର ଭକ୍ଷିଲେ କିଶୋରଚନ୍ଦ୍ର ବୋଲେ ହରି ଭାଳି । ୫ ।

 

ଲୁଚାଇଲେ ସହି ରେ ପ୍ରତି । ୪୩ ।

 

ନବକିଶୋରମଣୀ ଅଳନୀଳବେଣି

ଅକଳଙ୍କଚନ୍ଦ୍ରାନନା ମତ୍ତପିକବାଣି ରେ । ପଦ ।

ଆରେ ମୋ ଘନଜଘନା             ତୋ ମୁଖପଦ୍ମ ବାସନା

ଭୃଙ୍ଗୁକୁଳପ୍ରାଣ ଘେନା ଭୃଙ୍ଗୀ କି ନ ପାରେ ଜାଣି । ୧ ।

 

ସେ ଘେନି ରେ ରସାଳସି             ହୋଇଛି ମହାପିପାସୀ

ପିଇବ ସିନା ଆଶ୍ୱାସି ତୋ ଅଧରମଧୁ ଛାଣି । ୨ ।

କାହିକିଁ କିବାରୁ ଦରେ             ଶ୍ରୀହସ୍ତଝୁନାଚାଦରେ

ଦେଖିବା ଦେଖିବା ଥରେ ନେବ କେତେ ଦୂର ଟାଣି । ୩ ।

 

କି କରିବି ଏ ଭ୍ରମରୀ            ନ ଡ଼ରେ କୁନ୍ଦନଗୋରି

ଆମ୍ଭେ ସବୁ ସହଚରୀ ଯାଉଅଛୁଁ ଫୁଲ ଆଣି । ୪ ।

ବିଶ୍ୱମ୍ବର ରାଜଇନ୍ଦ୍ର-                  ତନୁଜ କିଶୋରଚନ୍ଦ୍ର

ରାଧାପଦଅରବିନ୍ଦ ଧ୍ୟାନେ ଏ ସୁରସ ଭାଣି । ୫ ।

 

ରେ ଇନ୍ଦ୍ରଐର ପ୍ରତି । ୪୪ ।

 

ହେ ନୃପବର ଘେନ ଏ ଚରିତ ସୁଧା ସହୋଦର । ପଦ ।

ଏତେ କହି କଉତୁକେ ଆଳୀ ।

ବନ ଆନ ଦେଶେ ଗଲେ ଫୁଲ ତୋଳି । ୧ ।

ଲୀଳାବିଧି ନାମା ଜଣେ ବାଳା ।

ସଖ୍ୟମାଳାରୁ ଫିଟି ରଚିଲା ଖେଳା । ୨ ।

 

ଏ କାଳେ ରାଧାଙ୍କୁ ଭ୍ରମରିକା ।

ମାରି ନିକୁଞ୍ଜପଟକୁ ନେଲା ଏକା । ୩ ।

ସେହି ସମୟରେ ପଞ୍ଚଶର ।

କରେ ତନୁ କରିଦେଲା ଆରପାର । ୪ ।

ଲତାନ୍ତେ ରହି ଭାଷିଲେ ଶ୍ୟାମ ।

ଶ୍ରୀ କିଶୋର ଚିନ୍ତେ ତାଙ୍କ ନାମ । ୫ ।

 

୪୫

 

ଆରେ ମଦନନାଳି ଖିଆଲିଆ ।

ବାରେ ଏ ନିକୁଞ୍ଜପଟକୁ ଚାଲିଆ । ପଦ ।

ପାଦପାତିଞ୍ଜଳି ବଜାଇ ଛଇଳି ରଙ୍ଗିଲା ମଦନଡାଳିଆ । ୧ ।

ଖଞ୍ଜିକେ ଦେଇଛି ହୀରା କରା ବାଛି ଖୋସା ଖୋସି ଆଲବେଲିଆ । ୨ ।

 

ଖଣ୍ଡବାଣୀ ମୋର ତୋ ଗଣ୍ଡ ମୁକୁର ଖଣ୍ଡ କେଡ଼େ ଝଳମଲିଆ । ୩ ।

ମୋ ଜୀବନସଙ୍ଗୀ ଦେଖାଇ ଏ ଭଙ୍ଗ କେ ନୋହିଯିବ ତୋ ମୂଲିଆ ।୪ ।

ଏ ଫୁଏ ପରଶେ ମଣ୍ଡି ହସହସେ ବିଜେ କର ଭାଙ୍ଗି ହାଲିଆ। ୫ ।

ଶ୍ରୀ କିଶୋରମଣି ବୋଲେ ମନ୍ଦେ ହସି ଦିଶିଲେ ରୋଚନାକଲିଆ । ୬ ।

 

ପିଲାକାଳୁ ନବୀନା ରେ ପ୍ରତି । ୪୬ ।

 

ଆସ ଆସ ମୋ ଧନ ରେ ଚଇତବୀର୍ଣ୍ଣ ଦେହା ।

ସାରିଲା ଦେଖ ଅତନୁ ମୋ ତନୁରାବା । ପଦ ।

ଫୁଲ ଆତ୍ତ ନ ତୋଳ             ଶ୍ରୀ ଜୀକର ତ ମୃଦୁଳ

ବଳିବହି ଏ କଣ୍ଟକ ସଙ୍କଟ-ରାହ । ୧ ।

 

ତୋ ବଦନେ ଏ ଭଳି             ଦେଖିଲେ ରେ ଛଇଳି

ସର୍ବଦା ସଜ୍ଜନ ଦେହ ଯାଏ କି ସୁହା । ୨ ।

ଧନପରା ଚିତ୍ତରେ                   ଶବରଣୀ ବେଶରେ

ଯିବା ଦିନ ଇବାଧରା ଦେଖିଛୁଁ ଯାହା । ୩ ।

 

ଆଣିଅଛି କୁସୁମ                  କରିଦେବି ସୁସମ

ଥିଲା ପରି ମୋ ବନ୍ଧୁ ରେ ତୋ ମନ ଚାହା । ୪ ।

ଭଣିଲେ ଶ୍ରୀ କିଶୋର             କଳାନିଧି ଏ ବୀର

ଭାଙ୍ଗିଦେଲା ରାଧାବନକେଳି ଉତ୍ସାହା । ୫ ।

 

ରାଗ-ଭାଟିଆରି । ୪୭ ।

 

ଶୁଣ ନରବର ଏ ଅନ୍ତରେ             ମୋହନ ମୃଦୁ ବିନୟ ଗୀରେ

ଲାଜଜଳେ ବୁଡ଼ି ପଥ ଦେଇ ହୁଡ଼ି ପଳଇଳେ ରାଧା ଅତି ଖରେ । ୧ ।

ଫିଟି ଲୋଟୁଛି କୁନ୍ତଳଚୟ             ନିଜ ଦେହେ ନାହିଁ ଆଉ ଲୟ

ଶ୍ୱାସ ପ୍ରସବୁଛୁ କେବଳ ଦିଶୁଛି ଚାଲିଆଡ଼େ ଇନ୍ଦ୍ରନୀଳୟ । ୨ ।

 

ପଛକୁ ଅନାଇଁ ଫେରି ଫେରି             ଏହିପରି ନବଜବାର୍ଧରୀ

ଆସି ମିଳିଗଲେ ସଜନୀଙ୍କ ତୁଲେ ଦେହୁଁ ଯାଉଅଛି ସ୍ୱେଦ ଝଲି । ୩ ।

ଦେଖି ଭାଷିଲେ ସଖୀ ଏ ବୀର             ବିଶ୍ୱମ୍ଭକ ରାଜପୁରନ୍ଦାର-

ତନୁଜ କିଶୋରଚନ୍ଦ୍ର ବନ୍ଦେ ବଂଶୀବଟନିକଟନାଟୁଆବର । ୪ ।

 

ପାରିବୁ ରେ ବସେ ହାରିବୁ ରେ ପ୍ରତି । ୪୮ ।

 

କହ ମୋହନା ରେ ଲାଜେ ରହ ନା ରେ । ପଦ ।

ଏ କିସ ରେ କିଶୋରି             ଚେତା ଅଛୁ ପାସୋରି

ନାହିଁ ପୁରୂବ ଶିରୀ କାହିଁକି ଏତେ ସରି । ୧ ।

କୁଟିଳ କେଶ ଫିଟି                   ନିତମ୍ବେ ଅଛି ଲୋଟି

ଥରୁଅଛି ତନୁଟି ମୋ ଜୀବଜୀବନଟି । ୨ ।

 

ବିରଜି ଫୁଲତୋଳା                   କି ଦେଖିଲୁ କି ବାଳା

ଅତି ଚଞ୍ଚଳ ଲୀଳା ଛାଡ଼ୁ କାହିଁ ତୋ ଡୋଳା । ୩ ।

ସଖୀଙ୍କ ବୀର ଶୁଣି                   ରାଧା ଭାଷିଲେ ବାଣୀ

କିଶୋରଚନ୍ଦ୍ର ଭଣି ଶ୍ରୀକୃଷ୍ଣପଦ ଗୁଣି । ୪ ।

 

ସରୋଜମୁଖୀ ପ୍ରତି । ୪୯ ।

 

ସରିଗଲି ଗୋ ଶୁଣ ସବୁ ନାଗରୀ ।

ଆଜି ମତେ ଯାହା କଲା ଭ୍ରମରୀ । ପଦ ।

 

ମିଛ ନୁହେ ମୋ ରାଣ ସତେ                   ପଛଘୁଞ୍ଚା ଦେଇ ମୁଁ କେତେ

ଅଟକୁ ଅଟକୁ ନୀପନିକଟକୁ ମାରି ନେଇ ଧୃତି ଦେଲାଟି ସାରି । ୧ ।

କିଗୋ କାହିଁ ଆସିଲି ବୋଲି                   ବିଚାର ମୁଁ ଅନାଇଁ ଦେଲି

ଘଞ୍ଚତରୁ ତଳେ ଜଣେ ଦିଶିଗଲେ ମଞ୍ଚତଳେ ପଞ୍ଚବାଣମାଧୁରୀ । ୨ ।

 

କଟାକ୍ଷର କି ଭଙ୍ଗି ଛଟା             କୁଳବତୀମରମଫଟା

ଖେଳୁଥିଲା ଇନ୍ଦ୍ର ପରି ଚନ୍ଦ୍ର ମୁଖମଣ୍ଡଳର କାନ୍ତିଲହରୀ । ୩ ।

ମତେ ଦେଖି ସେ ଯେତେବେଳେ       ହସ ହସେ ପାଶେ ମଣ୍ଡିଲେ

ଅସମ୍ଭାଳେ ଧାଇଁ ଆସିଲି ରେ ସହି କହିବା ପ୍ରସଙ୍ଗ ନୁହେ ଆହୁରି । ୪ ।

 

ରାଧାଙ୍କର ଏ ଭଙ୍ଗି ବାଣୀ             ଜଳପିଲେ ଲଳିତା ଶୁଣି

ବୋଲେ ରାଜଇନ୍ଦ୍ରତନୁଜ କିଶୋରକଳାନିଧି ନିତି କୃଷ୍ଣଙ୍କୁ ସ୍ମରି । ୫ ।

 

ନୂଆ ଛଇଳି ହେ ପ୍ରତି । ୫୦ ।

 

ଆଉ ଖେଳ ନା ଗୋ ଏ ନିକୁଞ୍ଜେ ଗଳି ଗଳି ।

ମରକତନୀଳକୁନ୍ତାଳାଙ୍କ ଚୁଳ ଭରମ ରମ୍ୟ ନିଆଳୀ । ପଦ       

ଠାଉକିଆ ଶ୍ୟାମ ଦେବତା ବିଷମ ଏ ବନରେ କରେ କେଳି ।

ଆଉ ଫୁଲତୋଳା କୁତୁହଳ ଲୀଳା ଦାଉ ସିନା ଯିବ ବଳି । ୧ ।

 

ଏକା ଏହିପରି କରେ ମୋ କିଶୋରୀ ଆହୁରୀ ଅଛ କଥାଏ ।

କୁନ୍ଦରଦନାଙ୍କୁ କି ଅବା କରଇ ସୁନ୍ଦରପଣ ନ ଥାଏ । ୨ ।

ଜଣା ନାହିଁ ପରା ତାର ଆବରଣ ଶୁଣାଇଁ ଦିଏ କିସଟି ।

ହୁଡ଼ି ଦେଇ ଜାତିକୁଳ କଳାବତୀ ବୁଡ଼ିଗଲେଣି ଦିଶୋଟି । ୩ ।

 

ମୁଳକ ବୁଡ଼ିବା ଝଲକ ଜନକୁ ସମ୍ପାଦିଅଛୁ ତ ଗୋରୀ ।

ନୋହେ ସଟାବଟା ଏହୁ ନୀପତୋଟାଲଟାକୁ ନିଏ ଓଟାରି । ୪ ।

ଲାଜରେ ଶ୍ରୀମତୀ ବହୁ ସଖୀତତି ପରିହାସରେ ଭାଷିଲେ ।

ଶ୍ରୀ କିଶୋରଚନ୍ଦ୍ର ତାଙ୍କ ସେବାଧନଧ୍ୟାନେ ବିକି ହୋଇ ବୋଲେ ।

 

ମୋ ରାଣ ପରାଣ ଧନ ବାରେ ହସି ଚାହିଁ ଯା ରେ ପ୍ରତି । ୫୧।

 

ଜାଣିଲୁ ରେ ପ୍ରାଣ ମିତଏ କଟାକ୍ଷ ଢାଳିଲୁ ରେ ।

କାହିଁକି ବିଷମ କଳାନାଗକୁ ତୁ ଚାଲିଲୁ ରେ । ପଦ ।

 

ସତେ ରେ ନବକିଶୋରି             ମଦନରସରେ ପୁରି

ଘନେ ଚପଳାର ପରି ଖେଳିବାକୁ ଭାଲିଲୁ ରେ । ୧ ।

ଶୁଣି ସବିନୟ ଭଙ୍ଗୀ            ଭୁଲିଗଲ କି କୃଶାଙ୍ଗୀ

ସେ କେଳିକୁତୁକେ ମଙ୍ଗ ଦେହେ ଦେହ ଝାଡ଼ିଲୁ ରେ । ୨ ।

 

କଳାବତୀ କୁଳେ କାଳି             ଲଗାଇଲୁ ରେ ସଂଙ୍ଖାଳି

      ଆଣିଲୁ ନିନ୍ଦାପଟଳୀ ଆଚ୍ଛା ଫୁଲ ତୋଳିଲୁ ରେ । ୩ ।

ବଳିବ ସଦନ ବନୁ                  ଏ ମୃଦୁମଞ୍ଜୁଳ ତନୁ

କେବଳ ପାପ ଅତନୁ ଶରେ ନିତି ଜାଳିଲୁରେ । ୪ ।

କିଶୋରଚନ୍ଦ୍ର ବୋଲେ             ଯମୁନାବନେ ସେ ଝାଳେ

ରେ ମନ ଅତି ଚପଳେ ଲତା ହୋଇ ମାଡିଲୁ ରେ । ୫ ।

 

ଶୁଣ ଶୁଣ ମୋ ସ୍ୱପନ ପ୍ରତି । ୫୨ ।

 

ଶୁଣ ହେ ନୃପତିଶେଖର, କରିବ ଏହୁ ଚରିତ ଭବଭୟ ଦୂର । ପଦ ।

ସଖୀଙ୍କ ବଚନ ଶୁଣି ରାଧା ରହି ଲାଜେ ।

ବନମହୀକି ମଣ୍ଡିଲେ ନୟନସରୋଜେ । ୧ ।

ଏହିପରି ମାତି ନାନା ସରସ ରସରେ ।

ମଣ୍ଡିଲେ ସକଳ ସଖୀ ଯମୁନକୂଳରେ । ୨ ।

 

ଖେଳୁଛନ୍ତି କୁତୂହଳେ କଳହଂସୀକୂଳ ।

ଇନ୍ଦୀବର କୁମୁଦରେ ହୋଇଛି ମଞ୍ଜୁଳ । ୩ ।

ଅନାର ଯମୁନାଜଳମାଧୁରୀ ସମ୍ପତ୍ତି ।

ଲଳିତା ଭାଷିଲେ ଶ୍ରୀମତୀଙ୍କ ଏ ଭାରତୀ । ୪ ।

 

ଶ୍ରୀ କିଶୋରଚନ୍ଦ୍ର ବ୍ରଜାଦେବୀଙ୍କର ପଦେ ।

ନିଜ ମନ ରଖି ଅନୁବରତରେ ବନ୍ଦେ । ୫ ।

 

ଏହୁ ଘନ ଦୁର୍ଦ୍ଦିନ ଝଡ଼ିରେ ପ୍ରତି । ୫୩ ।

 

ଚାହାଁ ଚାହାଁ ମୋ ଗଳାମାଳି ରେ ଆହା କି ଦିଶେ କଞ୍ଜକଳି ରେ ।

ଯାହା ହେଲା ତୋ କୁରା ଭଳି ରେ କାହା ମନ ନ ଯିବ ଟଳି ରେ । ପଦ ।

କେଡ଼େ ମଞ୍ଜୁଳ ଏ ଯମୁନା ଜଳ ।

ହୋଇଛି ତୋ କେଶ ଛବି ମଞ୍ଜୁଳ ।

ବହି ମୋଦପତି କିପରି ମାଜନ୍ତି ହଁସୀଏ ଖେଳି ଖେଳି ରେ । ୧ ।

 

ବନ୍ଦି କରେ ମନ ଏ ଇନ୍ଦୀବର ।

ଚହଟାଏ ଏ ବାସ କି ମନୋହର ।

ଜମିପ୍ରେମରେ ଅଛନ୍ତି ଭ୍ରମରେ ନୟନ ଢ଼ାଳି ଢ଼ାଳି ରେ । ୨ ।

 

ମୋହର କରିବୁ ଦେଇ ଆଶରା ।

ପହଁର ରେ ବ୍ରଜସହାହୀରା ।

ଚମ୍ପାମାଳଚାକି ଡାହୁବଲ୍ଲରୀକି ଅଳପ ଚାଳି ଚାଳି ରେ । ୩ ।

 

ଆଲାର ଅଧରା କହ୍ନାରଲତା ।

ମାଳିବାକୁ ଡାଳି ପରି ଶୋଚିତା

ତୋ ନଖ ସମକୁ ଏହା କୁସୁମକୁ ଦେଖିବାତୋଳି ତୋଳିରେ । ୪ ।

 

ଏ ବୀରେ ଶ୍ରୀମତୀ ମତି ମଜ୍ଜାଇ ।

ଭାଷିଲେ ସଜନୀଙ୍କି ସମଜାଇ ।

ଶ୍ରୀ କିଶୋରଚନ୍ଦ୍ର ବୋଇଲେ ବ୍ରଜେନ୍ଦ୍ରନନ୍ଦନା ଭାଳି ଭାଳିରେ । ୫ ।

 

ନବକିଶୋର ଗୋରୀ ପ୍ରତି । ୫୪ ।

 

ମୋ ଜୀବସଙ୍ଗୀ ରଙ୍ଗିନୀ କେତେ ରସେ ମୋହି ପାରୁ । ପଦ ।

ଖେଳଲୋଳୁଭୁଜଙ୍ଗୀକି            ଏ ମଞ୍ଜୁ ନଲହୀରକି

କେବଳ ଯିବ ଝଲକି ତୋର ଭୁରୁବଲ୍ଲୀ ଚାରୁ । ୧ ।

 

ଶିଖିଲେ ଏ ଭଙ୍ଗରଙ୍ଗ      ହେବା କି ତୋ ଡୋଳା ସଙ୍ଗ

ରେ ମନମୋହନା ଅଙ୍ଗରଙ୍ଗୀରେ ତୁ ଚାହିଁବାରୁ । ୨ ।

ଦେଖିଲେ ଏ ଇନ୍ଦୀବର             ପୁଲକିଣ ଏ ଶରୀର

ହେଲେ ହେଉ ମନୋହର ବଡ଼ ଡର ଲାଗେ ଦୁରୁ । ୩ ।

 

ଏ ପାଣି ଲାଗିଲେ ମୁହିଁ             ସମ୍ଭାଳି ପାରିବ ନାହିଁ

ଖେଳ ଖେଳ ଚନ୍ଦ୍ରମୁହିଁ ତୋ ମନ କାମନା ପୁରୁ । ୪ ।

ଶ୍ରୀ କିଶୋରଚନ୍ଦ୍ର ବୋଲେ             କିଶୋରୀଙ୍କି ଗୀରେ ଗେଲେ

ଭଲେ ଖେଳା ଖେଳି ହେଲେ କୁନ୍ଦଲତା ଆଦି ଭୀରୁ । ୫ ।

 

ରାଗ-ଚକ୍ରକେଳୀ । ୫୫ ।

 

ଶୁଣ ନୃପତିମଣି ଏହି କାଳେ ।

ରସାଳସାଙ୍କ ପରିହାସ ବେଳେ । ୧ ।

କାମ କାତରେ ଶିଖଣ୍ଡଶେଖର ।

ଛପି ଶୁଣୁଥିଲେ ଲତା ମଧ୍ୟର । ୨ ।

 

ତାଙ୍କ କୁତୁକଯାକ ନ ସମ୍ଭାଳି ।

ମନ୍ଦ ମଧୁରେ ବାମପାଦ ଚାଳି । ୩ ।

ପଦ୍ମା ବେଶ ପକାଇ ସେ ମନକୁ ।

ଧୀରେ ଧୀରେ ମଣ୍ଡିଳେ ସେ ସ୍ଥାନକୁ । ୪ ।

 

ଦର ଦର ହସି ଏହା ଭାଷିଲେ ।

ଶ୍ରୀ କିଶୋରଚନ୍ଦ୍ର ତାଙ୍କୁ ଘୋଷିଲେ । ୫ ।

 

ମନେ ପକାଉଥିବୁ ମନମୋହିନି ପ୍ରତି । ୫୬ ।

 

କି ଗୋ ଅଭିନା ଛୁରିଅନା କିଶୋରି

ମତେ କିପରି ମନୁଦେଲ ପାସୋରି । ପଦ ।

ଦେଖା ଦେଲା ଉତ୍ତାରେ             ପଚାରୁ ନାହୁଁ ଥରେ

ମୁଁ କି ସଖୀଗଣରୁ ଅଟେ ବାହାରି । ୧ ।

 

ଚନ୍ଦ୍ରାବଳୀରୁ ବଳି            ତୁମ୍ଭେ ତ ମୋ ସଖିକି

ଜାଣ ଏ ରାଧିକା ମୋ ପ୍ରାଣଈଶ୍ୱରୀ । ୨ ।

ସବୁ ଦିଅଁ ମା ଛାଡ଼ି                   ହେଲି ମୁଁ ଭିଡ଼ାଭିଡ଼ି

ଚାଲ ଯିବା ଲହରୀ ଭାଙ୍ଗି ପହଁରି । ୩ ।

 

ରେ କଳାବତୀରାଜ            ଛାଡ଼ି କେ ଦେବ ଆଜ

ଲାଜେ ପଛକୁ ରହିଲେ ତୁ ଓହରି । ୪ ।

ବୁଡ଼ିବୁ ଦେଖ ଭଲେ             ରାଧା ମୁଁ ଏକାବେଳେ

ଆଗ ଯେ ବାହାରି ପଡ଼ିବ ସେ ହାରି । ୫ ।

 

ବସି କୁହା କୁହି ହେଲେ             ଜଳରେ ବିଳସିଲେ

ଶ୍ରୀ କିଶୋରଚନ୍ଦ୍ର କୁଷ୍ଣଙ୍କୁ ସୁମରି । ୬ ।

 

ସାରିଦେଲା ରେ ପ୍ରତି । ୫୬ ।

 

ମାର ମାର ରେ ନବରସରଙ୍ଗୀଲା

ଅନା ଅନା କୁନ୍ଦଳତା ଫିଙ୍ଗିଲା । ପଦ ।

କାହିଁ କାହିଁ ଦେଖିବା ଧନ            ଖେଳ ଖେଳ ମୋର ସମାନ

ବୁଝିବା କିପରି ଅଛି ତୋ ମନ ଯୁଝି ନ ପାରି ସେ ଗୋରୀ ଥଙ୍ଗିଲା । ୧ ।

 

ମରୁଆ ଗୋ ଲଳିତହାସି            ଏ ଲଳନା କେଡ଼େ ସାହସୀ

କେଳୀକଳହଂସୀ ପରି କିଳସ କି ସୁନ୍ଦର ଲହରୀକି ଭାଙ୍ଗିଲା । ୨ ।

ହାରିଲି ମା ହାରିଲି ତୋତେ             ସରିଗଲି ଅଣଆୟତ୍ତେ

କରିବାକୁ କେଳି ତୋର ସଙ୍ଗତେ ବାମନେତା କାମକଳା ମଙ୍ଗଳା । ୩ ।

 

ନିଆଳି ଗୋ ନୂଆ ବଉଳ             ପ୍ରବଳିଲା ବେଳକୁ ବେଳ

ଝିଙ୍କ ଏ ପଦ୍ମାର ବୁଦ୍‌ଦୁକୁଳ ମୋର ସଙ୍ଗ ରଙ୍ଗ ଏକା ଜଗିଲା । ୪ ।

ଜମା ହୋଇ ରାମା ସେ କାଳେ             ଓଟାନ୍ତରେ ଚିହ୍ନା ପଡ଼ିଲେ

ପଳାଉଁ ସକଳେ ଶ୍ୟାମ ଭକ୍ଷିଲେ କିଶୋରଚନ୍ଦ୍ର ଶରଣ ମାଗିଲା । ୫ ।

 

ସବୁଦିନେ ଥାଇ କି ଦୂତୀ ଭାବ ପୀରତି ପ୍ରତି । ୫୮ ।

 

ଆସ ଆସ ସହି ରେ ରାସରସକୁଶଳା ।

ବାସବ ନୀଳଲଳିତକୁନ୍ତଳା । ପଦ ।

ମନେ କେତେ କଥା ମନାସ            ରସିବାକୁ ଅଛି ମୁଁ ଆସି

ତୁମ୍ଭ ସଙ୍ଗତରେ ଜଣେ ମୁଁ ଦାସୀ ଜାଣି ନ ପଳାଅ ଏ ଜଳଖେଳା । ୧ ।

 

ଏଥିପାଇଁ ଏଡ଼େ ବିରସ             ମାତୁ ମାତୁ କିଶୋରୀ ଈଶ

ଛୁଇଁଛି ମାତ୍ର ବା ଶ୍ରୀଅଙ୍ଗଦେଶ ପଚାର ଦେଖିଛ ଏ କାମକଳା । ୨ ।

ଦୋଷ ମାତ୍ର ହେଲା ମୋହର ଯେବେ             ଜମା ହୋଇ ସଖୀଏ ଏବେ

ବଢ଼ାଏ କୁତୁକ ବୁଡ଼ାଅ ଭାବେ ବେଢ଼ାଇ ଏ ବାହୁଚମ୍ପକମାଳା । ୩ ।

ଚାଲି ଚାଲି ମନ୍ଦ ମଧୁରେ             ଭାଷିଲେ ସେ ଶ୍ୟାମଙ୍କ ଗୀରେ

ଶ୍ରୀ କିଶୋରଚନ୍ଦ୍ର କୁଞ୍ଜ ପୟରେ ସେ ସମୟେ କଲେ ମାନସ ମେଳା । ୪ ।

 

ଚରିତ କେ ନେବ ଶ୍ୟାମେ ଲୋ ପ୍ରତି । ୫୯ ।

 

ଜାଣିଲୁ କପଟରୀତି ହେ ଶ୍ୟାମ ଯୁବତୀମତିମୋହନ କାମ । ପଦ ।

 

ଚନ୍ଦ୍ରାବଳୀ ସଖୀ ବୋଲି ସିନା ଗଲୁ ଭୁଲି ହେ

      ତେଜି ନ ପାରି ସେ ପ୍ରେମ । ୧ ।

ଲୁଟିବାକୁ ମନ ଧନ କରିଅଛି ପରା ହେ

      କଦମ୍ବକୁଞ୍ଜ ମୁକାମ । ୨ ।

 

ଭଲା ବାଛି ଦେଇଥିଲେ ବନ୍ଦ ଯଶୋବତୀ ହେ

      ଏ ହଟହଟିଆ ନାମ । ୪ ।

ଶ୍ରୀ କିଶୋରଚନ୍ଦ୍ର ବୋଲେ ଶିଖଣ୍ଡଶେଖର ହେ

      କାମଶରେ ଗଲେ ଝାମ । ୫ ।

 

ରାଗ-କଳସା । ୬୦ ।

 

ଶୁଣ ହେ ନୃପତିବର ଏଥୁଅନନ୍ତରେ ।

ପଳାଇଲେ ରାଧା ଯଦି ଅତି ତରତରେ । ୧ ।

ପୁରେ ପରବେଶ ହୋଇ ସବୁ ଜବାଧରା ।

କଥା ହେଲେ କି କଲା ଗୋ ସେ କିଶୋରହୀରା । ୨ ।

 

ଏ ରସାରେ ହୀନ ନାହିଁ ମୋର କରମକୁ

ବୋଲି ହରି ଫେରିଗଲେ ନିଜ ନିକୁଞ୍ଜକୁ । ୩ ।

ଏ ସମୟେ ଲୀଳାନିଧି ବାଟ ବଣା ହୋଇ ।

ଆସୁଥିଲା ସଜନୀଏ ଗଲେ ବୋଲି କାହିଁ । ୪ ।

 

ଦଇବରେ ପଡ଼ିଗଲା ମୋହନ ନୟନେ ।

ଆସ ବୋଲି ଡାକିଲେ ସେ ପାଶକୁ ବହନେ । ୫ ।

ବିନୟରେ ଜଳପିଲେ ମୃଦଳ ଭାରତୀ ।

କିଶୋରଚନ୍ଦ୍ର ବନ୍ଦିଲେ ଚିନ୍ତି ସେ ମୁରତି । ୬ ।

 

ଶ୍ରୀରାମ ନାରୀ ପ୍ରତି । ୬୧ ।

 

ରେ ରସାଳସା । ଗୁଣବତି ମଉଳିଭୂଷା । ପଦ ।

ଜାଣିଥିବୁ ତ ଗେଲ             ବିତି ବିତି ମୋହର

ଏ କୁଞ୍ଜପୁଞ୍ଜ ଅଟେ ବସା ରେ । ୧ ।

 

ବୁଲି ବୁଲି ଆସିଲି             ମୋ ସୁଖେ ବସିଥିଲି

ବାଧିବ ନାହିଁ ବୋଲି ତୃଷାରେ । ୨ ।

ଏହିକ୍ଷଣି ରେ ସହି             ଜଣେ ଚନ୍ଦ୍ରମାମୁହିଁ

ମଣ୍ଡିଲା ନୀପକୁଞ୍ଚରସା ରେ । ୩ ।

 

ତାହା ଶୋଭା ସମ୍ପତ୍ତି       ଦେଖ ବରଜି ଧୃତି

ସରଜିଲେ ବିନୟ ଭାଷା ରେ । ୪ ।

ନ ପୁଣି ପଳାଇଲା             ତେତେବେଳୁ ରେ ବାଳା

ମଦନ ଦେଲା କେତେ ଦଶାରେ । ୫ ।

 

ନ ରଖିଲେ ଦୟାଳୁ             ଆଜ ବ୍ରଜମଣ୍ଡଳୁ

ବୁଡ଼ିଗଲା ଘନଶ୍ୟାମ ଆଶାରେ । ୬ ।

ଶୁଣି ସଖୀ କହିଲେ       କିଶୋରଚନ୍ଦ୍ର ବୋଲେ

କୁଷ୍ଣକୁ ଧ୍ୟାୟି ଦିବା ନିଶା ରେ । ୭ ।

 

କୋହ ଘେନି ଶ୍ୟାମ ମୋ ମରଜି କଷି ଦେଲା ରେ ପ୍ରତି । ୬୨ ।

 

କାମକଳା ଖେଳଖିଆଲିଆ ନୂଆନଟ ହେ ।

କୁନ୍ଦନନିନ୍ଦନ ପୀତପଟ ହେ ।

କାହା ରସେ ବୁଡ଼ି            ଲଗାଉଛ ଲୋଡ଼ି

ଆଣି କାହା ପ୍ରତି ଅସଲଟ ହେ । ପଦ ।

 

କାହୁଁ ଶିଖିଲ ଏ କୁତୁକ            ଶୁଣି ଲାଗିଲା କି ମହାକ

ହେ ରାସରସିକ ।

ହୋଇଅଛି ପରା            କୁଳବତୀ ଝର

ଚାରୁ ଚୂମ୍ବରଙ୍କ ମଧୁଲିଟ ହେ । ୧ ।

 

ଆସି ଏ ବନରେ ବିହରି            ମାରି ଦେଲା ନେତ୍ର-କଟାରୀ

ସେ ନବକିଶୋରୀ ।

ଶାଶୁ ଗୀରେ ହେଲେ            ଦେଖୁ ନାହିଁ ଥରେ

ଯେ ପୁଣି ଯମୁନା ଜଳଘାଟ ହେ । ୨ ।

 

କଥା ପଦେ ବିରସ ବହି            ମଥା ଟେକି ଯେ ବୋଲୁ ନାହିଁ

ସେ ଚନ୍ଦ୍ରମାମୁହୀଁ ।

ମୋର ବୋଲ ଶୁଣ                  ମଣ୍ଡିବ ସେ ପୁଣି

କଦମ୍ବନିକୁଞ୍ଜ ଫୁଲଖଟୁ ହେ । ୩ ।

 

ଯଶୋବତୀ ଦୁଃଖପାସୋରା            ଛାଡ଼ ଛାଡ଼ ଏହୁ ଟାପର

ହେ ମୂରଲୀଧରା ।

କଂସ ନରବର            ଶୁଣିଲେ ଖବର

ଜାଳି ଦେବ ଗିରିଗୁହାପୁଟ ହେ । ୪ ।

 

ହେଲା କଥା ହେଲା ମୋ ଧନ            ବେଗେ ଯାଅ ନିଜ ସଦନ

ହେ ମହୀମଣ୍ଡନ ।

ମଦନ ବିକଳେ            ନ ବସାଅ ହେଲେ

ବ୍ରଜପୁରେ ହଟହଟାହାଟ ହେ । ୫ ।

 

ଥନ ଥନ କରି ନୟନ            ଜଳପିଲେ ଏହି ବଚନ

ସେ ମନମୋହନ ।

ବୋଲେ ଶ୍ରୀ କିଶୋର-            ଚନ୍ଦ୍ର ନିରନ୍ତର

ମାନସରେ ଧ୍ୟାୟି ଗୋପବିଟ ହେ । ୬ ।

 

କେ ସେ ନୀପମୂଳିଆ ପ୍ରତି । ୬୩ ।

 

କେଳିରସରସିକାବର । ଦଳି ନ ଦିଅ ମୋର ଧୃତିବି ରେ । ପଦ ।

ବଳିଗଲାଣି ଦୁଃଖ ବନ୍ଧୁ ରେ ଦେଖ ଶୋକ-

      ସିନ୍ଧୁରେ ବୁଡ଼ି ନିତି ନିତି କି ରେ ।

ବଢ଼ିଅଛି କେବଳ କେଳିକଦମ୍ବମୂଳ

      ଧୂଳିଧୂସର ଧରା କତି କି ରେ ।୧।

 

ମୋ ସୁଖ ତୋ ହେତୁରୁ ସିନା ରେ ଚାରୁ ଭୁରୁ

      ନ ଶୁଖା ଆଉ ନିଜ ମତିକି ରେ ।

ଢାଳି କୃପାଅପାଙ୍ଗ ଝାଳି ଦେ ଏ ପ୍ରସଙ୍ଗ

      କହି କୁନ୍ଦଲଳିତଦନ୍ତୀକି ରେ । ୨ ।

 

ଫେରିଲାଯାଏ ତୁହି ଚାହିଁ ରହିଛି ମୁହିଁ

      ଚପଳେ ଚଳ ଧନ କତିକି ରେ ।

ବ୍ରଜଲଳନା ହୀରା ମଉଳୀ ଚମ୍ପାଝରା

      ଆସିଲା ପର କର ରାତିକି ରେ । ୩ ।

 

ଏ ଘଟନା ନୋହିଲେ ଜାଣ ବ୍ରଜମଣ୍ଡଳେ

      କେବଳ ଗତି ନୀଳହାତୀ କି ରେ ।

ନ ସହି ସୁର ଜ୍ୱର ଖାଇ ଦେଇ ଜହର

      ନିଶ୍ଚୟ ହେବି ପ୍ରାଣଘାତକୀ ରେ । ୪ ।

 

ସେ ଗୁଣବତୀ ଶୁଣି ଜଳପିଲେ ଏ ବାଣୀ

      ନିଖିଲ ମୋହନ  ମୂରତିକି ରେ ।

ଭଜେ କିଶୋରଚନ୍ଦ୍ର ବ୍ରଜପୁରମହେନ୍ଦ୍ର-

      ବନ୍ଦନ ପାଦପଦ୍ମ ଦୁଇକି ରେ । ୫ ।

 

ଡର ନାହିଁ କି ହେ ପ୍ରତି । ୬୪ ।

 

ନୂଆ ଛଇଳ ହେ, ପଡ଼ିଗଲ କେଡ଼େ ଦଣ୍ଡେ ।

ସାରିଦେବ ସାର ଏଥର ହେ ବୀର ସରି ଯିବ କାମକାଦଣ୍ଡ । ପଦ ।

କିଶୋରୀମଣିଟି ଆସିଗଲା ହଟି ସଖୀ ସଙ୍ଗେ ଫଲ ତୋଳି ।

କା ଶୋଭାଲହରୀ ସମ୍ଭାଳି ନ ପାରି ନେତ୍ର କେଣେ ଦେଲ ଢାଳି । ୧ ।

 

ଆହା ଏ ମୃଦୁଳ ତନୁକୁ ଦେଖିଲେ ଯାହା ହେଉଅଛି ମନ ।

ଅନବରତରେ ଛନ ଛନ ହୋଇ ବୁହାଇବ ନେତୁଁ ବନ । ୨ ।

କୁଳବତୀ ତ ସେ ତୁମ୍ଭ ପ୍ରୀତିରସେ ତା ମନ ବଳିବ କେହି ।

ଏ ଘନବନକୁ ବାଳାରତନକୁ କି ବୋଲି ଆଣିବ କହି । ୩ ।

 

ଯାଉଅଛି ଥରେ ଏ କୁଞ୍ଜମନ୍ଦିରେ ମଣ୍ଡିଥାଅ ଧନ ମୋର ।

ଚଳିବା ସଙ୍ଗତି ଆସି ଆଜି ରାତି କରିବି ସବୁ ଗୋଚର । ୪ ।

ଏତେ କହି ଦେଇ ଲୀଳାନୀଧି ଯାଇ ମିଳନ୍ତେ ସଖୀଙ୍କ ଆଗେ ।

ଭାଷିଲେ ସେ ବୀର ଶ୍ରୀ କିଶୋରଚନ୍ଦ୍ର ଶ୍ୟାମକୁ ଶରଣ ମାଗେ । ୫ ।

 

ସେ ଶ୍ୟାମ ନାଗର କେଡ଼େ ହଟିଆ ରେ ପ୍ରତି । ୭୫ ।

 

ସତ କହ କହ ନବରସିକାରେ ।

କାହିଁ ଲୁଚିଗଲୁ ବନେ ବିହରି ତୁ ଏକା । ପଦ ।

ଜାଣି ନାହୁଁ କିଗୋ ତୁହି            ଫୁଲ ତୋଳୁଥିଲୁ ସହି

ଆଜି ଯାହା କିଶୋରୀକି କଲା ଭ୍ରମରିକା । ୧ ।

 

ତହୁଁ ଆସି ଯମୁନାରେ            ଖେଳନ୍ତେ ପଦ୍ମା ବେଶରେ

ଶ୍ୟାମ ଆସି ରସିବାର ଲାଗୁଛି ତାଟକ । ୨ ।

ବନଯାକ ବୁଲି ବୁଲି            ଆସ ଲୀଳାନିଧି ବୋଲି

ଡାକିଲା ତୋ ନାମେ କେତେ ଏ କୁନ୍ଦଲତିକା । ୩ ।

 

ଫୁଲତୋଳା ଦେଇ ଛାଡ଼ି            ନଟବର ପ୍ରେମେ ପଡ଼ି

ଆହା ତାହା ସ୍ନେହରସ କଲୁ କି ଜୀବିକା । ୪ ।

ସଜନୀ ଭାଷିଲେ ଶୁଣି            ଶ୍ରୀ କିଶୋରଚନ୍ଦ୍ର ଭଣି

ବିରତେ କରି ଶରଣ ଗିରିବର ଟେକା । ୫ ।

 

ବିଷ ପୀୟୁଷ ବୋଲି ମୁଁ ଦେଲି ଚାଖି ରେ ପ୍ରତି । ୬୬ ।

 

ଦୟାବତି । ଦେଖି ଦଳି ହୋଇ ଗଲା ମୋର ଧୃତି ରେ । ପଦ ।

କାହିଁ ଗଲ ସଜନୀଏ ବୋଲି            ଖୋଜି ଖୋଜି ବନେ ଆସୁଥିଲି

କଦମ୍ବନିକୁଞ୍ଜ ମଣ୍ଡିଥିଲେ ବ୍ରଜତରୁଣମଣ୍ଡନ ଚକ୍ରବର୍ତ୍ତୀ । ୧ ।

ଦୁରୂଁ ଧାଇଁ ଆସି କି ହରଷେ            ବରଦାସ ରଖି ଦନ୍ତବାସେ

ଦାସ ପରି ହୋଇ ବିନୟ ବିହିଲେ ବାସକ ମଣିମଞ୍ଜୁଲକାନ୍ତି । ୨ ।

 

ଦଣ୍ଡେ ଯାଏ ଧରି ମୋର କର            ପଚାରିଲେ ନବ କିଶୋରୀର

ଦିନେଶନନ୍ଦନା ମରଦନଠାରୁ ବାହୁଡ଼ିବାଯାଏ ଯେତେ ରୀତି । ୩ ।

ଦୁରନ୍ତ ମଦନ ଶରଧାଟି            ମରମଦ୍ରୁମ ଦେଲାଣି କାଟି

ଦେହେଁ ନାହିଁ ବଳ ବୋଇଲେ କେବଳ ଚାରୁଚନ୍ଦ୍ରନନା ଏକା ଗତି ।

 

ଏପରି ଶୁଣି ସକଳ ବାଳୀ            ରାଧାଙ୍କ ଛାମୁରେ ଯାଇ ମିଳି

ଭାଷିଲେ ଏ ଗୀର ବୋଲେ ଶ୍ରୀ କିଶୋରଚନ୍ଦ୍ର ଚିନ୍ତି ଘନଶ୍ୟାମ ମୂର୍ତ୍ତି ।

 

ରେ ବନ୍ଧୁଆ ନ କର ନିରାଶ ପ୍ରତି । ୬୭ ।

 

ରେ ବନ୍ଧୁଆ । ମହୀଚମ୍ପାମାଳି ଜନନୟନସଙ୍ଖାଳି ରେ । ପଦ ।

କି ଫୁଲ ତୋଳିବୁ କୁଞ୍ଜପଟା ପଦ ଚାଲି ।

ଥୟ ହେଉ ନାହିଁ ସେ ମୋହନ ଥରେ ନୟନାନ୍ତ ଦେଇ ଢାଳି ରେ । ୧       

ବସି ବୋଲୁଥିଲେ ପୁଣି ତୋର ଶୋଭା ଭାଳି ।

ଆସ ଆସ ରାସରସିକାଟି ସ୍ତନେ ଲେଖି ଦେବି ଚିତ୍ରଡ଼ାଳି ରେ । ୨ ।

 

ଦେଖି ଆସିଲା ଗୋ ଲୀଳାନିଧି ନାମା ଆଳୀ ।

ଅତିଶୟେ ରତି ନାହା ଫୁଲଶରେ ଧତିକି ଦେଲାଣି ଟାଳି ରେ । ୩ ।

ଥରେ ଯିବା ଚାଲ ଶ୍ୟାମ ସ୍ନେହ ପ୍ରତିପାଳି ।

ଆଡା ମୋର ନୀଳବାହା ବୋଲି ସୁନାଦେହା ତୁ ଦିଅ ପୋଟାଳି ରେ । ୪ ।

 

ସଖୀଙ୍କର ଗୀରେ ଭଜେ ହସିଦେଲେ ବାଳୀ ।

ଶ୍ରୀ କିଶୋରଚନ୍ଦ୍ର ସେ ଦେବୀଙ୍କ ପଦକଞ୍ଜେ ମନ ଦେଲେ ଝାଳି ରେ । ୫ ।

 

ରାଗ-ସିନ୍ଦୁଡ଼ା । ୬୮ ।

 

ଶୁଣ ଦଣ୍ଡଧାରୀ ଦେଖି ସହଚରୀ ରାଧା ଭଙ୍ଗି ଚାହାଣିକି

ସଙ୍କେତକୁ ଗେଲେ ବିଜେ କରାଇଲେ ବେଶ କରି ଶ୍ରୀମତୀଙ୍କି ।

ଲୀଳାନିଧି ଲଳିତା । ଚିତ୍ରା ବିଶାଖା ଲବଙ୍ଗଲତା । ୧ ।

 

ମିଳନ୍ତେ କଦମ୍ବନିକୁଞ୍ଜେ କାଦମ୍ବଗମନାଙ୍କୁ ରଖି ଦେଲ ।

ଲୀଳାନିଧି ଗଲା ସେ ନଟ ରଙ୍ଗିଲାବରଙ୍କୁ ଆଣିବା ପାଇଁ ଯେ ।

ତହିଁ ନ ଦେଖି ସେହି । ଖୋଜେ କୁଞ୍ଜେ କୁଞ୍ଜେ ଦୁଃଖୀ ହୋଇ । ୨ ।

 

ସେ କାଳେ କେ ସଖୀ ପାନ ଭାଙ୍ଗେ ଦେଖି କେ ରଖେ ପନିର ନୀତି ।

କେ ଗୋଳେ ଚନ୍ଦନ କେ ଗୁନ୍ଥେ ସୁମନ କେ ରଖୁଛି ଘନସାର ଗୋ

କେ ଆଲଟ ଧରିଛି କିଶୋରୀ ସେବା କେ କରୁଛି ଯେ । ୩ ।

 

ଏ ସମସ୍ତେ ଶ୍ୟାମ ଚନ୍ଦ୍ରାକଳୀ କାମକେଳିରସେ ଗଲେ ମାତି ।

ବୁଲି ବୁଲି ଲୀଳାନିଧି ନ ଦେଖିଲା ହୋଇଗଲା ଅର୍ଦ୍ଧ ରାତି ଯେ ।

ମନେ ଭାଳିଲା ଏହା । ଆହା କି କଲେ ସେ ନୀଳବାହା । ୪ ।

 

ଏକାଳେ ସେ ଭୀରୁ ଶ୍ୟାମ ବିଳମ୍ବରୁ ମୁଖ ପୋତି ପହୁଡ଼ିଲେ ।

ପଡ଼ୁ ଫୁଲ ଅଙ୍କେ ଚମକି ସେ ବେଗେ ଉଠି ସଖୀଙ୍କି ଭାଷିଲେ ।

ବୋଲେ କିଶୋରଶଶି । ବାଳା ଦୁଃଖଜଳେ ଗଲା ଭାସି । ୫ ।

 

ଘନ କାଳରେ ଛାଡ଼ି ଗଲି ବାଳାକୁ ରେ ପ୍ରତି । ୬୯ ।

 

ଶ୍ୟାମ ନ ଆସିଲେ କାହିଁକି ଛଇଲା ରେ ।

କାମବିଶିଖେ ମୋର ତନୁ ଦହିଲା ରେ । ପଦ ।

କେଉଁ ରସିକାମଣି            ସ୍ୱରସେ ନେଇ କିଣି

ମୋହନ ମନ ଅବା ମୋହିଲା ରେ । ୧ ।

 

ସଞ୍ଜବେଳୁଁ କୁଞ୍ଜରେ            ଜଗାଇ ଦେଇ ମୋରେ

ଚିତ୍ତେ କିଞ୍ଚିଡ଼େ କୃପା ନୋହିଲା ରେ । ୨ ।

ଆଉ କି ଲୋଡ଼ା ପାନ            ଏ ଚନ୍ଦନ ସୁମନ

ସବୁ ସୁଖ ବିନାଶ ହୋଇଲା ରେ । ୩ ।

 

ହେଲାଣି ରାତି ଶେଷ            ଘେନି ସୁମନ ବାସ

ମନ୍ଦ ଚନ୍ଦନ ବାତ କହିଲା ରେ । ୪ ।

ପିତା ହେଲା କାମ୍ବଳ      ମଞ୍ଜୂଳ ମୋତିମାଳ

ଅତି ଶୀତଳ ଭାବ ବହିଲା ରେ । ୫ ।

 

ଦେଖ ଗୋ ଦେଖ ଆଳି            ପଙ୍କଜେ ଅଳି ଖେଳି

ପ୍ରେମପ୍ରମୋଦେ ଜଡ଼ି ରହିଲା ରେ । ୬ ।

ସେ କାଳେ ରାଧାପାଶେ            ସେ ଦୁତୀ ମିଳି ରାଷେ

କିଶୋରଚନ୍ଦ୍ର କୃଷ୍ଣ ଧ୍ୟାୟିଲା ରେ ।୭।

 

କମ୍ବୁ କଣ୍ଠୀ ପ୍ରତି ।୭୦।

 

ରସରଙ୍ଗୀ ଜୀବନସଙ୍ଗୀ ମୋ ଧନ କି ଦଶା ପାଇଲା ଆସି ।

ବନେ ବନେ ବୁଲି ଅତେଜ ଖୋଜିଲି ନାହାନ୍ତି ବିକୁଞ୍ଜବିଳାସୀ । ପଦ ।

 

କହିଥିଲେ କେତେ ରାଣ ଦେଲ ମୋତେ ଥିବି ଏହି ସ୍ଥାନେ ବସି ।

ମଣ୍ଡୁ ମୋର ଅଙ୍କପର୍ଯ୍ୟଙ୍କକୁ ରଙ୍କନିଧି ମୋ ପଙ୍କଜ ସୁବାସୀ ।୧।

ଆଗୋ ପ୍ରାଣସହି ଦେଖ ତୋର ପାଇଁ ନାନା ଫୁଲ ଫରମାସି ।

କରିଥିଲେ ସେଚ୍ଚ ଦ୍ୱିଜବ୍ରଜରାଜ ତୋର ସଙ୍ଗରଙ୍ଗ ମନାସି । ୨ ।

 

ମିଛ ନୋହେ ସଖି ବନ ଦେବି ସାକ୍ଷୀ ଆଖରକୁ ହେଲି ଦୋଷୀ ।

କି କଲା ଗୋ ସତେ ଆଣି ବନପଥେ କପଟରେ ସେ ଅବିଶ୍ୱାସୀ ।୩।

ଭାଷିଲେ ଭାରତୀ ଏ ଗୀରେ ଶ୍ରୀମତୀ ଖେଦକଳଧିରେ ଭାସି ।

ବୋଲେ ଶ୍ରୀ କିଶୋରଚନ୍ଦ୍ର କୃଷ୍ଣଙ୍କର ସେବାରେ ହେଲେ ସାଭିଳାଷି ।୪।

 

ରଙ୍ଗ ରାଜୀବମୁଖୀ ପ୍ରତି ।୭୧।

 

ସଜନୀ ରେ, ଭଲା ଥିଲା କରମେ ।

ଭାନୁସତାତଟି କଣ୍ଟାବନଘାଟୀ ଦେଖିଲି

ଏବେ ମୁଁ ତୋର ଧରମେ । ପଦ ।

 

ତୋତେ ଗୋ ମୁଁ ବୋଲିବି କିସ । ମିଳିଗଲା ସରସରସ ।

ବୃଥା କଥା ଶୁଣି ମୁଁ କୁଳରମଣୀ ପଡ଼ିଗଲିଣି ତ କପଟପ୍ରେମେ ।୧।

ଆହା ସତେ କେତେ ହୁଡ଼ିଲି । ଜାଣି ଜାଣି ସିନା ପଡ଼ିଲି ।

ଶେଷ ହେଲା ନିଶା ହେଲି ମୁଁ ବିବସା ବାଜିବାରୁ କାମଶର ମରମେ ।୨।

 

ଶୁଣି ଦେଲେ ଶାଶୁ ଶ୍ୱଶୁର । ସରିଯିବ ମୋର ସଂସାର ।

ପଞ୍ଜରୁ ଆସିଲି କଞ୍ଜୁ ଗଲେ ଅଳିପୁଞ୍ଜ ନାଦ କରି ଆନ କୁସୁମେ ।୩।

ପଳାଇବା ଚାଲ ଗୋ ଚାଲ । ଏଥେଁ ଥିଲେ ନାହିଁଟି ଭଲ ।

ଗଲେ ଯାଉ ଜୀବ ସ୍ନେହ କେ କରିବ ଷଣ୍ଢମୁଣ୍ଡମୋଡ଼ା ସେ ଘନଶ୍ୟାମେ ।୪।

 

ଶ୍ରୀକିଶୋରଚନ୍ଦ୍ର ବୋଇଲେ । ରସବତୀ ବାହୁଡ଼ି ଗଲେ ।

ହୋଇ ଅତି ଦୀନ ନ ସରିବ ଦିନ ଝୁରିବେ ମୋହନ ରାଧାଙ୍କ ନାମେ ।୫।

 

ରାଗ ବିଚିତ୍ରଦେଶାଷ ।୭୨।

 

ଶୁଣ ହେ ନରେଶ ଏଥୁଅନ୍ତେ ରସ କହୁଛି ମନାଇ ମତି ।

ଲଭି ମହାବ୍ୟଥା ଏହିପରି କଥା ହେଉ ପାହିଗଲା ରାତି ଯେ ।

ଏକାଳେ ଘନବରନ । ଭାବିଲେ ସ୍ୱାନ୍ତଃକରଣ ।୧।

ସେ ଲୀଳାତିଧିର ଧରି ଦୁଇ କର କହିଥିଲି କେତେ ପରି ।

 

ଆସିବୁ ସଞ୍ଜକୁ ଏ ନୀପକୁଞ୍ଜକୁ କଞ୍ଜସୁବାସୀକି ଧରି ଯେ ।

କରିଥିବେ ପରା ଆସି । ହେଲି କେଡ଼େ ଅବିଶ୍ୱାସୀ ।୨।

ଭାଳି ଏହା ମନେ ଚନ୍ଦ୍ରାବଳୀ ପ୍ରେମେ ନ ମାତି ଶିଖଣ୍ଡଧର ।

ମନ୍ଦେ ମନ୍ଦେ ଚାଲି ମଞ୍ଜଳ ନିଆଳୀ କୁଞ୍ଜରୁ ହେଲେ ବାହାର ।

 

ଲାକ୍ଷାରେ ଦିଶେ ମଞ୍ଜୁଳ । ସେ ଚାରୁ ଚନ୍ଦ୍ରକଚୂଳ ।୩।

ମଣ୍ଡି ହୋଇ ନଖ କ୍ଷତରେ ଶ୍ରୀଅଙ୍ଗ ନୀପକୁଞ୍ଜେ ଗଲେ ମିଳି ।

ଶ୍ରୀକୃଷ୍ଣଙ୍କୁ ଦେଖି ପଚାରିଲେ ସଖୀ ମଥା ପୋତି ଦେଲେ ବାଳୀ ।

କିଶୋରଚନ୍ଦ୍ର ଭଣିଲେ । ସେବି ସେ ଦେବୀଙ୍କ ପାଦତଳେ ।୪।

 

ବରଷେ ଘନ ଘଡ଼ଘଡ଼ି ରେ ପ୍ରତି ।୭୩।

 

ଛଇଳ ହେ କାଲି କାହିଁ ରହିଲ ।

ନୀପନିକୁଞ୍ଜରେ ଜଗାଇ ଦେଲ । ପଦ ।

 

ସଞ୍ଜକୁ ଆସି ଏ ନବବନିକା । ଖଞ୍ଜନନେତୀ ହେଲା ଉନ୍ମିଦ୍ରତା ।

କଞ୍ଜ ଗଲା ଫୁଟି            ଏହିପରି ତୋଟି

ଲାଟିଦେବା କଥା ହେଲା କି ଭଲ ।୧।

 

ଏହା ଥିଲା ଯେବେ ତୁମ୍ଭର ମନେ । ଉଡ଼ାଇ ନ ଥାନ୍ତ ଏ ଘୋରବନେ ।

ଯେ କୁଳବିଷୋରୀ            ତାକୁ ଏତେ ସରି

କରାଇବା ନିତି ଏ ଏକା ଗେଲ ।୨।

 

ଅଣ୍ଟି ଗଲା ତୁମ୍ଭ ସ୍ନେହସମ୍ପତ୍ତି । ଯାହା ରସେ ବୁଡ଼ି ବଞ୍ଚିଲ ରାତି ।

ଯାଅ ତାହା ପାଶେ            ମାତିବ ସରସେ ।

ଛାଡ଼ି ନାହିଁ ପରା କାମଅମଳ ।୩।

କି ହୋଇବ ଆଉ କେବେ କହିଲେ । ଏ ବୟସେ ଲେଖା ଥିଲା କପାଳେ

ଏ ନବ ପଲ୍ଲବ-            ଅଧରାର ଜୀବ

ନେବ ବୋଲି କାମ ପ୍ରହାରି ଛେଲ ।୪।

ଏ ଗୀରେ ମୋହନ ମୂରଲୀପାଣି । ହସି ମନ୍ଦେ ମନ୍ଦେ ଭାଷିଲେ ବାଣୀ ।

ବୋଲେ ନରବର            ସୁରରାଟପାଟ-

କୁମାର ଧ୍ୟାୟି ନନ୍ଦନବବାଳ ।୫।

 

ଦୁତି ଗୋ ବଂଶୀ କାହୁଁ ଆଣିଲ ପ୍ରତି ।୭୪।

 

ଘେନି ରେ ନୀଳଘନକୁନ୍ତଳା ।

ମାନସିକ କେଳି କଳାକୁଶଳା । ପଦ ।

 

ଏହି ନୀପକୁଞ୍ଜେ ମୁଁ ବସିଥିଲି ।

ଆସିବେ ତ ବୋଲି ସବୁ ଛଇଲୀ ।୧।

ଏକାଳେ ଉଚ୍ଚେ ଶୁଭିଲା ଏ ବାଣୀ ।

ମଲୁ ମଲୁ ରଖ ମୂରଲୀପାଣି ।୨।

 

ଧାଇଁଲି ଦେଖିବା ସତେ କି ହେଲା ।

ସଖାଙ୍କୁ ଶଙ୍ଖଚୂଡ଼ ନେଉଥିଲା ।୩।

ମାରି ଦେଇ ତାରି ତାକୁ ବହନେ ।

ବାହାରି ଆସିଲୁଁ କୁଞ୍ଜସଦନେ ।୪।

 

ବିଳମ୍ବ ହେଲା ଏଥିଲାଗି ସିନା ।

ଦୋଷ ନ ଧର ତୋ ସୁନାବରନା ।୫।

ବାଜୁଛି ଏ ବ୍ରଜବଜାରେ ବାଜା ।

ମୁଁ ଦାସ ତୁମ୍ଭ ରାଧା ବୋଲି ରାଜା ।୬।

 

ସଖୀ ମୁକୁର ଦେଖାଇ ଭାଷିଲେ ।

କିଶୋରଚନ୍ଦ୍ର କୃଷ୍ଣଙ୍କୁ ଧ୍ୟାୟିଲେ ।୭।

 

ନବତନବୟସି ପ୍ରତି ।୭୫।

 

କୁଞ୍ଜବନବିହାରୀ । ଭଲଭାବେ ନିଶା ଦେଲ ସାରି ହେ । ପଦ ।

ଦେଖ ହେ ମୋହନ ମୂକୁରେ ଅଳପ ବଦନଚନ୍ଦ୍ର ମାଧୁରୀ

ବିସ୍ତୁତ ଲଳାଟ ଚନ୍ଦ୍ରକ ମୁକୁଟ ଭାଷା ରସେ ରହିଅଛି ପୂରି ହେ ।୧।

 

ଅଛି ତ ବିରାଜି ନଖ ଶିଖରାଜ ଏ କଲା ଶ୍ରୀଅଙ୍ଗେ ହରି ।

ଦେଇଥିବ ଭିଡ଼ି ଇନ୍ଦ୍ରନୀଳଚୂଡ଼ି ଯଥା ଲାଞ୍ଛନ ଦିଶେ କିପରି ହେ ।୨।

ପଡ଼ି ସ୍ମରଜ୍ୱଲ ଭୁଷାରେ ସେ ବର ନାରୀ ଯାଉଥିଲା ସରି ।

ପଡ଼ିଛି ଅଧର ଆହା କି ମଧୁର ଦିଶେ ଶୁଆଖିଆ ବିମ୍ବ ସରି ହେ ।୩।

 

ରାତି ପାହିବାରୁ ବଞ୍ଜୁଳକୁଞ୍ଜରୁ କରି ଦେଉ ସୀମା ପାରି ।

ଘେନିବାକୁ ମନ ଆସିଛ ଯେ ଧନ ସତେ ଆଖି ନାହିଁକି କାହାରି ହେ ।୪।

ସଖୀକି ନିରାଶ ଦେଖି ରାଧା ପାଶ ହଲପିଲେ ମଧୁହାରୀ ।

ଭଣିଲେ କିଶୋରଚନ୍ଦ୍ର ନଟବର ପଦପଙ୍କଜେ ନିତି ଜୁହାରି ହେ ।୫।

 

ହରଷେ ମେଲାଣି ଦିଅ ରାମାମଣି ପ୍ରତି ।୭୬।

 

ଆରେ ମୋ ସୁନ୍ଦର କୁନ୍ଦସହୋଦରଦଶନା ବସ ନା ବିରସରେ । ପଦ ।

କାଟୁଥିବ କର ନିକୁଞ୍ଜମନ୍ଦିର ବସୁନ୍ଧରା ଚିରା ପରାସରେ ।

ରଖ ରଖ ପ୍ରାଣବନ୍ଧୁଆ ମୋ ରାଣ ଖେଳାଅ ତୁ ମନସରସ ରେ ।୧।

 

ବଣା ହୋଇଲିଣି ଏକ୍ଷଣୁଟି ମତେ ଗଣା ହୋଇବାରୁ ବରଷ ରେ ।

ଛଣାସୁଧାସର ପଣାରୁ ମଧୁର ମୃଦୁଳ ବଚନ ପରଶରେ ।୨।

ହେଲା ହେଲା ଧନ ଆଉ ତୁ ବଦନ ନ ମଣ୍ଡ ଶ୍ରୀକର ସାରସରେ ।

ଜୁହାରୁଛି ତୋର ନ ସ୍ଫୂରୁ ଅଧର ସରିଲି ଏଥର ସ୍ମରଶରେ ।୩।

 

ମୋ ବିନୟ ଘେନ ଆରେ ଜୀବଧନ ବିବେକର ଫୁଲ ପରସରେ ।

ରେ ମଧୁରାଧରା ମୁଁ ତୋ ଦାସ ପରା ପରାଣ ନେବାକୁ ନ ରସ ରେ ।୪।

ଘନଶ୍ୟାମଙ୍କର ବିନୟ ଗୀର ରାଧା ନ ଶୁଣିଲେ ଅମର୍ପରେ ।

ପୁଣି ସେ ଘେନାଇଁ ଭାଷିଲେ କିଶୋରଚନ୍ଦ୍ରଚିନ୍ତେ ତାଙ୍କୁ ହରଷରେ ।୫।

 

ଗୀତ ।୭୭।

 

ଆସ ରାସରଙ୍ଗିନୀ ମୋ ଏଣିକି ।

ନାଶ ନ କର ଏ ବେଶ ଠାଣିକି । ପଦ ।

ଫିଙ୍ଗଦିଅ ଥରେ କୃପାଅପାଙ୍ଗରେ ତୋ ଲାଜଲୋକ ଚାହାଣିକି ।୧।

ଆରେ ନବବାଳା ଦୋଷ ମୋର ହେଲା ମାଗୁଛି ପ୍ରସାରି ପାଣିକି ।୨।

 

ଖଞ୍ଜିବି ସୁସମେ ବିଆଳୀକୁସୁମେ ଅଳିନୀଳଫଣାବେଣୀକି ।୩।

ପରଶରେ ଧନ ଶୁଣୁ ଥରେ କାନ ସରସ ମଧୁର ବାଣୀକି ।୪।

ଶ୍ରୀକିଶୋରଚନ୍ଦ୍ର ବୋଲେ ନାଗରୀନ୍ଦ୍ର ଯାଇ କହିଲେ କରୁଣୀକି ।୫।

 

ପ୍ରାଣନାଥ ମୋର ଅନ୍ୟାଥ ପ୍ରତି ।୭୮।

 

ଆଗୋ ପ୍ରାଣସଖୀଗଣ ରାଣ ଅଛି ମୋର ।

ବାମ ଶ୍ୟାମ ନାମ କରି ଦିଅ ଦୂର । ପଦ ।

 

ପାପ ନୀପନିକୁଞ୍ଜକୁ ଅନ୍ତରର

ସହ ଶ୍ୟାମ ପୀରତିକି ମୋ ଜୁହାର ।୧।

ପୋଡ଼ିଯାଉ କି ଲୋଡ଼ା ଏ ଅଳଙ୍କାର ।

ଫିଙ୍ଗିଦିଅ ଇନ୍ଦ୍ରନୀଳମଣି ହାର ।୨।

 

ହେଲେ ହୋଇଥାଉ କେଡ଼େ ମନୋହର ।

ନ ତୋଳିବ ଗୋ ତମାଳ ଇନ୍ଦୀବର ।୩।

ସୁନାପଞ୍ଜରୀମଣ୍ଡନ ସରୀ ଚ୍ଚୀର

ଛାଡ଼ି ଦିଅ ଗୋ ନ କରି କେ ଆଦର ।୪।

 

ପଞ୍ଚପ୍ରାଣରୁ ମମତା କଳି ଦୂର ।

ପାପୀ ପଞ୍ଚଶରକୁ ତ ନାହିଁ ଡର ।୫।

ସେ ଦେବୀଙ୍କି ଶ୍ରୀ କିଶୋର ନିଶାକର

ଧ୍ୟାନେ ହୃଦରେ ରଖିଲେ ନିରନ୍ତର ।୬।

 

ରାଗ ଚକ୍ରକେଳି ।୭୯।

 

ମନଦେଇ ଶୁଣ ଆହେ ନୃପତି ଏଥୁଅନ୍ତରେ ଚଳିବା ସଙ୍ଗତି ।୧।

କହି ସଜନୀମାନଙ୍କୁ ଏପରି ଏହି ବେଶ ହେଲେ ନବ କିଶୋରୀ ।୨।

ନୀଳ ଶାଢୀକି ପାଲଟି ବହନେ ପୀତବାସ ପିନ୍ଧିଲେ ସେ ଯତନେ ।୩।

କେତେବେଳେ ନୟନ ଯିବ ଖେଳି ଭାଳି କାଚେ ଚନ୍ଦନ ଦେଲେ ବୋଳି ।୪।

 

ଘନସାରଚୂର୍ଣ୍ଣ ନୀଳକୁନ୍ତଳେ ପୂର୍ଣ୍ଣ କରି ସେ ବେଗେ ଲିପ୍ତ କଲେ ।୫।

କୋପେ ବିଧୁରା ହୋଇ ନବବାଳୀ ତଳେ ଶୟନ କଲେ ତେଜି ତୁଳି ।୬।

ଏହିକାଳେ ରାଧାଙ୍କ ବିରସରେ ଶ୍ୟାମ ମିଳିଗଲେ ନିଜ କୁଞ୍ଜରେ ।୭।

ଡାକି ନିକୁଞ୍ଜବିଦ୍ୟା ବୃନ୍ଦା ପାଶେ ବିନୟରେ ଭାଷିଲେ ସେ ବିରସେ ।୮।

ବୋଲେ କିଶୋରଚନ୍ଦ୍ର ନଟବର ଶ୍ୟାମ ହେବେ କାମଦୁଃଖେ ଏଥର ।୯।

 

ରାଧା ମଧୁରବାଣୀ ପଦେ କହି ଯା ପ୍ରତି ।୮୦।

 

ସେ ନୀଳକୁନ୍ତଳାକୁ ଦିଅ ସମଳାଇ । କଳାକୁଶଳା । ପଦ ।

କହିଲି ମୁଁ ଧନକୁ            ବହି ସବିନୟକୁ

ନ ଚାହିଁଲା ମନକୁ ସରସେ ରଞ୍ଜାଇ ।୧।

ନିକୁଞ୍ଜ ତଳପରୁ            କୁଞ୍ଜବାସୀ କୋପରୁ

ଲୀଳାକୁ ତେଜି ଗଲା ବଳାକୁ ବଜାଇ ।୨।

 

ଆଳୀଙ୍କି କୋପ ହେଲା            ଗାଳି ଦେଇ ବୋଇଲା

ବୁଝୁଛୁ ଗୋ ଖବର ଏ ବନୁ ମୁଁ ଯାଇ ।୩।

କପଟବେଶ ଧରି            ତୁମ୍ଭେ ବେନି ଚତୁରୀ

ନବୀନ କିଶୋରୀ କି କହିବ ମନ୍ନାଇ ।୪।

 

କିଶୋରଚନ୍ଦ୍ର ବୋଲେ            ବନ୍ଦି ତାଙ୍କ ପାଦତଳେ

ବିଭୁଙ୍କର ଏ କଥା କେବେହେଁ ନ ଯାଇ ।୫।

 

ମୋରେ ନ ବଳା ତୁ ମନ ପ୍ରତି ।୮୧।

 

ଘେନି ହେ ନୃପତିମଣ୍ଡନ କରିଦେବ ଏ ଚରିତ ଦୂରିତ ଖଣ୍ଡନ । ପଦ ।

ଶ୍ୟାମ ବାଣୀ ଶୁଣି କୁଞ୍ଜବିଦ୍ୟା ବୃନ୍ଦା ତୋଷେ ।

ବୋଧି ମୋହନଙ୍କୁ ରଖାଇଲେ ବନଦେଶେ ।୧।

ବିଚିତ୍ର ଚିତ୍ରମୁକୁରପଟ କରେ ଘେନି ।

ମିଳିଲେ ରାଧାଙ୍କ ପରେ ସେ ବେଡ଼ି ସଜନୀ ।୨।

 

ସେ ଗଲାବେଳକୁ ରାଧା ଖାଳି ବସୁଧାରେ ।

ପହୁଡ଼ିଥିଲେ ତ ପୁରେ ମଦନବାଧାରେ ।୩।

ଚାରିପାଶେ ଘେରି ବସିଥିଲେ ସବୁ ସହି ।

କାହାର ହେଲେ ବଦନ ସରସ ତ ନାହିଁ ।୪।

 

ସେ ସମୟେ ମିଳି ପଟ ଦେଖାଇ ଭାଷିଲେ ।

ଶ୍ରୀ କିଶୋରଚନ୍ଦ୍ର ଶ୍ରୀକୃଷ୍ଣଙ୍କୁ ଚିନ୍ତି ବୋଲେ ।୫।

 

ଜଣାଗଲାନି ତୋ ରୀତି ପ୍ରତି ।୮୨।
 

କମନୀୟ କଞ୍ଜବାସୀ ।      ଅମନ୍ଦମଧୁରହାସୀ ।

କୁଞ୍ଚିତକୁନୀଳା ରୁଚିରସ୍ତନା            ସାଚିସରସହୋଦରବ ତନ

ଆଣିଛି ଯମୁନା ନଦୀତଟେ ଯାହା ଥିଲୁ ମତେ ଫରମାସି ।୧।

ଶ୍ୟାମ ହୃଦବ୍ୟୋମ ଶଶାଙ୍କଲେଖା            ବ୍ରଜପୁରମଙ୍ଗଳଦୀନଶିଖା

ଜାଣ ଏହା ନାମ ମାତଙ୍ଗିନୀ ବୋଲି ମୋର ସଙ୍ଗେ ଅଛି ଆସି ।୨।

 

ବକ୍ଷରେ ମାଣିକ୍ୟ ବୀଣା ପକାଇ            କକ୍ଷରେ ତେଜୀ ଧରିଛି ତୋ ପାଇଁ

ସଖ୍ୟ କରିବାକୁ ଆସିଛି ତୋଠାକୁ ସ୍ମିତପୂର୍ବଚାରୁଭାଷୀ ।୩।

ଚାହାଁ ଥରେ ଚିତ୍ରପଟ ସୁଷମ            ପଦେ ପଡ଼ିଛନ୍ତି ଘନଚରନ

ମୁଖ ଦେଇ ମୋଡ଼ି ଅଭିମାନେ ବୁଡ଼ି କି ଭଙ୍ଗୀରେ ଅଛି ବସି ।୪।

ଏ ଗୀରେ ଶ୍ରୀମତୀ ଅତି ବିରଷେ            ବେନିଙ୍କି ଭାଷିଲେ କିମନ ରସେ

ଶ୍ରୀ କିଶୋରଚନ୍ଦ୍ର ଦୁଇ ଦେବୀ ପଦେ ବିକି ହେଲେ ବାରମାସି ।୫।

 

ଖେଳି ଆସୁଛି ସଖୀ ସଙ୍ଗରେ କି ରଙ୍ଗ କରି ପ୍ରତି ।୮୩।

 

ଆସ ଆସ ଏ ପଟକୁ ସେ ପଟକୁ ଫିଙ୍ଗିଦେଇ ।

ପ୍ରିୟ ସହି । ଚାହିଁ ତ ନାହିଁ । ପଦ ।

କି କହିବି ଗୋ ସତେ            ଅଳୀମାନେ ସଙ୍ଗତେ

ବନକୁ ନେଇ ମତେ କରିବା ଦିନକୁ ବାଇ ।୧।

ଶେତ କରି ଅବନୀ            ମୋ ଦଶା କି ହେଲାଣି

ଦେଖୁଛ ତ ଅଇନୁ ମୋ ତନୁକୁ ଦିଏ ଦହି ।୨।

 

ବଳିଯିବାରୁ ବାଧା            ଅଛି କେଁଉ ଶରନି

ଗୋଟି ଗୋଟି ପଡ଼ିଛି ମୋତିମାଳା ଛିଡ଼ି ଯାଇ ।୩।

ବସି ଦିବସ ନିଶି            ପାଉଛି ଦୁଃଖ ଦଶା

କେକୀ ଜଳଦ ଭୃଙ୍ଗ ଦେଲେଣି ମୋ ପ୍ରାଣ ଖାଇ ।୪।

ଦୁହେଁ ଗଲେ ବହନେ            ଶ୍ୟାମଙ୍କୁ ସଖାମାନେ

ଭାଷିଲେ ଏ ବଚନ କିଶୋରଚନ୍ଦ୍ର କହଇ ।୫।

 

ନାହା ରହିଲେ କାହା ସଦନେ ଗୋ ପ୍ରତି ।୮୪।

 

ଆହେ କିଶୋରବର ହୀରାଟି ହେ ।

ଯଶୋଦାନେତ୍ରକେଳି କାରାଟି ହେ ।

ବ୍ରଜଲଳନାକୁଳ            କୁଚକୁମ୍ଭମଣ୍ଡଳ

ମଞ୍ଜୁଳ ନୀଳମଣି ହାରାଟି ହେ । ପଦ ।

 

କାହିଁ ଯାଇଛି ମନ୍ଦହସତ ହେ ।

କହୁଛ ଖରେ ନାସାସ୍ୱସନ ହେ ।

କହ ହେ ନୀଳମୂର୍ତ୍ତି            ରହୁ ନାହିଁ ମୋ ଧୃତି

ନାହିଁ ତ ମୁଖେ ପୂର୍ବ ତୋରାଟି ହେ ।୧।

 

କାହିଁକି ଏ ମୃଦୁଳ ଶ୍ରୀଅଙ୍ଗ ହେ ।

ଦିଶୁଛି ଆହା କେଡ଼େ ବିରଙ୍ଗ ହେ ।

ହୋଇ ଅତି ବିକଳ            ବୁହାଉଛି କେବଳ

ନୟନରୁ ଲୋତକଧାରାଟି ହେ ।୨।

 

ନଳିନଗର୍ଭସ୍ଥ ସ୍ୱନନ୍ଧୟ ଯେ ।

ପରାଏ ସ୍ତିମିଳ ନେତ୍ରଦ୍ୱୟ ଯେ ।

ତେଜି ତୂଳି ସୁପାତି            ଅବଲମ୍ବ ସମ୍ପ୍ରତି

କରିଛ ଘନବନଧରାଟି ହେ ।୩।

 

ସୁବଳ ଗୀରେ ମନମୋହନ ଯେ ।

କହିଲେ ସେ ପ୍ରସଙ୍ଗ ବହନ ଯେ ।

ଜୁଟାଇଲେ କିଶୋର-            ଶଶାଙ୍କ ନିରନ୍ତର

ଗୋବର୍ଦ୍ଧନପର୍ବତଧରାଟି ହେ ।୪।

 

ପଚାର କେ ଆଣିଛ ଏ ଜଗତୀକି ପ୍ରତି ।୮୫।

 

ଆହା କି କହିବି ମିତ ଯାହା କଲା ମହୀଚମ୍ପାମାଳା ହେ । ପଦ ।

ଅଳୀ ତୁଲେ ସେ ନବକାଳୀ            ପାଳିବାକୁ ମୋ ପ୍ରୀତିବଲ୍ଲୀ

ଚାଲି ରଙ୍ଗେ ପଦ ନୀପବନମଧ୍ୟ ମଣ୍ଡପ ମଣ୍ଡିଲା କରି ଲୀଳା ହେ ।୧।

 

ହିଂସଗମନା ଏ ସେ କାଳେ            ଦୋଷ ବହି ବନେ ବୁଲିଲେ

ରସକଲଲତା ହସରସେ କଥା ବିରଚିଲା କେତେ ଫୁଲତୋଳା ହେ ।

ଚାହିଁ ତାହା ଶୋଭାସମ୍ପତ୍ତି            କାହିଁ ହଜିଗଲା ମୋ ଧ୍ରୁତି

ଧାଇଁଯାଇ ଦାସ ପରି ଆସ ଆସ ବୋଲୁଁ ରାସରଙ୍ଗୀ ପଳାଇଲା ହେ ।୩।

 

ଯେତେବେଳୁଁ ସ୍ମର ପଠାଣ            କେତେ ପ୍ରହାରିଳାଣି ବାଣ

ଏତେବେଳଯାଏ ନୟନେ ନାଚୁଛି ତା ନଟଖଞ୍ଜନେତ୍ରଢ଼ଳା ହେ ।

ଜାଣି ସଖାମାନେ ସଧୀରେ            ବାଣୀ ଭାଷିଲେ ସେ ମଧୁରେ

ଭଣିଲେ କିଶୋରଚନ୍ଦ୍ର ନିରନ୍ତର ଆଣି ହୃଦେ ଗିରିବରତୋଳା ହେ ।୫।

 

କେବେ ଆଣିବା ବଇଦେହୀକି ପ୍ରତି ।୮୬।

 

ଆହେ ଶ୍ୟାମ କାହିଁକି ଗଲ ନୀପପଟକୁ । ପଦ ।

ସଜନୀଙ୍କ ସଙ୍ଗରେ            ଆସିଥିବ ରଙ୍ଗରେ

କିଶୋରୀଟି ଯମୁନାତଟକୁ ।୧।

 

ହଜି ନ ଯାଇ ସତେ            ରହିବ ଧୃତି କେତେ

ଚାହିଁଲେ ତା ଲହରୀପଟକୁ ହେ ।୨।

ଆହେ ମନମୋହନ            ଆଉ ନ କର ଧ୍ୟାନ

ତା ନୀଳ ନେତ୍ରଚହଟକୁ ।୩।

 

ହେଲା ତ ହେଲା ରୀତି            ଚାଲ ହେ ଘନଦ୍ୟୁତି

ମଣ୍ଡିବ କିଶଳୟଖଟକୁ ।୪।

କିଶୋରଚନ୍ଦ୍ର ବନ୍ଦେ            ନିରତେ ରଖି ହୃଦେ

ବଂଶୀବଟ ନିକଟ ନଟକୁ ।୫।

ମୁନିବରବାଣୀ ।୮୭।

 

ଶୁଣ ହେ ନୃପତିବର            ଏ ଅନ୍ତେ ଶିଖଣ୍ଡଧର

ସଖାଙ୍କର ମୃଦୁଗୀରେ ବନୁ ବାହାରିଲେ ଖରେ ।୧।

ସୁରବେନିକର ଆଗେ            ଖେଳାଇ ଖେଳାଇ ରଙ୍ଗେ

ବ୍ରଜଦାଣ୍ଡ ମଣ୍ଡିଦେଲେ ଅତି କୁତୁକେ ସକଳେ ।୨।

 

ସେ ଶୋଭାସମ୍ଭାର ଦେଖି            ପୁରସରସିଜମୁଖୀ     

ଲଭୁଥିଲେ ମହାତୋଷ ଏପରି ହେଲେ ପ୍ରବେଶ ।୩।

ଯଶୋବତୀ ଧାଇଁ ଆସି            ଶ୍ୟାମଙ୍କୁ ନେଇ ଆଗାମି

ଭାଷିଲେ ତିଆରି ବାଣୀ ଶ୍ରୀ କିଶୋରଚନ୍ଦ୍ର ଭଣି ।୪।

 

ପ୍ରାଣବାନ୍ଧବୀ କାଲି ମୁଁ ବିଦେଶୀ ହେବି । ପ୍ରତି ।୮୮।

 

କୁଳଚନ୍ଦ୍ରମା ଆଜି ମୁଖେ ନାହିଁ ରମା ।

କହି ମୋ ନେତ୍ରପ୍ରତିମା । ପଦ ।

ଆହା ଏ ତନୁମାଧୁରୀ କାହିଁକି ଦିଶେ ଏପରି ।୧।

କି ନାହିଁ ଆାମ୍ଭ ସଦନେ ଆଉ ନ ଯା ପାପବନେ ।୨।

 

ଜଗାଇବା ପଛେ ଗାଈ କିଛି ବରତନ ଦେଇ ।୩।

ସବୁ ଅଛି ତୁହି ଥିଲେ କେ ପଚାରେ ଧନ ଗଲେ ।୪।

ମଧୁମଙ୍ଗଳ ଭାଷିଲେ କିଶୋରଚନ୍ଦ୍ର ଭଣିଲେ ।୫।

 

ମାଗିଲୁ ଭଲ ମୂଲ ପ୍ରତି ।୮୯।

 

ଶୁଣ ତୋ ଯଶୋବତି ଆଜି ନୀଳମୂରତି ହେଲେ ବଡ଼ ହଇରାଣ । ପଦ।

ବଂଶୀବଟ ତଳେ            ରସିଥିଲୁ ଖେଳେ

ମିଶି ସବୁ ସଖାଗଣ ।୧।

ଗୋଟିଏ କଣ୍ଟକୁରଙ୍ଗୀ            ଆସି ହେଲା ସଙ୍ଗୀ

ହେମରେ ହୋଇଛ ନିର୍ମାଣ ।୨।

 

ତା ପଛେ ଧାଇଁଲେ            ଧରିବାକୁ ଗେଲେ

ଦେଖି ତା ସୌନ୍ଦର୍ଯ୍ୟ ଗୁଣ ।୩।

ଏ ଘେନି ଶ୍ରୀଅଙ୍ଗ            ହୋଇଛି ବିରଙ୍ଗ

ଲାଗି କଣ୍ଟାକ ପାଷାଣ ।୪।

କହିଲେ କିଶୋର-            ନିଶିଥିନୀକର

ଧ୍ୟାୟି ଶ୍ରୀକୃଷ୍ଣ ଚରଣ ।୫।

 

Unknown

ପଥେ ଶବରୀଏ ଚାହିଁ ପ୍ରତି ।୯୦।

 

ଘେନ ଆହେ ନରବର । ନିଜ ମନ କରି ସ୍ଥିର ।

ଶୁଣି ସଖାଙ୍କ ଏ ଭାଷ ।ଯଶୋବତୀ ହେଲେ ତୋଷ ।୧।

ଶ୍ରୀହରି ମଣି ମନ୍ଦିରେ । ରହିଲେ ବିରତ୍ସଭରେ ।

କାହିଁ ନ ବଳେ ଶରଧା ।ଦିଶିଲେ କେବଳ ରାଧା ।୨।

 

ଏକାଳେ ବାଳା ଦୁଃଖରେ । ପହୁଡ଼ିଥିଲେ ତ ପୁରେ ।

ପ୍ରାଙ୍ଗଣ ମଲ୍ଲି ଲତାରେ । ଝଙ୍କାର କଲେ ଭ୍ରମରେ ।୩।

କିଶୋରୀ ପଡ଼ି ଚମକି । ଡାକି ନିଜ ସଜନୀକି ।

ଭାଷିଲେ ବିରସ ବାଣୀ । ଶ୍ରୀ କିଶୋରଚନ୍ଦ୍ର ଭଣି ।୪।

 

ନବଯୁବତୀ । ଦେଖ ଅନ୍ଧାର ରାତି ପ୍ରତି ।୯୧।

 

ଗୋ ସହିମାନେ । ଚାହିଁବି ନାହିଁ ଏ ନୟନେ । ପଦ ।

କାହୁଁ ଏ ଉଡ଼ି ଆସି            ନାନା ସ୍ଥାନରେ ବସି

କରୁଛି ଗୋ ଏ କେଡ଼େ ଝଙ୍କାର      କରି କି ରଙ୍ଗେ ବିହାର

ଭଙ୍ଗ ପାମର, କରଇ ଗୁରୁକମ୍ପକୁ ଜାତ ରେ ।

ମୋ ଧନ, ବାରମ୍ବାର ଅପଘନେ ।୧।

 

ଦେଖ ପ୍ରଫୁଲ୍ଲ ଚୂଳ                  ଆସତ ଅସ୍ୱାଦିତ

କରି ଏପରି ଭଙ୍ଗ ମତ୍ତେ      ଡାଳେ କୋକିଳା ସହିତେ

ଆହା କି ବ୍ୟକ୍ତେ, ବିରହିଣୀ ନାଶେ ମନ୍ତ୍ରରେ ।

ମୋ ଧନ, ଉଚ୍ଚାରଇ ଅନୁକ୍ଷଣେ ।୨।

 

ସୁରାନ୍ୱୟେ ସମ୍ବୁକ                  ପରା ଦକ୍ଷିଣ ତାତ

ଗୁରୁତର ପାପ କର୍ମେ ରତ            କାହିଁକି ହେଲା ସନ୍ତତ

ଏ ମହାଭୂତ, ହରଇ ଯା ଅବଳା ଜୀବିତ ରେ ।

ମୋ ଧନ, ମନ୍ଦ ବୋଲାଏ ଭୁବନେ ।୩।

 

ଶୁଣି ସକଳ ସଖୀ                  ଭାଷିଲେ ହୋଇ ଦୁଃଖୀ

ଜାଣି ରାଧାଙ୍କ ହୁଦ ଭାବ            ମୃଦୁପଦବାଜିବ

କରି ଅଜୀବ; ସୃତି ହେଲେ ଶ୍ରୀ କିଶୋରଚନ୍ଦ୍ର ଯେ ।

ଶ୍ୟାମଘନଙ୍କ ସ୍ୱମନେ ।୪।

 

ନବବୟସି ଶର୍ବରୀ ପାହି ଗଲା ଆସି ପ୍ରତି ।୯୨।

 

ଜୀବନସଙ୍ଗ । ଆରେ ମୋ ନବନୀତଅଙ୍ଗି ।

ନଟବର ଚିତ୍ରପଟ ଯମୁନାକୁ ଦେଲୁ ଫିଙ୍ଗି ।ପଦ ।

ଏ ପୁର ପ୍ରାଙ୍ଗଣମଲ୍ଲି            ମଲ୍ଲୀ ମୂଳ ଦେଲୁ ଟାଳି

ଆଳୀମାନେ ସବୁ ଜମା ହୋଇ ।

ଆଉ କି କରି ପାରିବେ ଏଥର ଭ୍ରମରଭଙ୍ଗୀ ।୧।

 

ଦେଖିବୁ ନାହିଁ ମୋ ଧନ            ବୋଲି ରେ ଖେଳଖଞ୍ଜନ-

ନୟନାଟି ଘନ ଉଦେ ହେଲେ ।

କିପାଇଲୁଁ ଏହିକ୍ଷଣି ମଣିପଞ୍ଜରକୁ ଭାଙ୍ଗି ।୨।

 

ସୁନାପଞ୍ଜୁରୀକାଞ୍ଚନ            କୋକିଳ ସାରିକା ଶୁକ

ଫିଟାଇ ଦେବାକୁ ଗଲେ ବନେ ।

ବିକୁଞ୍ଜବାହୁଡ଼ା ଖେଳୁଁ ନାହିଁ କେକୀ କନକାଙ୍ଗୀ ।୩।

 

ଏପରି ସଜନୀ ବାଣୀ            ଶୁଣି ସେ କିଶୋରୀମଣି

ବିସୋଇଲେ ମାନସରୁ ଦୁଃଖ ।

ସେ ପଦେ କିଶୋରଚନ୍ଦ୍ର ମଜାଇଲେ ଜାଣି ଭଙ୍ଗୀ ।୪।

 

ରାଗ-ଚକ୍ରକେଳି ।୯୩।

 

ଏଥୁଅନ୍ତେ ଶୁଣ ନର୍ପକେଶରୀ । ଚନ୍ଦ୍ରାବଳୀ ଗତ ପ୍ରେମ ସୁମରି ।୧।

ଆଜି ନିଆଳୀକୂଞ୍ଜେ ହସରସେ । ମଣ୍ଡି ଦେବ ଶ୍ୟାମଙ୍କୁ ଫୁଲବେଶେ ।୨।

ଏତେ ଭାଳି କହି ଅତି ହରଷ । କଲା ଫୁଲ ତୋଳିବାକୁ ମାନସ ।୩।

 

ନିଜ ସଜନୀଙ୍କି ଘେନି ସଙ୍ଗରେ । ବାହାରିଲା ବନକୁ ସେ ରଙ୍ଗରେ ।୪।

ଯାଉଁ ଯାଉଁ ସେ ଅଶୋକକାନନ । କଲା ପଥେ ପର୍ଣ୍ଣତଳୁ ଲୋକନ ।୫।

 

ରାଧା ଶୟନ ବିଦ୍ୱୁକୁ ବିଲୋକି । ଚନ୍ଦ୍ରାବଳୀ ପଚାରିଲା ସଖୀକି ।୬।

ସେ ସମୟେ କିଶୋରଚନ୍ଦ୍ର ବନ୍ଦେ । ନନ୍ଦନନ୍ଦନ ଚରଣାରବିନ୍ଦେ ।୭।

 

ଟଭା ଫାଳକୁ ଏତେସରିକେ କଲା ରେ ପ୍ରତି । ।୯୪।

 

ଜଳାଧରା ସରସ ଭାଷ ପ୍ରକାଶ ଗୋ ।

ଯିବା ଚାହାକୁ ଚାହା ଏ କିସ ଗୋ । ପଦ ।

ଅଗୋ ମୋ ପ୍ରିୟ ସହ            ଅସୁନ୍ଦର ଦିଶଇ

ସଜ କଞ୍ଜ ପଲ୍ଲବ ଫରସ ଗୋ ।୧।

 

କି ବହଳେ ଲାଗିଛି            ବାସ ଚହଟୁଅଛି

ଘନସାର ଚନ୍ଦନ ବିଶେଷ ଗୋ ।୨।

ଲୁଚି ଫୁଲହାରା            ଗଳିଛି ଜଳଧାରା

ଜଳିଛି ତଳ୍ପ ଶତ ସାରସ ଗୋ ।୩।

 

ଆହା ଏ ବରତୁଳ            ସୁରମ୍ୟ ମୋତିମାଳ

ଛିଡ଼ି ପଡ଼ିଛି ହୋଇ ବିନାଶ ଗୋ ।୪।

ବଜାଇ ଏହି ଗୀରେ            ସହୀ ଭାଷିଲେ ଧୀରେ

କିଶୋରଗନ୍ଦ୍ର ବୋଲେ ରସ ଗୋ ।୫।

 

ଚାମିକରଗୋରୀ ଏ କାହା ନାଗରୀ ପ୍ରତି ।୯୫।

 

ଘେନରେ ସଜନ ସଜନୀରଜନୀପଲ୍ଲବ ଶେଯଁ ଏ କାହାର ।ପଦ।

ଅରଜିଛି କେହି ଏ ଉତ୍ସବ ମହୀମଣ୍ଡନା ବରଜି ଆହାର ।

ଆସିଛି ଏଥକ ମନ ନାଶିବାକୁ ଶରତାପ ଋତିନାହାର ।୧।

ବାଜି ଅଙ୍ଗତାତି ଭାଜି ହୋଇ ଅତି ପଡ଼ିଅଛି ବନରାହାର ।

ଗଡ଼ିବାରେ ବୁଡ଼ି ସ୍ତନକୁମ୍ଭ ଯୋଡ଼ି ଚିହ୍ନ ହୋଇଅଛି ବାହାର ।୨।

 

ଜାଣି ନାହିଁ ପରା ସେହି ଦିନୁ ଧୀରା ହଂସଳିତୁଳିରେ ବିହାର ।

କରିଛି ରଚିତ ନେତ୍ରେ ଲୁହତିତ ରଜିକି ବିନାଇଁ ଲୁହାର ।୩।

କହିବାରୁ ଆଳୀ ଜାଣି ଚନ୍ଦ୍ରାବଳୀ କଲା ସେ ପ୍ରେମର ଜୁହାର ।

ବୋଲେ ଶ୍ରୀ କିଶୋରଚନ୍ଦ୍ର ନିତି ଚିନ୍ତି ପଦଯୁଗ ଗିତ ବୁହାର ।୪।

 

କପଟେ ଜାଣି ଅସୁରୀ ମନ ପ୍ରତି ।୯୬।

 

ନୃପ ହେ ଶୁଣ ଅନ୍ୟ ପ୍ରସଙ୍ଗ । କରିବ ସକଳ ଦୁରିତ ରଙ୍ଗ ।ପଦ।

ସଜନୀର ବାଣୀ ଶୁଣି ଏପରି । ହର୍ଷେ ପୁରକୁ ଗମିଲା କିଶୋରୀ ।୧।

ରାଧା ଥିବା ପୁର ଭିତ୍ତି ପଛରେ । ଥିଲେ ବସି ସଖୀ ବିରସଭରେ ।୨।

ଏକାଳେ ଚନ୍ଦ୍ରାବଳୀ ବେନି ସଖୀ । ଆସିଲେ ରାଧାଙ୍କ ବିଭବ ଦେଖି ।୩।

 

ଖଣ୍ଡଦୁରୁ ପ୍ରିୟ ସକଳ ଥଳୀ । ଆସ ଆସ ବୋଲି ତାଙ୍କୁ ସଙ୍ଖୁଳି ।୪।

ପଚାରନ୍ତେ ଚନ୍ଦ୍ରାବଳୀ କୁଶଳ । ଭାଷିଲେ ସଜନୀଏ ରଖି ଛଳ ।୫।

କିଶୋରଚନ୍ଦ୍ର ରଶିଲେ ପ୍ରମୋଦେ । ମନ ରଖି ଦାନସୁନ୍ଦର ପଦେ ।୬।

 

ସରୋଜମୁଖୀ ସାରି ଦେଲାରେ ପ୍ରତି ।୯୭।

 

ସରିଗଲୁ ରେ ସକଳ ବାଳା । ନିତି ନିତି ଗୁନ୍ଥି ସୁମନମାଳା ।ପଦ।

ଏଡ଼େ ବଡ଼ ରଜନୀ ଦିନ            ନିଦ ନ ଜାଣିଲା ନୟନ

କରିବାକୁ ନୂଆ ବେଶ ବିଧାନ ଉପବନ ରଚି ଅତସୀ ତୋଳା ।୧।

ରହୁ ନାହିଁ କେଡ଼େ ମଞ୍ଜୁଳେ            ପକାଉଛି ତା ବେଳ ତଳେ

ବୋଲୁଅଛି ନିତି ସାଜି ଦିଅ ଲୋଳେ ଲହସାଖୋଷାକୁ ଘନକୁନ୍ତଳା ।୨।

 

ଅଧିକରେ କହିବୁଁ କିସ            ଆଉ ବା କି ତାର ଫରମାସ

ହୋଇଲାଣି ଏହୁ କର ପରାସ ନିତି ନିତି ମାଜି ବଳାମେଖଳା ।୩।

କି ପଚାର ଆମର ଭଲ            ଏହିପରି ହରୁଛୁଁ କାଳ

କହି ତୁମ୍ଭ ପ୍ରାଣସଖୀ କୁଶଳ କରିଛ କି ନାହିଁ ତୁ-ଲୀଳା ।୪।

 

ଏ ବଚନେ ସଜନୀ ଶ୍ରେଣୀ            ଆଳାପିଲେ ହରଷେ ବାଣୀ

କିଶୋରଚନ୍ଦ୍ର ଏହୁ ରସେ ଋଣି ଶ୍ୟାମ ପଦେ କଲେ ମାନସମେଳା ।୫।

 

ଯାର ମନ ଯହିଁ କି ରସେ ପ୍ରତି ।୯୮।

 

ଆଗୋ ବେନି ମଧୁରାଧରା । ପଣ୍ଡିତାମଣ୍ଡଳୀ ଉଳିହୀରା ।ପଦ।

ଆହା ସତେ କେତେ ବେଦନା । ପାଇଲେ ଗୋ ସବୁ କୁନ୍ଦରାଦନା ।

ବନୁ ଆସି ନାନା ସୁମନା । ସଜାଡ଼ି ସଜାଡ଼ି ମଞ୍ଜୁଳ ହାରା ।୧।

କି ଭଲ ଗୋ କିସ ପଚାର । ଲଭିଲୁଣି ବ୍ୟସ୍ତ ଅପାର ।

ସବୁବେଳେ ଆମ ରାଧାର । ପଦେ ପଡିବାରୁ ଶିଖଣ୍ଡଝରା ।୨।

ପୁରେ ଅଛୁ ଯେତେକ ସଖୀ । ନିତି ତା ଚରଣେ ଅଳତା ଲେଖି ।

ହୋଇଲାଣି ନିରତେ ଦୁଃଖୀ । ଫିଙ୍ଗୁ ନାହିଁ ରାଧା ନୟନଛୁରା ।୩।

ଏହି ରି ହସଖିଅଲେ। ହାରି ବେନି ସଖି ପୁରେ ଫେରିଲେ ।

ଶ୍ରୀ କିଶୋରଚନ୍ଦ୍ର ଭଣଲେ । କରି କୃଷ୍ଣଚନ୍ଦ୍ର ପଦ ଆସରା ।୪।

 

ରାଗ-ରାମକେରି ।୯୯।

 

ଏଥୁଅନ୍ତେ ଶୁଣ କୌତୁକ ନରପତିମଣ୍ଡନ ।

ଏପରି କେତେ ଦିନ ନେଲେ ରାଧା ବହି ଗୁମାନ ।୧।

ଏକାଳେ ମଥୁରାମାଳିନୀ ବେଶ ଧରି ଶ୍ରୀଧର ।

ଫୁଲି ବିକିବାକୁ ବ୍ରଜକୁ ତୋଷେ ହେଲେ ବାହାର ।୨।

 

ଧରି କରେ ନାନା ସୁମନ କରି କରାନ୍ଦ୍ରଗତି ।

ତୃବିତ୍ୟରେ ମଣ୍ଡି ଦେଲେ ସେ ରାଧାପରିଷଦତି ।୩।

ଏ ସମୟେ ନବକିଶୋରୀ ବସି ବିମୁଖମନେ ।

ଫରମସ ଦେଲେ ଆଜ୍ଞାଙ୍କ ବ୍ୟବସାୟ ବିଧାନେ।୪।

 

ମିଳି ଶ୍ରୀମତୀଙ୍କ ପାଶରେ ମାନିବାଳିକାଭାଷେ ।

ଶ୍ରୀକିଶୋରଚନ୍ଦ୍ର ବନ୍ଦିଲେ ତାଙ୍କ ପଦସରସେ ।୫।

 

ଶ୍ରୀରାମନାରୀ ପ୍ରତି ।୧୦୦।

 

ରେ ନବବାଳା । କବିତାକାନନକୋକିଳା ।ପଦ।

କେତେ ଦିନକୁ ଥରେ            ଆସିଲି ବ୍ରଜପୁରେ

କାହିଁ ଗଲେ ତୋ ସଖୀମାଳା ।୧।

ନୟନ ବହେ ଜଳ            ଆହା ତନୁ ମଞ୍ଜୁଳ

ଦିଶେ ଦ୍ୱିତୀୟ ଚନ୍ଦ୍ର ତୁଳାରେ ।୨।

 

ଚନ୍ଦ୍ରାବଳୀ ବେଳେ            ରଖିଲା ଦେଇ ମୂଲ

ମୋ ଫୁଲେ ଯେତେ ଥିଲା କଳାରେ ।୩।

ତୋ ପାଇଁ ଆଣିଥିଲି            କିଣରେ ରସବଲ୍ଲୀ

ଏ ଚମ୍ପା ନାଗେଶ୍ୱର ମାଳାରେ ।୪।

 

ଶୁଣି ରାଧା କହିଲେ            କିଶୋରଚନ୍ଦ୍ର ବୋଲେ

ସେ ଦେବୀ ପଦ କର ବେଳାରେ ।୫।

 

ନୂଆ ଛଇଳ ହେ ପ୍ରତି ।୧୦୧।

 

ମାଳିମହିଳାରେ କି ସୁଖ ଅଛି ଗୋ ଆଉ ।

ମିଶୁ ନାହିଁ ମନ ଏ ଫୁଲମଣ୍ଡନ କି ସୁନ୍ଦର ହେଲେ ହେଉ ।ପଦ।

ଅନଳ ସମାନ ଲାଗିଲାନି ଘନସାରମଳୟତପଙ୍କ

କଞ୍ଜଲତା ହାତେ ଭାଙ୍ଗି ଦେଲି ମଲ୍ଲି କୁଞ୍ଜର ମାଧୁରୀଯାକ ।୧୦।

ରେଖିବାର ଥାଉ ଚାରୁତରୁବଲ୍ଲୀ ଦେଖି ନାହିଁ ଦରପଣ ।

ବୃଥା କଥା ନୋହେ ହେଲାଣି ମତେ ଏ ଅଟ୍ଟାଳିକା କଣ୍ଟାବନ ।୨।

 

ପଞ୍ଚବର୍ଣ୍ଣି ଗଭା କରିବାକୁ ଶୋଭା ଗୁନ୍ଥି ନ ଜାଣେ ଯେ ଚମ୍ପା ।

ସେହି ଚନ୍ଦ୍ରାବଳୀ କିଣିଲାଣି ଯେବେ ଅତଶୀ ମରୁଆ ଗୁମ୍ପା ।୩।

ମିଳଇ ନାହିଁ ତ ସପନରେ ହେଲେ ନୀଳମଣିମୟହାର ।

ନିଚତରେ ଯେତେ ମଣ୍ଡି ହୋଇଲାଣି ପୀରତୀର ସୁକା ହାର ।୪।

ଏ ଗୀରେ ସେ ବାଳୀ କିଛି ତରକିଲା ଭାଷିଲା ବିନୟଭାବେ ।

ରାଜେନ୍ଦ୍ରତନୁଜ ଶ୍ରୀକିଶୋରଚନ୍ଦ୍ର ରାଧାପଦକଞ୍ଜ ସେବେ ।୫।

 

ସତ୍ୟବାଦୀ ଗୋବିନ୍ଦ ରାଧାମୋହନ ପ୍ରତି ।୧୦୨।

 

ରସରଙ୍ଗୀଟି ମୋ ଜୀବନସଙ୍ଗୀଟି ଯୁବାଜନମନକୁରଙ୍ଗୀଟି ।ପଦ।

କିସ ଏ ରସାଳସା            ବିଷ ମଣିଲୁ ଭୁଷା

କିଶଳୟ ଶେଜକୁ ମଣ୍ଡିଛୁ ଦିବା ନିଶା ।

ଦିଶଇ ବେନି ନେତ୍ର ଅନବରତେ କଷା ।

ନାଶ ହୋଇଛ ଭୁରୁରଙ୍ଗଟି ।୧।

 

କାହା ଗୀରେ ପଡ଼ିଲୁ            ଆହା କେଡ଼େ ହୁଡ଼ିଲୁ

ବାହାଦର ମଦନଦାହ ଦୁଃଖ ଲୋଡ଼ିଲୁ ।

ଯାହା ସୁନ୍ଦର ଶ୍ୟାମବନ୍ଧୁଙ୍କୁ ଘଉଡ଼ିଲୁ ।

କୁଞ୍ଜ-କୁଞ୍ଜ-କୁସୁମ-ଭଙ୍ଗୀଟି ।୨।

 

ବହି ଏ ଯଉବନ            ରହିଛୁ କେହି ଘେଡ଼

କହିଲୁ ନାହିଁ ହେଲେ ପଦେ ମୃଦୁବଚନ ।

ଅହିତ ମଣି ସେହି ଶ୍ୟାମଙ୍କୁ ପ୍ରାଣଧନ ।

ସୁର-ବଦୀତରଣ-ଡଙ୍ଗାଟି ।୩।

 

ସେ ମୋହନ ମୁଁ ବୋଲି            ଜାଣରେ ରସବଲ୍ଳୀ

ଧରୁଛି ସଜସରସିଚ୍ଚପଦଯୁଗଳୀ ।

ମରିଛି ତୋର ଗୁଣ ଗୁଣି ଗୋପସଙ୍ଖାଳି ।

ଗୁରୁଜନ କଥା ନ ଭାଙ୍ଗିଟି ।୪।

 

ମାଳିନୀ ଗୀର ଶୂଣି                  ବାଳୀ ଭାଷିଲେ ବାଣୀ

ଝାଳି ସେ ପଦେ ମନ କିଶୋରଚନ୍ଦ୍ର ଋଣି ।

ପାଳିବେ କେହି ପ୍ରୀତି ଚାହୁଁ ନାହାନ୍ତି ପୁଣି ।

ଅଳିକୁଳକୁ ଚଳାପାଙ୍ଗୀଟି ।୫।

 

କାହାପାଇଁ ଫୁଲହାରା ପ୍ରତି ।୧୦୩।

 

ଜଣାଗଲା ଏ ରୀତି ତୋର            ଚଣାଏଣାକ୍ଷୀରେ ଏଥର

ଛଣାସୁଧା ପରି ଆଉ ନ କହ ତୁ ଗୀର ।ପଦ।

ଆସିଲା ବେଳର କେତେ            ଭଙ୍ଗି ବଢାଉଛୁ ମତେ

କାଞ୍ଚନ କି ଲାଞ୍ଚ ଦେଇଅଛି ନଟବର ।୧।

 

କରିବାରୁ ତୋର ସଙ୍ଗ            କହିଲୁ ଏତେ ପ୍ରସଙ୍ଗ

ସରୁତ କେତେ ବୁଦ୍ଧି ଫୁଲବିକୀ ଲଳକାର ।୨।

ମୋ ପାଶେ ନ ରହି ଯା ଯା            ଚନ୍ଦ୍ରାବଳୀକି କହ ଯା     

ମଜ୍ଜି ଯିବ ତା ରସରେ ସେ ରସିକାବର ।୩।

ଶ୍ରୀ କିଶୋରଚନ୍ଦ୍ର କହି            ଶ୍ରୀମୁଖ ଶୁଖାଇ ଦେଇ

କପଟମହିଳା ତହୁଁ ହୋଇଗଲା ଦୁର ।୪।

 

ସଂଗ୍ରାମ ଅତି ପ୍ରତି।୧୦୪।

 

ହେ ନରବର । ଶୁଣ ଏ ଦୁଃଖ ରସସର ହୋ ।ପଦ।

କିଛି ନ ରୁଚିଲା ନୟନେ ନାଚିଲା ଚନ୍ଦ୍ରମୁଖ ରାଧାଙ୍କର ।୧।

ବାଳା ରୀତି ଶ୍ୟାମ ଭାଳୁ ଭାଳୁ କାମଶରେ କଲା ଅରପାତ ।୨।

 

କେତେ ନିବରତି ରହିଲେ ହେଁ ଧୃତି ନ ରଖିଲା ସେ ପାମର ।୩।

କିଶୋରୀ ଛାମୁରେ କାତରା ବେଶରେ କହିବ ବିନୟ ମୋର ।୪।

ଏତେ ଭାଳି ହରି ସେହି ବେଶ ଧରି ପୁରରୁ ହେଲେ ବାହାର ।୫ ।

 

ପହଣ୍ଡେ ପହଣ୍ଡେ ମଣ୍ଡି ବ୍ରଜଦାଣ୍ଡେ ଭାଷି ମୃଦୁମୟ ଗୀର ।୬।

ବନ୍ଦିଲେ କିଶୋରଚନ୍ଦ୍ର ନଟବର ମଞ୍ଜୁଳ କଞ୍ଜପୟର ।୭।

 

ମୋହନ । କି କହିବ ସେ ଘନକଘନୀ ବେଦନା ପ୍ରତି ।୧୦୫।

 

ବେଗରେ ଆସ ଗୋ ବ୍ରଜନଗରନାଗରୀମାନେ ।

ଦେଖି ନ ଥିବ ଏ କାଚ କେବେ ନୟନେ ।ପଦ।

ଆଗୋ କେଳିକଳହଂସୀ            କ୍ରନ୍ଦଲତା ମନ୍ଦହାସ

ଚମ୍ପକଲତା ଲଳିତା ପ୍ରମୋଦମନେ ।୧।

ଆଗୋ ରାଧା ଇନ୍ଦୁରେଖା            କାମକଲା ଗୋ ବିଶାଖା

ପିନ୍ଧାଇ ଦେବି ମୁଁ ଏବେ ଅତି ଯତନେ ।୨।

 

ଆଗୋ ରାଧା ଚନ୍ଦ୍ରାବଳି            ତୁମ୍ଭର ଶରଧା ବୋଲି

ଆଣିଅଛି ଚାରି ଜାତି କାଚ ନୁତନେ ।୩।

ଏପରି ଆସନ୍ତେ ଭାଷି            ଶୁଣି ଚନ୍ଦ୍ରାବଳୀ ଦାସୀ

ଡ଼ାକିଲେ କିଶୋରଚନ୍ଦ୍ର ମଜ୍ଜିଲେ ଧ୍ୟାନେ ।୪।

 

ନାସେ ଗଜମୋତିବର ପ୍ରତି ।୬।

 

ଆଣ ଆଣ ହୋ କାଚରା            ଆମ୍ବ ଚନ୍ଦ୍ରାବଳୀ ରସିକାହୀରା

କାଚରା ହୋ । ଶ୍ରଦ୍ଧାରେ କିଣିବ ପରା ।୧।

ଅଉି କି ଏପରି ସଙ୍ଖା             ଦରିପଟଚୁନ ଚାଇଁ ଝଲକା

କାଚରା ହୋ । ତୋରଠରେ ଥିଲେ ଦେଖା ଦେଖା ।୨।

ଇନ୍ଦ୍ରନୀଳମଣି ଚୁଡ଼ି            ଲୀଳାବତୀ କାଚ ଲହରୀଯୋଡ଼ି

କାଚରା ହୋ । ଆମ୍ଭେ କେତେ ଦିନୁ ଅଛୁଁ ଲୋଡ଼ି ।୩।

ଡାକୁ ଡାକୁ ଯେ ନ ଶୁଣି            ରାଧା ଆଗେ ଯାଇ ଭାଷିଲେ ବାଣୀ

କାଚରା ଯେ । ଶ୍ରୀ କିଶୋରଚନ୍ଦ୍ର ଭଣି ।୪।

 

ଆସ ଆସ ମୋ ଧନରେ ପ୍ରତି ।୧୦୭।

 

ରଖ ରଖ ରସିକା ରେ ଘନକୁନ୍ତଳା

ଡୋ କରକୁ କଳା କାଚ ମାନିବ ପରା ।ପଦ।

ଏ ଅଙ୍ଗକୁ ସଙ୍ଗିନୀ            କୁଶପାଣି ବିନ୍ଧାଣୀ

ଅଜାଡ଼ି ସୁରସ କେତେ ସଜାଡ଼ି ଥିଲା ।୧।

 

ହେଲାରେ ମୋ ଧନ            ସଉତୁଣୀମର୍ଦ୍ଦନ

କଉତୁକେ ପିନ୍ଧାଇବି ହେଲେ କି ହେଳା ।୨।

ମିତ ମନେ ନ ପାଞ୍ଚ            ଲୀଳାବତୀ ଏ କାଚ

ଚିତ୍ତକୁ ପାଇଲା ପର ମୁଲା ଗୋ ମୁଲା ।୩।

 

ରେ ଲଳନାକୁସୁମ            ଦେଖ ଏହା ସୁଷମ

ଚନ୍ଦ୍ରାବଳୀ କେତେରୁପେ ମତେ ମାଗିଲା ।୪।

ପଚାରୁଛି ସହୀକି            ଏହୁ ଚନ୍ଦ୍ରମୁହୀଁକି

ଏସରିକି ସତେ କେତେ ବୟସ ହେଲା ।୫।

 

ଏ ବଚନେ ଶ୍ରୀମତୀ            କହିଲେ ଏ ଭାରତୀ

ଶ୍ରୀ କିଶୋରଚନ୍ଦ୍ର ସେ ବିଭୁଙ୍କ ବନ୍ଦିଲା ।୬।

 

ବସନ୍ତ କାଳେ କାନ୍ତ ଗଲେ କାହିଁ ପ୍ରତି ।୧୦୮।

 

ଦେଖାଅ ଦେଖିବି ମୁଁ ବସନ୍ତ କାଚ କାହିଁ କାହିଁ ।ପଦ।

ମନୋହର ସଜଡ଼ା            ଏ କଳା କାଚ ଯୋଡ଼ା

ଆଉ ଏ ମୋତେ ଲୋଡ଼ା ନାହିଁ ।୧।

ବୟସରେ କି ଅଛି            ବିବାହ କି ପଡ଼ିଛି

ଏପରି ପଚାର ନା ରୁହ ।୨।

 

ବିକି ଆଣିବା ଲୋକ            ବୁଝ କେତେ ମୃକ

ହେଲୁ ତୁ ପରା ସତେ ବାଇ।୩।

ପାଶେ ନ ରହି ଯା ଯା             ଜଣାଗଲା ତୋ ମଜ୍ଜା

କାହୁଁ ଶିଖିଲୁ ଏତେ ଟାହା ।୪।

ଶ୍ୟାମ ଫେରି ସଖାଙ୍କୁ            ଭାଷିଲେ ଏ ଭାଷାକୁ

କିଶୋରଚନ୍ଦ୍ର କୃଷ୍ଣ ଧ୍ୟାୟି ।୫।

 

କି ରଙ୍ଗେ ହୋଇଛି ଠିଆ ପ୍ରତି ।୧୦୯।

 

ମିତ ହେ ବଁତାଅ ମୋତେ ଏ ଜୀବିତହିତ ରାହା ।ପଦ।

ସରିଗଲା କୋର ବଳ            ନିରତେ ବିନ୍ଧ କେବଳ

ଟାଳିଲାଣି ଧୃତିମୂଳ ସେ ଯାମର ରତିନାହା ।୧।

ବିରକ୍ତରେ ଅବିରତେ            ନିବରତିଲେ ମୁଁ କେତେ

ଜାଚିଲା ନୟନପଥେ ଦାହୋର୍ତ୍ତୀର୍ଣ୍ଣପୂର୍ଣ୍ଣଦେହା ।୨।

 

ଆହେ ମୋର ପ୍ରାଣ ପ୍ରିୟେ            କର କିପରି ଉପାୟ

ନୋହିଲେ ହେଲା ଅପାୟ ଦେଖ ଦେଖ ତନୁ ଆହା ।୩।

ଏସରିକି ଥରେ ଆସି            ସେ କାମକଳାବିଳାସୀ

ମୋ ଧନ ହେ ବୋଲି ଭାଷି ନ ହେଲା ତ ଥରେ ସାହା ।୪।

ଏ ବିକଳ ଗୀର ଶୁଣି            ସେ ସଖା ଭାଷିଲେ ବାଣୀ

ଶ୍ରୀ କିଶୋରଚନ୍ଦ୍ର ଭଣି ସ୍ମରି ଗୋବର୍ଦ୍ଧନବୁହା ।୫।

 

ବାଜୁଛି ବ୍ରଜବଜାରେ ତୋ ନା ରେ ପ୍ରତି ।୧୧୦।

 

ଶ୍ୟାମ ହେ ଏହା କାହିଁକି ।ପଦ।

ଧୃତିହୀନ ଜନ ସରି            ନୟନୁ ବୁହାଇ ବାରି

ବିକଳ ନୁହ ଏପରି ପ୍ରବୋଧିଲା ସେ ସହୀକି ।୧।

 

ଘେନ ମୋ ବିନୟଗୀର            ମନୁ ଚିନ୍ତା କର ଦୁର

କି କରିବ ପଞ୍ଚଶର ଉପାୟ ଅଛି କାହିଁକି ।୨।

ବସିଲେ ଶ୍ରୀମୁଖ ପୋତି            ଆସିବ କି ରସବତୀ

ଚାଲି ହେ ଘନମୁରତି ମଣ୍ଡିବ ବନମହୀକି ।୩।

 

ସମ୍ମେଳକୁଶଳମତି            ଦୁତୀକି ହେବା ବିନତି

ରହି ଚାତୁରି,ଭାରତୀ ଆଣିବ ଚନ୍ଦ୍ରମୁହୀଁକି ।୪।

କିଶୋରଚନ୍ଦ୍ର ବନ୍ଦିଲେ            ମାନସ ରଖି ନିଶ୍ଚଳେ

ସେ ବିଭୁ ପଦକମଳେ ଯେହୁ ଦଳିଲେ ଅହିକି ।୫।

 

ରାମଯୁବତୀ ପ୍ରତି ।୧୧୧।

 

ହେ ନରବର ଶୁଣ ଏ ଚରିତସାର ।ପଦ।

ସଖା ଗୀରେ ଘନକାନ୍ତି            ମନରୁ ତେଜି ବିରତି

ବନକୁ ହେଲେ ବାହାର ।୧।

 

ସଙ୍ଗେ ଆସି ନନ୍ଦନାରୀ            ସୁତକୁ ପ୍ରବୋଧ କରି

ଫେରି ଗଲେ ନିଜ ପୁର ।୨।

ପ୍ରବିଷ୍ଟ ହେଲେ ଏ କାଳେ            ସେ ଘନକାନନ ସ୍ଥଳେ

ଦୁଃଖେ ବିରଚି ବିହାର ।୩।

 

ଦେଖି ସେ ଶୋଭାସମ୍ପତ୍ତି            ଘାରି ପକାଇଲା ଧୃତି

ରାଧା ଭାବ ବିଭୁଙ୍କର ।୪।

ଭ୍ରମ ବହି ମହୀତଳେ            ପଡ଼ିଲେ ଅତି ବିକଳେ

କଲେ ସଖା ଉପଚାର ।୫।

 

ଦଣ୍ଡକୁ ଚେତନା ଭଜି            ତାହାଙ୍କ ଭରେ ଆଉଜି

ବସିଲେ ଘନସୁନ୍ଦର ।୬।

ବହିଲା ମନ୍ଦ ପବନ            ପିକ ଆଲାପିଲା ଗାନ

କଲା ଝଙ୍କାରୀ ଝଙ୍କାର ।୭।

 

ଶୁଣି ସେ ମନମୋହନ            ଭାଷିଲେ ଏହୁ ବଚନ

ବିହ୍ୱଳ ହୋଇ କାତର ।୮।

ଶ୍ରୀ କିଶୋରଚନ୍ଦ୍ର ବନ୍ଦେ            ନଟବର ପଦଦ୍ୱନ୍ଦେ

ହୃଦ କଲେ ତତପର ।୯।

 

ରାଗ- ବଙ୍ଗଳାଶ୍ରୀ ।୧୧୨।

 

ଦେଖ ହେ ମିତ ମୋ କଳାକୁଶଳା ଆସୁଛି ହେ ।

ମୋ ନାରେ କି ବୋଲି ପ୍ରିୟସଖିଙ୍କି ଭାଷୁଛି ହେ ।ପଦ।

ଶୁଣିଲା ପରା ମୋ ଦୁଃଖ ନୀଳଘନକେଶୀ ହେ ।

କୁତୂହଳେ ଚାଲି ପଦ ଆଳୀ ତୁଲେ ମିଶି ହେ ।

 

ଖୋଜୁଛି ପ୍ରତି କୁଞ୍ଜେ ବୁଲି ବୁଲି ।

ସଙ୍ଖୋଳିବାକୁ ଯେ ସରସବଲ୍ଲୀ ।

ବଣା ହୋଇ କେଳିକଦମ୍ବ ବାଟ ।

ଲଭି ପାରୁ ନାହିଁ ମୋହର ଭେଟ ।୧।

 

ବାଜୁଛି ମଞ୍ଜ ମଞ୍ଜର ଝୁଣ୍ଟାଅ କି ସ୍ୱରେ ।

କେତେବେଳେ ରହି କେତେବେଳେ ଧୀରେ ଧୀରେ ଯେ ।

ତୁ ମୁ ଅଛ ବୋଲି ମୋ ପାଶେ ରହି ।

ସହୀକି ଦେଖାଉଛି ଚନ୍ଦ୍ରମୁହୀଁ ।

ସେ ଘେନି ନିଆଳୀଲ୍‌ତାଗହଳେ ।

ଆହା ତା ଶ୍ରୀକରପଲ୍ଲବ ଚଳେ ।୨।

 

ମୋ ଅଙ୍କଆସନା ଅଙ୍ଗ ବାସନା କିପରି ହେ ।

ଚହଟି ଯାଉଛି ଏ କାନନଯାକ ପୂରି ହେ ।

ଲାଜବତୀଟା ମୋ ପ୍ରାଣବନ୍ଧୁଆ ।

ମୋ ପାଶେ ନ ଆସି ହୋଇଛି ଠିଆ ।

କଞ୍ଜୁଳଲାଞ୍ଜଆପଟକୁ ଥରେ ।

ଯାଅ ଯାଅ ସବୁ ସଖାଏ ଖରେ ।୩।

 

ଏ ତୀରେ ମଧୁମଙ୍ଗଳ ଦ୍ରବ ଭାବ ବହି ଯେ ।

ଭାଷିଲେ ଶ୍ୟାମଙ୍କ ନେତ୍ରୁଁ ଲୁହ ପୋଛି ଦେଇ ଯେ ।

ଶ୍ରୀ କିଶୋରଚନ୍ଦ୍ର ସେ ବିଭୁପଦେ ।

ଯାହାବି ବୋଇଲେ ଅତି ବିଷାଦେ ।

ବଡ଼ ଯିବେ ପରା ଏକ୍ଷଣି ସତେ ।

ମଦନଶର-ପକ୍ଷ-ବାତଘାତେ ।୪।

 

ଗୀତ- ।୧୧୩।

 

ଘେନ ଘେନ ଆହେ ଘନସୁନ୍ଦର ।

କାଞ୍ଜନବର ନାକୁଳହୃଦ ଖେଳଖିଆଲିଆ ପଞ୍ଚଶର ହେ ।ପଦ।

ନୋହେ କେଳି କଳାବତୀ ବଚନ । କଲେ କୋକିଳ ଆଳାପ ରଚନ ।

ନୁହଇ ଏ ପ୍ରିୟା ମଞ୍ଜିରଝୁଣ୍ଟିଆ କରେ ଝିଙ୍କାରୀ ଝଙ୍କାର ହେ ।୧।

ଅନବରତେ ଚନ୍ଦନମରୂତ । ବନଯାକ ବହି କରେ ବାସିତ ।

ନୋହେ ତା ବାସନା ଚଳୁଛନ୍ତି ସିନା ପଲ୍ଲବ ନୋହେ ତା ନର ହେ ।୨।

 

ବିରହରୁ ଲାଗୁଅଛି ଏ ଭଳି । କି ହୋଇବ ଆଉ ହେଲେ ବାଉଳି ।

ଆସିବା ଉପାୟ କରିବା କୁଞ୍ଜକୁ ସଞ୍ଜକୁ ସେ ବାଳାବର ହେ ।୩।

ଏହିକାଳେ କଳିନ୍ଦଜାକୂଳରେ । ଦୂତୀ ମିଳିଗଲା ଭାଗ୍ୟବଳରେ ।

ଡାକି ନୀଳହାତୀ ଭାଷିଲେ ଭଣିଲେ ଶ୍ରୀକିଶୋରକଳାକର ହେ ।୪।

 

 

ଘନ ଘୋଟି ଆସୁଛି ଦଣ୍ଡେ ରହି ଯା ପ୍ରତି ।୧୧୪।

 

ଲୀଳାନିଧି ରେ ରସିକାରଜା ।

ମଦନ ମାରି ସାରି ଦେଲା ମୋ ମଜ୍ଜ ।ପଦ।

ଦେଖରେ ଦେଖ ଆଳି । ଏ ଧରା ତଳେ ଢଳି । ଗଲାଣ ତନୁ ଜୂଳି ।

କହି ମୋର ଏ ଦୁଃଖ ଆରେ ସମଜା ।୧।

 

ନ ପାରଇ ସମ୍ଭାଳି । ଆଉ ରେ ରସବଲ୍ଲୀ । କୃପାଅପାଙ୍ଗ ଢାଳି ।

ସେ କିଶୋରୀ ଛାମୁକୁ ବେଗେ ତୁ ଯା ଯା ।୨।

ସେହି ଭାବରେ ମତେ । କିଣିଛ ବୋଲି ସତେ । ବଳାଇ ସିନା ଏତେ ।

କହୁଛି ରେ ବନ୍ଧୁଆ କର ତୁ ହେଜା ।୩।

 

ଏହି ନିକୁଞ୍ଜେ ରହି । ଅନାଇଅଛି ମୁହିଁ । ଆସିଲାଯାଏ ତୁହି ।

ଝୁମୁ ଝୁମୁ ବଜାଇ ନୂପୁର ବାଜା ।୪।

କହିବୁ ତାକୁ ଧନ । ରାଧାଲାଗି ମୋହନ । ତେଜି ଦେଲା ଜୀବନ ।

ଏ ନିନ୍ଦା ନ ଅରଜୁ ବୃଷଭାନୁଜା ।୫।

 

ଶୁଣି ଦୂତୀ ସେକାଳେ । ଭୂଷିଲା ଦୁଃଖଲୋଳେ । କିଶୋରଚନ୍ଦ୍ର ବୋଲେ ।

ସରି ଗଲା ଶ୍ୟାମଙ୍କ ଥିବା କଲିଜା ।୬।

 

ସୁନାବଚନା ପ୍ରତି ।୧୧୫।

 

ଶ୍ୟାମବନ୍ଧୁ ହେ, ଲୋଡ଼ି କରିଛ ନିଜେ ବିଷପାନକୁ ।ପଦ।

କହି କେତେ ପର ମନ ଧରି ତାହାର ।

ସହୀ ସହିତରେ ସାଜି ବେଶ ସମ୍ଭାର ।

ପଣ୍ଡିତାମଣି ରାଧା            ଖଣ୍ଡିବ ବୋଲି ବାଧା

ମଣ୍ଡିଥିଲା ଏ କୁଞ୍ଜବନକୁ ।୧।

 

ସଙ୍କେତରୁ ପଙ୍କେରୁ ହେ ନେତ୍ରା ହରଷେ ।

ରଙ୍କ ପରି ହେଉଥିଲା ତୁମ୍ଭରି ରସେ ।

କାହାର ପ୍ରେମେ ମାତି            ପୁହାଇ ଦେଲ ରାତି

ପାଇଲା କେଡ଼େ ସେ କଦନକୁ ।୨।

 

କଲ ଯେ ଏପରି ଭଲ କଥା କି ଏହା ।

କଲବଲ ହେଲା କେତେ କେତକୀଦେହା ।

ଅଲପତ ଲାଞ୍ଛିତ            କଲ ଚୂଳ ଶୋଭିତ

ଅଙ୍କେ ଦେଖାଇ ନଖଚିହ୍ନକୁ ।୩।

 

ଯାଉଛି ମାତ୍ରକ ଥରେ ହେ ଲୀଳାନିଧି ।

ଆଉ ଘେନିବି କି ସତେ କହିଲେ ବୋଧି ।

ଥାଉ ବାକି ତେଣିକି                  ଚାହୁଁ ନାହିଁ ଯେ କେକୀ

ତୁଙ୍ଗ ତମାଳ ନୀଳଘନକୁ ।୪।

 

ସିଲ ହେଲି ବୋଲି ତହୁଁ ବେଗେ ଆସିଲା ।

ପଲ୍ଳବାଧରାକୁ ସବିନୟେ ଭାଷିଲା ।

କିଶୋରଚନ୍ଦ୍ର ବୋଲେ            ରେ ମନ ସଦାକାଳେ

ଭଜ ବିଭୁ ପଦ ନଳିନକୁ ।୫।

 

ରାଗ- ସୌରାଷ୍ଟ୍ର ।୧୧୬।

 

କି ଦେଖିଲି ମା । ସରିଗଲେ ବ୍ରଜକିଶୋରଚନ୍ଦ୍ରମା ।ପଦ।

ଝାଞ୍ଜବଜା ନବ            ତମାଳ ପଲ୍ଲବ

ଚୋର କରିଅଛି ଶ୍ରୀଅଙ୍ଗ ସୁଷମା ।୧।

 

ଆହା କି ବିକଳେ            ଗଡ଼ୁଥିଲେ ତଳେ

ରଖ ରଖ ବୋଲି ବୃଷଭାନୁ ଜେମା ।୨।

କାନ୍ଦି କାନ୍ଦି ମତେ            କହିଲେ ଗୋ ଯେତେ

ଦ୍ରବିଗଲି ସତେ ମୋ ରାଣ ରେ ରାମା ।୩।

 

ଦୀପକୁଞ୍ଜେ ପ୍ରାଣ            ଛାଡ଼ିଦେବେ ଜାଣ

ନିଶ୍ଚେ ସେ ଯଶୋଦାନୟନପ୍ରତିମା ।୪।

ହେଲା ଗୋ ଏଥର            ସେ ରାସରଙ୍କର

ଦୋଷ ଥିଲେ ହେଲେ କରିଦିଅ କ୍ଷମା ।୫।

 

ଶୁଣି ଲଭି ବାଧା            ଜଳପିଲେ ରାଧା

ଶ୍ରୀ କିଶୋରଚନ୍ଦ୍ର ଭାଷେ ସ୍ମରି ଶ୍ୟାମା ।୬।

 

ଚନ୍ଦ୍ରମାମୁହିଁ ଭାଳିବୁ ନାହିଁ ପ୍ରତି ।୧୧୭।

 

ସୁନାବରନା            ପଡ଼ିଲା ଚିହ୍ନା

ନଟବର ଅସଲଟ ଲଗା ନା ।ପଦ।

ଯେବେ ହେଲା ଏଡ଼େ କଦନ            ଲଭିଥିଲା ଯା ପ୍ରେମ ଚିହ୍ନ

ହରୁ ଯାଇ ତାର ସେବାରେ ଦିନ ଘୁଞ୍ଚିବ ସ୍ମର ବେଦନା ।୧।

 

ଗୁହାରି ସେ ଗିରିଧାମକୁ            ଲାଜ ନାହିଁ ଯେଉଁ ଧାରାକୁ

ସେ ଯାଉ ଯମୁନା ବନ ଧରାକୁ ରଙ୍ଗେ କରିବ ତା ସଙ୍ଗ କାମନା ।୨।

ମନେ ପଡ଼ି ଗଲେ ସେ କଥା            ମରମକୁ ଲାଗୁଛି ବ୍ୟଥା

ମୋ ରାଣ ଗୋ ସଖି ଛୁଉଁଛିମଥା କଳିଣି ତ ଜୀବ ଯିବା ଭାବନା ।୩।

 

ଜଟିଳା ଜାଣିଲେ ମରିବି ଭଲେ            ଘଟିଛି ତ ଏହା ପାପକପାଳେ

ହଟିଛି ରାଧିକା ଶିଖଣ୍ଡଚୂଳେ ବୋଲି ହଟହଟା ହାଟ ବସା ନା ।୪।

ଶ୍ରୀ କିଶୋରଚନ୍ଦ୍ର ବୋଇଲେ            ଶ୍ୟାମ ଝୁମି କଦମ୍ବମୂଳେ

କାମନେତ୍ରା ରୂପ ମନେ ଭାଳିଲେ ରଖ ରଖ ବୋଲି ଘନଜଘନା ।୫।

 

ରାଗ- ପୋଇ ।୧୧୮।

 

ଆରେ କାମକେଳିକଳା ବିଳାସକୁଶଳା

      ବାରେ ତ ନ କଲୁ କୃପା କିଛି ।

ମାରେ ମଦୁଆ ମଦନ ପ୍ରତିରାତି ଦିନ

      ରାଧା ରାଧା ବୋଲି ଜିଇଅଛି ।୧।

 

ଯେବେ ଆସନ୍ତୁ ମୋ ପାଶେ ରମଣୀୟ ବେଶେ

      ହସି ମନ୍ଦେ ମନ୍ଦେ ବନ୍ଧୁ ମୋର ।

ଦାସ ପରି ହୋଇ ମିଳି ରାସଭଙ୍ଗୀ ବୋଲି

      ଭାଷନ୍ତି ମୃଦୁ ମଧୁର ଗୀର ।୨।

 

ଆଗ ମାଗନ୍ତି କୋମଳ କଳକଣ୍ଠମଞ୍ଜୁକର

      ବାଣୀ ଥରେ ଶୁଣା ଧନ ।

ଶୁଣି ମୋ ବିନୟବାଣୀ ରେ ଦୟାଳୁମଣି

      କରନ୍ତୁ ବିବିଧ ଆଶ୍ୱାସନ ।୩।

 

ଏହିପରି କରୁ ଧ୍ୟାନ ହେଲେ ଅଚେତନ

      ମନମୋହନ କଦମ୍ବକୁଞ୍ଜେ ।

ସଖାମାନେ ଆଉଜାଇ ଚେତା କଲେ ସେହି

      କାଳେ ଶ୍ରୀ କିଶୋରଚନ୍ଦ୍ର ଭଜେ ।୪।

 

ରାଗ-ସିନ୍ଧୁଡ଼ା ।୧୧୯।

 

ଘେନ ନୃମଣି ଏ ଅନ୍ତେ ତରୁଣୀ ଶୁଣି ଏ ବିରସ ଗୀର ।

ସିଲ ହୋଇ ରାଧାଠାରୁ ଲଭି ବାଧା ବନକୁ ହେଲେ ବାହାର ଗୋ

ଭାଳି ସେ ରୀତି ମନେ । ମିଳିଗଲା କଦମ୍ବକାନନେ ।୧।

 

ଏଥୁଅନ୍ତେ ଲୀଳାନିଧି ପଦବଳା ବାଜଣା ବାଜନ୍ତେ କାନେ ।

ବାସ ଇନ୍ଦୀବର ସୁଷମାସମ୍ଭାର ରଖି ନିଜ ଅପଘନେ ଯେ ।

ଝୁମି କାମଅମଳେ । ଶ୍ୟାମ ନିକଞ୍ଜକୁ ବାହାରିଲେ ।୨।

 

ଦେଖି ସେ ନାରୀକି ବାହୁବଲ୍ଲରୀକି ତୋଳି କୋଳ କଲାପରି ।

ହେବାରୁ ଦୁର୍ବଳ ଭ୍ରମ ବହି ନୀଳମୂରତି ପଡ଼ିଲେ ଢଳି ଯେ ।

ମଧୁମଙ୍ଗଳ ଆସି । ଜଳ ସିରା ବିଞ୍ଚିଲା ଆଶ୍ୱାସ ।୩।

 

ଦଣ୍ଡନ ଉତ୍ତାରୁ ଚେତା ପାର ଭୀରୁମଣିକି ପାଶେ ବସାଇ ।

ନୟନରୁ ନୀର ବୁହାଇ ଶ୍ରୀଧର ଭାଷିଲେ ବିନୟ ବହି ଯେ ।

ନିତି କିଶୋରଚନ୍ଦ୍ର । ସେହି ଧ୍ୟାନେ ହୃଦ କଲେ ସାନ୍ଦ୍ର ।୪।

 

କାହିଁକି ବିମନ ଆଜ ପ୍ରତି ।୧୨୦।

 

ରାଜୀବାନନି ମୋ ଧନି ଆଜି ରାଜି କଲାଟିକି ରେ ।ପଦ।

କହିଲୁ କି ସମଜାଇ            ମୋ ଦୁଃଖଯାକ ମଜ୍ଜଇ

ସେ ରାସରସନଟୀକି ।୧।

ବଜାଇ ମଞ୍ଜୀର ବଳା            ବିଜେ କରିବାକୁ ବାଳା

ଏ ନାଥକୁଞ୍ଜଲଟିକି ।୨।

 

ସେ ପରାଣବନ୍ଧୁଆଟି            ଯିବାକୁ ମୁହିଁ ପାଛୋଟି

ଅର୍ପମାଜେମାତଟିକି ।୩।

ମଦନ ନିଦରୁ ସତେ            ପାରି ହେବାପାଇଁ ମତେ

ଦେବାକୁ ସ୍ତନଘଟିକି ।୪।

ଶୁଣ ସଜନୀ ଭାଷିଲା            କିଶୋରଚନ୍ଦ୍ର ବନ୍ଦିଲା

ସେ ଘନବନଘାଟିକି ।୫।

 

କି ରଙ୍ଗେ ହୋଇଛି ଠିଆ ପ୍ରତି ।୧୨୧।

 

ଧନ ହେ ମନମୋହତ । ଘନ ନୀଳ ନଭତନୁ ।ପଦ।

ମୁଁ ବୋଇଲି ରେ ନବୀନା । ପାଇଲେ କେତେ ବେଦନା ।

ତୋ ଚରଣ ଦାସ ପରା ଯେ କିଶୋର ପିଲାଦିନୁ ।୧।

ମୋ କଥା ଶୁଣି ଛଇଳୀ । ଯେତେରୂପେ ଦେଲା ଗାଳି ।

କାହାର ହେଲେ ସେପରି ବାହାର ହେବ ବଦନୁଁ ।୨।

 

ମତେ ହେ ଆଉ ନ ବୋଲୁ । ମିଳିଲା ମିଳିଲା ଫଳ ।

ମାଇଲେ ମାରୁ ପଛକେ ତୁମ୍ଭଙ୍କୁ ବୀର ଅତନୁ ।୩।

ତେଜ ଏ ଭାଞ୍ଜମହୀକି । ତାହାର ସ୍ନେହ ସହୀକି ।

କହି କହି ଯାଇ ବେଗେ ବୁହାଇ ନୀର ନୟନୁ ।୪।

 

ଦ୍ୱତୀ ଗାରେ କହି ଭ୍ରମ । ସଖାଙ୍କୁ ଭାଷିଲେ ଶ୍ୟାମ ।

ସେ ପ୍ରଭୁଙ୍କୁ ନିତି ଚିନ୍ତେ ରାଜଇନ୍ଦ୍ରଦେବସୁନୁ ।୫।

 

ଦରହାସୀ ପିକଭାଷୀ ପ୍ରତି ।୧୨୨।

 

ଆହେ ପ୍ରିୟ ମିତ୍ର ମୋର ନିଶ୍ଚେ ପ୍ରାଣ ଗଲା ।

ଖଞ୍ଜନାକ୍ଷୀ ଏସରିକି କରୁଣା କିଛି ନ କଲା ।ପଦ।

ମୁଁ ମଲିଟି ବୋଲି ସତେ । ଝୁରିବ ନାହିଁ ସମସ୍ତେ ।

ମାରି ଦେଲା କାମ ହାତେ । ସେ ନବରସରଙ୍ଗିଲା ।୧।

 

ଯମୁନାତଟେ ବଉଳ। କଦମ୍ବ ଚମ୍ପା ତମାଳ ।

ନିଅଳା ବଞ୍ଜୁ ମଞ୍ଜୁଳ । ଧେନୁ ବତ୍ସାଦି ଲାଗିଲା ।୨।

କରିଥିବଟି ଯତନ । ମୋର ତ ରଙ୍କରତନ ।

କଟନ କେକିମଣ୍ଡନ । କେତେ ମତେ ସେବିଥିଲା ।୩।

 

କୁହାଇଦେବ ଏତିକି । ସେ କେଳିକଳାବତୀକି ।

ତେଜୁ ବିରସ ରୀତିକି । କାମନା ତ ପୂର୍ଣ୍ଣ ହେଲା ।୪।

ଏ ଗାର ସଖାଏ ଶୁଣି । ଭାଷିଲେ ବିକଳବାଣୀ ।

ସେ ଶ୍ୟାମଳ ପଦଠାଣ । କିଶୋରଚନ୍ଦ୍ର ବନ୍ଦିଲା ।୫।

 

ନବସୁକୁମାରୀ ନ ଜାଣଇ କିଛି ନୂଆ ବେଭାର ପ୍ରତି ।୧୨୩।

 

ବ୍ରଜଲଳନାକୁଳ ହୃଦୟସ୍ଥଳ ନୀଳରତନ ।

ନ କହ ଏ ବଚନ ହେ ମନମୋହନ ।ପଦ।

ହେଲେ ତୁମ୍ଭେ ଏପରି            ନିଶ୍ଚେ ଯିବୁଟି ମରି

ସକଳେ ଝୁରି ହେ ।

ବିଲୋକ ବାତୁଳ ରୀତି            ରହୁ ନାହିଁ ଆମ୍ଭ ଧୁତି

ହେଲୁଣି ଅଚେତନ ।୧।

 

କରି ବିରୋଧ ଭାବ            ଥିଲେ ଅନେକ ଦେବ

ହେଲେ କି ହେବ ହେ ।

ଦୁଃଖ ସହିବାରୁ ବସି            ରାହୁ କରୁଛିଟି ରସ

ଚନ୍ଦ୍ରରୁ ସୁଧା ପାନ ।୨।

 

ହେ ମଞ୍ଚ ପଞ୍ଚଶର            କେ ଭଲ କେ ଅସାର

ଥିବ ଗୋଚର ହେ ।

ଅବିର ହୋଇଲେ ସିନା            ଲଭିବ ଘନଜଘନା

ଅଧର ଚୁମ୍ବଦାନ ।୩।

 

ଧନ ହେ ଘେନି ଚିତ୍ତେ            ଅଛି ଏଥିକି ଏତେ

ଉପାୟି ସତେ ହେ ।

ବହି କଳାକେଳି କେଶ            କହ ମୃଦୁମୟ ଭାଷ

ଯାଇ ରାଧା ସଦନ ।୪।

 

ରୋଧିବାରୁ ବିକଳେ            ଘନଶ୍ୟାମ ସେକାଳେ

କେତେ ଝୁରିଲେ ହେ ।

ଶ୍ରୀ କିଶୋରଚନ୍ଦ୍ର ବନ୍ଦେ            ସେ ବିଭୁଙ୍କ ପଦଦ୍ୱନ୍ଦେ

ବଳାଇ ନିଜ ମନ ।୫।

 

ରାଗ-ସିନ୍ଧୁଡ଼ା ।୧୨୪।

 

ଶୁଣ ହେ ନରେଶ ପ୍ରାୟ ମିତ୍ର ଭାଷ ଶ୍ରବଣେ ଘନସୁନ୍ଦର ।

କଳାକେଳି ବେଶ ହେବାକୁ ତଭସ କାନନ ହେଲେ ବାହାର ଯେ

ମଣ୍ଡି ନନ୍ଦ ସଦନ । ବାଛି ରଖିଲେ ମଣ୍ଡିମଣ୍ଡନ ।୧।

 

ଆଣିଥିଲେ ତୋଳି ବିଚ୍ଚ ଲିଳାକେଳି କକମ୍ବକଳିଯୁଗଳି ।

ରାଗକାଭିତରେ ଖଞ୍ଜି ବୁଞ୍ଜିବାରେ ସ୍ତନ ଶୋଭ ଗଲା ବଳି ଯେ ।

ପଟ ଯତନେ ଭାଙ୍ଗି । ଅଳଙ୍କାରଯାକ ହେଲେ ଲାଗି ।୨।

 

କାସିଆର କରିବୁଟାଦାର ବାରିବାହନୀଳ ଶାଢ଼ୀ ପିନ୍ଧି ।

ଅନ୍ଧ୍ରଦେଶ ନାରୀ ସଜାଡ଼ିଲା ପରି ନିବିଡ଼େ ନୀଳିକି ବାନ୍ଧି ଯେ ।

ଅତି ମନ୍ଦମନ୍ଦରେ । ବିଳସିଲେ ରାଧାଙ୍କ ମନ୍ଦିରେ ।୩।

 

ପାନ ଭାଙ୍ଗି ଦେଇ ବେନି ପାଶେ ସହୀ ହସୀ ହରିଣୀ ଅଛନ୍ତି ।

ଦେଖୁଥିଲେ ରହି କାହା ନାରୀ ଏହି ବୋଲି ବ୍ରଜବାଳାତତି ଯେ ।

ତାଙ୍କ ନୟନ ଢଳା । କଲା ପରି ଖଞ୍ଜରୀଟ ଖେଳା ।୪।

 

ଏହି କାଳେ ରାଧା ସଜନୀଏ ବାଧା ବଶରୁ ନ ସରେ ଦିନ ।

ନବଳଳନାର ରକ୍ଷା ସମାଚାର ବିଧାନରେ ଦେଇ ମନ ଯେ ।

ବସିଥିଲ ସକଳେ । କଳାକେଳି ମିଳିଲେ ଏକାଳେ ।୫।

 

ଦେଖି ଦେବାକ୍ଷଣି ଭାଷିଲେ ତରୁଣୀମାନେ ଚମତ୍କାର ବହି ।

ଶ୍ରୀକିଶୋରଚନ୍ଦ୍ର ବୋଇଲେ କରୀନ୍ଦ୍ରଗମନାଙ୍କ ବଶପାଇଁ ଯେ ।

କଲେ ହେଲେ କପଟ । ଆଉ ଦେଖିବେ କି ଫୁଟଖଟ ।୬।

 

ଟଭାଫାଳକୁ ଏତେ ସରି କେ କଲା ରେ ପ୍ରତି ।୧୨୫।

 

ଆସ ଆସ ମୋ ତବକାଶହସନା ଗୋ ।

ଭାଷ କାହାର ନାରୀ ଲାଜେ ରସ ନା ଗୋ ।ପଦ।

କିସ ତୋହର ନାମ            କାହା କୁଳେ ଜନମ

କିସ ତୋହର ନିଜ ଦେଶ ନା ଗୋ ।୧।

 

ଯତି ଧୃତି ନାଶୁଛୁ            ରତି ପରି ଦିଶୁଛି

ମତି ମୋହୁଛି ଅଙ୍ଗ ବାସନା ଗୋ ।୨।

କୁତୂହଳ ରଙ୍ଗରେ            ଆଣିଅଛୁ ସଙ୍ଗରେ

ବେନି ସୁନ୍ଦର କୁନ୍ଦଦଶଦନା ଗୋ ।୩।

 

କରିଅଛୁ ଯତନ            କଟୀଦେଶେ ନୂତନ

ମଞ୍ଜୁଳ ମଣିମୟ ରସନା ଗୋ ।୪।

ଏ ଗୀରେ ସେ କହିଲେ            କିଶୋରଚନ୍ଦ୍ର ବୋଲେ

ସେ କପଟ ମହିଳା ଦେଶ ନା ଗୋ ।୫।

 

ରାଗ- ପୁନାଗ ।୧୨୬।

 

ଶୁଣ ପ୍ରିୟ ଅଳି ଜାଣ ମୁଁ ଯାହାର ବାଳୀ ଗୋ ।ପଦ।

ଆସୁ ଚିତ୍ତକୁ ମୋ ଶାଶୁ ନାମ ବିଦ୍ୟାବଳି ।

କାଶିରେ ଜନମ            ଲଭିଛି ମୋ ନାମ

ଅଭିନବ କଳାକେଳି ।୧।

 

ବାଧା ନ ବିଚାରି ରାଧା ସ୍ନେହରସ ଭାଳି ।

ଦାସୀ ହେବେ ବେନି            ଏ ହଂସୀ ହିରଣୀ

ଆସିଲେ ମତେ କଟାଳି ରେ ।୨।

 

କାହିଁ ମା କାହିଁ ଅଛି ସେ ମହୀଚମ୍ପାମାଳି ।

ଲାଭ ଲାଗ ହେଲେ            ରଙ୍କ ପର ଗେଲେ

ଆଗ ମୁଁ ଦେବି ପୋଟାଳି ରେ ।୩।

 

ଲଳନା ଏ ଗୀର ଫଳିତାର୍ଥ ଅବକଳି ।

ଧରି ସଙ୍ଗେ ନେଲେ            ଶ୍ରୀ କିଶୋରଚନ୍ଦ୍ର

ହରି ପଦେ ଗଲେ ଝଳି ।୪।

 

ରେ ଇନ୍ଦ୍ରଐର ପ୍ରତି ।୧୨୭।

 

ହେ ନରବର ଘେନ ଏ ଚରିତ ସୁଧାସହୋଦର ।ପଦ।

ଲଳିତାଦି ଅତି ପ୍ରମୋଦରେ । ପରବେଶ ହେଲେ ରାଧାପୁରତରେ ।୧।

ଦେଖି ଦେବାକ୍ଷଣି ବାଳା ଭୟେ । ସଂଶୟରେ ନିମଜ୍ଜିଲେ ଦଣ୍ଡେଯାଏ ।୨।

କଳାକେଳି ଅତି ତୋଷ ବହି । ଆଗ କିଶୋରୀଙ୍କି ସବୁ ଦେଲେ କହି ।୩।

ଏପର କୁତୁକ ରସ ଶେଷେ । ତାଙ୍କୁ ଲଳିତ୍ୱା ଭାଷିଲେ ପରିହାସେ ।୪।

ଶ୍ରୀକିଶୋରଚନ୍ଦ୍ର ନିରତରେ । କଲାକେଳିଙ୍କ ପଙ୍କଜପଦସ୍ମରେ ।୫।

 

ସାରଳା । ମୋ କଣ୍ଠେ ବସି କର ଖେଳା ରେ ପ୍ରତି ।୧୨୮।

 

ଯମୁନା । ଖଞ୍ଜନଗଞ୍ଜନନୟନା ରେ ।ପଦ।

କେତେ ଭଙ୍ଗିଜାଣୁ            କଥା ରସେ କିଣୁ

ଭଲା ତୋ ଭଙ୍ଗି ପ୍ରାଣଘେନା ରେ ।୧।

 

ପଚାରୁଛୁ ତୋତେ            ହେଲୁଣି କି ସତେ

ରସିକ ଅଳରଙ୍କମନା ।୨।

ରେ ଚତୁରୀବର            ଆଜ ତୋର ମୋର

ବନ୍ଧାଇବା କି ଅଭିନ୍ନାରେ ।୩।

 

କାହିଁ କାହିଁ ଧନ            ଦେଖିବା ତୋ ସ୍ତନ

କରୁଛି ଟଭା ଶୋଭା ଚୂନାରେ ।୪।

ଅରେ ମୋ ଛଇଳା            ଝିଙ୍କିବି କାଞ୍ଚୁଲା

ମୋ ରାଣ କର ନା ତୁ ମନା ରେ ।୫।

 

କିଶୋରଚନ୍ଦ୍ର ସେ            କାଳେ ଭଣେ ଭାଷେ

ପଟବର ପଡ଼ିଲେ ଚିହ୍ନା ।୬।

 

ରଙ୍ଗରାଜୀବମୁଖୀ ପ୍ରତି ।୧୨୯।

 

କଳାକେଶି ରେ ବାଳାମଉଳିରଜା

      ଚଳାପାଙ୍ଗେ ମତେ ଥରେ ମାରି ଯା ।

ଶମ୍ପାବରନା ମୋ ଜମ୍ପାଇ ଶ୍ରୀମୁଖ

      ଚମ୍ପାବତୀ ମୋର ଦୁଃଖ ହରି ଯା ।ପଦ।

 

ତୋରପାଇଁ ସିନା ଛଇଳି            କଳାକେଳି ବେଶ ଧଇଲି

ଆସ ଆସ ବନ୍ଧୁ ଦାସ ସିନା ନିଧୁବନରସେ ମନ ତୋଷେ ପୁର ଯା ।

ତେଜ ତେଜ ମନୁ ଗୁମାନ            ଲାଜ ଆଉ କାହାକୁ ଧନ

ପୀୟୂଷ ସଦୃଶୀ ବାଣୀ ପରକାଶି ଶଶିହାସ ଚିଲ୍ଲବଲ୍ଲୀ ଠାର ଯା ।୨।

 

ରାଜି କର ବନନାଗରୀ            ପଜି କାମ ପଳାଉ ହାରି

ତୁନି ହୋଇ ମନିମୋହନା କି ଘେନି ଭାବୁ ଏହି ଦାସେ କୃପା କରିଯା ।

ଶ୍ୟାମ ବାଣୀ ମଣି ବିମୁଖ            ରାଧା ପୋତିଦେଲେ ଶ୍ରୀମୁଖ

ଶ୍ରୀକିଶୋରଚନ୍ଦ୍ର ବୋଇଲେ ପାରନ୍ଦ୍ରମଧ୍ୟା ଦ୍ରବନ୍ତେ ସେ ତ ଗିରଜା ।୪।

 

ଗୀତ ।୧୩୦।

 

ଶୁଣ ହେ ଏ ଅନ୍ତେ ନରେଶ । ମୋହନ ଲଭିଲେ ବିରସ ।୧।

ସେଠାରୁ ଯାଉ ଯାଉ ଧୀରେ । ଭାବିଲେ ଏମନ୍ତ ଚିତ୍ତରେ ।୨।

ଚିଟାଉ ଗୋଟିଏ ଲେଖିବି । ମୋ ପୋଷା ସାରି କଣ୍ଠେ ଦେବି ।୩।

ଲେଖି କେତକୀବଳୋଦରେ । ଦେଲେ ସେ ସାବିକି ସତ୍ୱରେ ।୪।

ସେ ଆସି ରାଧା ବିଜେସ୍ଥଳେ । ପକାଇଦେଲା ସେ ଚପଳେ ।୫।

ଏ କିସ ବୋଲି ଜଣେ ଯାଇ । ଆଣିଲା ଚିଟାଉ ଗୋଟାଇ ।୬।

ଏମନ୍ତେ ପଢ଼ିଲା ଫିଟାଇ । କିଶୋରଚନ୍ଦ୍ର କୃଷ୍ଣ ଧ୍ୟାୟୀ ।୭।

 

ରାଗ- ଖେମଣ୍ଟା ।୧୩୧।

 

କଳାବତି ମାଳା ମୋର । ଚଳାଚଳନୀଳଲୋଳଅପାଙ୍ଗୀ ରେ ।

ନୂଆ ନିଅଳ । ଛାମୁକୁ ଜଣାଣ ତୋର ।୧।

ପୀନପୟୋଧରୀବର । ମୀନକେତନର କୁସୁମଶର ରେ ।

ନୂଆ ନୀଆଳି । କ୍ଷୀଣ କଲା ତନୁ ମୋର ।୨।

 

ସୁଧାକର କର ହାସ । ରାଧା ରାଧା ବୋଲି ଯାଉଛି ଭାସିରେ ।

ନୂଆ ନୀଆଳି । ବାଧାଭରେ କୁଞ୍ଜେ ବସି ।୩।

ଧଇଲି ବେଶ କପଟେ । ଛୁଚଳି ତୋ କଥା ଶୁଣିବାପାଇଁ ରେ ।

ନୂଆ ନୀଆଳି । ଚାହିଁଲୁ ନାହି ମୋ ପଟେ ।୪।

 

ଶରଣବତ୍ସଳା ମୋର । ଚରଣେ ଅଳକା ଆଉ କେ ଦେବ ରେ

ନୂଆ ନୀଆଳି । ମରଣ ହେଲେ ମୋହର ।୫।

ହେଲା ହେଲା ପ୍ରାଣମିତ । ପିଲା ପରି ଆଉ ଗେହ୍ଲା ନ କର ରେ ।

ନୂଆ ନୀଆଳି । ଖୁଲାସ କର ତୋ ଚିତ୍ତ ।୬।

 

ସୁଆଦଅଧରାଭୂଷ । ନୂଆ ନୂଆ କରି କେ ସାଜି ଦେବ ରେ ।

ନୂଆ ନୀଆଳି । ତୋ ଆଲବେଲିଆ ଖୋଷା ।୭।

ତେଜ ତେଜ ମନୁ ରୋଷ । କି ଜଣା କରିବି କ୍ଷମା କରିବୁ ରେ ।

ନୂଆ ନୀଆଳି । ଏ ଜଣାଣେ ଥିବା ଦୋଷ ।୮।

 

କେକିପିଚ୍ଛକେଶା ଶୁଣି । ଏ କିସମା ବୋଲି ଭାଷିଲା ବାଣୀ ।

ସେ ନୂଆ ନୀଆଳି । ଶ୍ରୀ କିଶୋରଚନ୍ଦ୍ର ଭଣି ।୯।

 

କେଳିରସରସିକାବର ପ୍ରତି ।୧୩୨।

 

ଆଗୋ କୁନ୍ଦ ଲଲିତେ            ମଲା ଉତ୍ତାରୁ ମତେ

ଲାଟସାର କରୁଛ କାହିଁକି ଗୋ ।ପଦ।

 

ଆଉ କି ଲୋଡ଼ା ବୋଲି            ମନୁ ବରଜି ଦେଲି

ଚନ୍ଦନ ଫୁଲ ପାନ ଚାହିକିଁ ଗୋ ।

କରିଅଛି ଜୀବିକା            ନିଶି ଦିବସେ ଏକା

ଖାଲି ଧୂଳି ଧୂସର ମହୀକି ଗୋ ।୧।

 

ନ ଦେଖୁ ବୋଲି ଆଖି            ଭାଙ୍ଗି ତମାଳ କେକୀ

ମଞ୍ଜୁଳ ନୀଳ ଘନଛାଇକି ।

ଲେସାଇ ଦେଲି ପରା            ତୁମ୍ଭ ହାତେ ଏ ହୀରା

କଞ୍ଜୁପଞ୍ଜର ମନେ ନାହିଁ କି ଗୋ ।୨।

 

ବୋଲୁଛ ଯେ ସକଳେ            ଚାରୁ କୁଚମଣ୍ଡଳେ

ମଣ୍ଡନ କର କଳା ଅହିକି ରେ ।

ପାତର ହେବି ସିନା            ବ୍ରଜପୁର ଲଳନା

ଜାତିର ଉଡ଼ାହସା ଟାହିକି ଗୋ ।୩।

 

ଏ ଗାର ସର୍ବେ ଶୁଣି            ଭାଷିଲେ ବୋଧ ବାଣୀ

ସାରାମଣ୍ଡଳଗୁଣଗ୍ରାହିକ ଗୋ ।

ଲଜେ କିଶୋରଚନ୍ଦ୍ର            ଛଦ୍ମ ନାଶରୀ ପଦ-

ପଦ୍ମକୁ କର ବୋଲି ତାହିକି ।୪।

 

ମୁଁ ନାରୀ ନୂଆରଜା ରେ ପ୍ରତି ।୧୩୩।

 

କାହାକୁ ଥିଲା ଏହା ଜଣା ରେ । କେଳିପ୍ରବୀଣା ।ପଦ।

ଥିଲ ସର୍ବେ ବସି            ମିଳିଗଲା ଆସି

ମଣ୍ଡି ହୋଇ ଦଣ୍ଡି ଗୁଣା ରେ ।୧।

ମାରି ନୟନାନ୍ତେ            କହିଲା ସେ ଯେବେ

ସେ କି ଛଣା ସୁଧାପଣା ରେ ।୨।

 

ମନ୍ଦେ ମନ୍ଦେ ହସି            ବୋଇଲା ସୁକେଶୀ

ତୁମ୍ଭ ରାଧାର ମୁଁ କିଣା ରେ ।୩।

ତାହା ସତ ମିଶି            ତେଟାଇଲୁ ଆଣି

ନ କରି ତା ବିଚାରଣା ରେ ।୪।

 

ନାରୀ ବେଶ ଧରି            ଆସିଲା କିପରି

ଯମୁନା ବାଟମାରଣା ରେ ।୫।

ସଖାଙ୍କ ଶ୍ରୀଧର            ଭାଷିଲେ କିଶୋର-

ଚନ୍ଦ୍ର ବୋଲେ ହେଲା ଊଣା ରେ ।୬।

 

ଯାହା କହିଲ ଡରି ପ୍ରତି ।୧୩୪।

 

ଯାହା କହିଲ ହିତେ । ସଙ୍ଗିମାନେ ତୁମ୍ଭେ ଯେତେ ହେ ।ପଦ।

ବନରୁ ବହନେ ଯାଇ            କଳାକେଳି ବେଶ ହୋଇ

ମିଳିଲି ହରଷ ବହି ସଖୀଙ୍କ ପୁରତେ ।୧।

ପରିଚୟ ହେଲି ତହିଁ            ରସ ପ୍ରସଙ୍ଗ ପକାଇ

ରାଧା ପାଶେ ନେଲେ ସହୀ ନାରୀ ବୋଲି ମତେ ।୨।

 

ଦେଖି ସେ କିଶୋରୀକର            କଲା ଅନେକ ଆଦର

ସଙ୍ଖୁଳିଲା ଶହେ ଥର ଜିତକୁନ୍ଦସ୍ମିତେ ।୩।

ଏ ସମୟେ କୁନ୍ଦକଳୀ            ଝିଙ୍କିଲା କୁଚକାଞ୍ଚୋଲୀ

ଝଡ଼ିଲା କଦମ୍ବକଳି ମାତି ସେ ଇଙ୍ଗିତେ ।୪।

 

ଦେଖି ଏ କପଟ ରୀତି            ବନ୍ଧୁ ଦେଲା ମଥା ପୋତି

କହିଲି କେତେ ବିନତି ନ ଘେନିଲା ଚିତ୍ତେ ।୫।

ସଖାଏ ଭାଷିଲା ଶୁଣି            ଶ୍ରୀ କିଶୋରଚନ୍ଦ୍ର ଭଣି

ଥିଲା ହେ ମୁରିଲୀପାଣି କରମରେ ଏତେ ।୬।

 

ଯାର ସ୍ନେହ ପରିତ୍ରାଣ ପ୍ରତି ।୧୩୫।

 

ଉଠ ନବଘନ ଶ୍ୟାମ । ମଠ ହେଲେ ନୋହେ କାମ ହେ ।ପଦ।

ରାସରସିକ ହେ ଧଇଲେ କି ହେବ ଦାସବତ୍ସଲାର ନାମ ।

ତା ସଖାଙ୍କ କତି ବଜେ କର ରାତି ହୋଇଥିବ ଦୁଇ ଯାମ ହେ ।୧।

ଶୁଣ ଆମ୍ଭ କଥା ବିଶାଖା ଲଳିତା ଗୁଣବତୀଙ୍କ ଲଲାମ ।

ତେଜି ଏ ଗୁହାରି ଭଙ୍ଗ ଦେବେ କରି ମୁନିମୋହନା ଗୁମାନ ।୨।

 

ହେ ଝଦମୁରଦି ମାନ ଦିଶେ ଅତି ଆହା ଏ ସୁନ୍ଦରଧାମ ହେ ।

ତର୍କବଲେ ନିବି ମଣ୍ଡି କୁଞ୍ଜକ୍ଷିତି ପଲ୍ଲବେ ନ ଯାଅ ଝାମ ହେ ।୩।

ବୋଧୁଁ ଏହିଭଳି ରାଧା ରୀତି ଭାଳି ମଧୁମଙ୍ଗଳ ସୁଦାମ ହେ ।

ବୋଲେ ଶ୍ରୀ କିଶୋରଚନ୍ଦ୍ର ଭଲ ନୋହେ କଲେ ଏ ସ୍ଥଳେ ବିଶ୍ରାମ ହେ ।

 

ଆହା ରେ ଜାନକି ଦେଲୁ ମଥାମଣି ପ୍ରତି ।୧୩୬।

 

ଶୁଣ ନୃପ କଉତୁକ ଏଥୁଅନ୍ତରେ ।ପଦ।

ଅତ୍ୟନ୍ତ ହୋଇ ଛନ୍ନ            ସଜକଞ୍ଜଲୋଚନ

ବାହାରିଲେ ବୃନ୍ଦାବନୁ କଷ୍ଟ କଷ୍ଟରେ ।୧।

ରୁଚିଲା ନାହିଁ ପୁର            ନାଚିଲା ନିରନ୍ତର

ପାଚିଲା ରୁଚକସ୍ତନା ନେତ୍ରପଥରେ ।୨।

 

କଦଚ ନ ସମ୍ଭାଳି            କହିବି ବୋଲି ଭାଳି

ମନ୍ଦେ ଗମିଲେ ରାଧାଙ୍କ ସଖୀ ପାଶରେ।୩।

ଏକାଳେ ସଜନୀ ଏ            ଯେ ଯାହାର ନିଳୟେ ।

କେ ଗୋଳେ ଚନ୍ଦନ       ଘନସାର କେ ଚୂରେ ।୪।

 

କେ ଗୁନ୍ଥେ ମଲ୍ଲିମାଳା*            ବସିଛି କେଉଁ ବାଳା

କେ ପକ୍ୱ ତାମ୍ବୁଳ ରଖେ ଅତି ଯତ୍ନରେ ।୫।

ଶ୍ୟାମ ହୋଇ ପ୍ରବେଶ            ଆଗ ଭାଷିଲେ ଭାଷ

ପଛେ ସହଚରୀମାନେ ଏକ ଗୀତରେ ।୬।

 

କିଶୋରଚନ୍ଦ୍ର ବୋଲେ            ବିଭୁ ହେ କହି ଭଲେ

ସକଳ ହୁଅଇ ଅଳୀଙ୍କର ହାତରେ ।୭।

 

ପୀରତିହୀରା ନ କର ଚୋରି ପ୍ରତି ।୧୩୭।

 

ରେ ବନ୍ଧୁଆ । ଏଥର ଗଲିଟି ସରି ରେ ।

ମଦୂଆ ମଦନ ଦେଲାଟି ମାରି ।ପଦ।

ବିରହକେଶାରେ ବିରହ ଦଶାରେ ଦରହଣା କର ପରି ।

ନୀପକୁଞ୍ଜେ ଢଳି            ଗଲିଣି ମୁଁ ଲୋଳି

କିପରି ରେ ହେଲେ ରଖ ଉଦ୍ଧାର ହେ ।୧।

 

ହେ ମୋହନ ! ଛାଡ଼ ଛାଡ଼ ଏ ଚାତୁରୀ ।

କୁନ୍ଦରଦନାଙ୍କ ହୃଦକତୁରୀ ହେ ।ପଦ।

ଆହା ଧନ ମୋର            ବେଗେ ବିଜେ କର

ଯାହା ରସେ ହେଲ ଘାରି

କହିଲେ ତା ଆଗେ            ଘେନିବ ସରାଗେ

ବହିବ କରୁଣା ଅରୁଣାଧରୀ ହେ । ମୋହନ ।୨।

 

ହେବି ମୁଁ କାହାର            କଲେ ଅନାଦର

ଏ ବିନୟ ନ ବିଚାରି ।

ଜୀବ ଯିବ ସିନା            ରାଜୀବସୁମଁନା

ସୁବାସିନନୀ ନାମ ବିରତେ ଧରି ରେ । ବନ୍ଧୁଆ ।୩।

 

ସଙ୍କେତୁ ସେ ଦିନ            ବାହୁଡ଼ି ଚନ୍ଦନ

ପଙ୍କେ ଆଦର ନ କର ।

ବିକଳେ ଗଡ଼ୁଛି            ଶୁଣୁ ନାହିଁ କିଛି

ସକଳେ କହିଲୁଁ କେତେ ତିଆରି ହେ । ମୋହନ ।୪।

 

ତୋ ଚରଣ ଦୁଇ            ମୋର ଶିରେ ଦେଇ

ମାଗୁଛି ବାସ ପ୍ରସାରି ।

ମନାଅ ତା ପ୍ରୀତି            ରସେ କଳାବତୀ

ରଜା ତ ମୋହର ପ୍ରାଣଈଶ୍ୱରୀ ରେ । ବନ୍ଧୁଆ ।୫।

 

ଯେବେ ଯିବ ଜଣା            ଏ ଗୋପପାଟଣା

ଜନ ମୁଖେ ହେବ ହୁରି ।

ପ୍ରେମ ହସ ରସ            ହୋଇବ ବିନାଶ

କଂସ ନରବର ନେବ ଓଟାରି ହେବ । ମୋହନ ।୬।

 

ବୋଧି ପଠିଆଳ            ତହୁଁ ବେଗେ ଯାଇ

ରାଧାଙ୍କୁ କହନ୍ତେ ଘେରି ।

ରାଧା ଦେଖି ସ୍ୱପ୍ନ            ଭାଷିଲେ ଏସନ

କିଶୋରଚନ୍ଦ୍ର ଶ୍ରୀକୃଷ୍ଣଙ୍କୁ ସ୍ମରି ହେ ।୭।

 

ଆରେ ମୋ ନବନୀତଅଙ୍ଗୀ ପ୍ରତି ।୧୩୮।

 

କାହିଁକି ଦେଖିଲି ସ୍ୱପନେ ଗୋ ସହୀମାନେ ।

କାମିନୀକୁଳକାମଙ୍କୁ କଦମ୍ବକୁଞ୍ଜସଦନେ ।ପଦ।

ଜାଣିଛ ସବୁ ସୁମନା                  କିପରି ମୁଁ ରଙ୍କମନା

ଅତର ଚନ୍ଦନ ପାନ ଫୁଲେ ।

ତାଙ୍କ ପଟକୁ ନିପଟ ଅନାଉଁ ନାହିଁ ମୁଁ ଦିନେ ।୧।

 

ନଟବରପଟସାର            ଇନ୍ଦ୍ରନୀଳ ଅଳଙ୍କାର

ପାଣିକି ଫିଙ୍ଗାଇ ଦେଲି ପରା ।

ବରଜି ହଂସୁଲି ତୁଳି ଗଡ଼ୁଛି ଧୂଳିଶୟକେ ।୨।

 

ଆହା ସେ ଶ୍ରୀଅଙ୍ଗ ରୁଚି            କାହିଁ ଯାଇଅଛି ଲୁଚି

ନିନ୍ଦେ ବାସି ଇନ୍ଦୀବର ଶୋଭା ।

ଭରତି ହୋଇଛି ଲୁହ ମଞ୍ଜୁଳକଞ୍ଜନୟନେ ।୩।

 

ଖଣ୍ଡେ ଦୁରୂଁ ମୋତେ ଦେଖି            ଆରେ ଖେଳଖଞ୍ଜନାକ୍ଷ

ବନ୍ଧୁ ମୋର ଦୁଃଖ ଦେଖ ଦେଖ ।

ଚରଣ ଧରି ପଡ଼ିଲେ ଶରଣ ନାହିଁ ମୋ ଆନେ ।୪।

 

ସେ ସରିକି ହେଲେ ମଥା            ଟେକି କହି ନାହିଁ କଥା

ଏ ସମୟେ ଭାରି ଗଲା ନିଦ ।

କହ କହ ଏ ପ୍ରସଙ୍ଗ କିଛି ତ ନାହିଁ ମୋ ମନେ ।୫।

 

ଏ ଗୀର ସକଳେ ଶୁଣି            ଭାଷିଲେ ବିନୟ ବାଣୀ

ଯୁବ ଶ୍ରୀ କିଶୋରଚନ୍ଦ୍ର ବୋଲେ ।

ସତି ଗଲେ ନିତି ଶ୍ୟାମ କିଶୋରୀ ନାମ ଭଜନେ ।୬।

 

ଯେବେ ମଧୁପୁରକୁ ଯିବେ ମାଧବ ପ୍ରତି ।୧୩୯।

 

ଆରେ କଳହଂସଲଳିତଗମନା । ଫଳିଗଲା ତୋ ମନକାମନା ।ପଦ।

ବୁଲି ଯାଇଥିଲେ ଆଜି ମଲି ଅତର ।

ଧାଇଁ ଆସି କହିଲେ ସେ ବହି କାତର ।

 

ମଧୁମଙ୍ଗଳ ପୁଣି ପଲ୍ଲବ ତୋଳୁ ତୋଳୁ

ନୟନୁ ଲୁହଧାରା ବହୁଥିଲା ବକଳୁ,

ବୋଲୁଥିଲା କିଶୋରର ଲାଗି ଗୋପମଣ୍ଡଳୁ,

ସରିବ ପରା ଘନଶ୍ୟାମ ନା ।୧।

 

ନିକୁଞ୍ଜରେ ଉଚ୍ଚରିଲା ଗୋଟିଏ ସ୍ୱର ।

ହା ଗୁଣାଧିକା ରାଧିକା ବନ୍ଧୁଆ ମୋର ।

ପଡ଼ିଛି ତରୁତଳେ ହୋଇମନୋଜଲାଖ

ନଟଖଞ୍ଜନଯୁତ ସୁଧାମୟୁଖମୁଖ,

ଦେଖାଇ ଦେଇ ଥରେ ମୋ ପ୍ରାଣ ରଖ

ମଲେ କାହାକୁ ହେବୁ ବିମନା ।୨।

 

ଆହା ସେ ବ୍ରଜମହେନ୍ଦ୍ର ପ୍ରିୟ ନନ୍ଦନ ।

ମଦନଶରେ ପାଇଲେ କେଡ଼େ କଦନ ।

ଚାଲ ରେ ଚାଲ ସହି ଏଥର ହେଲା ହେଲା

ସ୍ୱପନ ହୋଇବଟି ଚୂଳଚନ୍ଦ୍ରିକାଝରା,

ତା ଘନି ସିନା ସବୁ ସୁଖ ଆମ୍ଭ ଛଇଳା,

ତୋଳିଲା ପରି ଯିବା ସୁମନା ।୩।

 

ଧନ ବିଜେ କଲା ବେଳେ କାନନପଟେ ।

ଆସି ରହିଥା ଉଢ଼ାବାତନାବିତଟେ ।

ଅଳପ ନ ଦେଖିଲେ କଳପ ହୁଏ ଦିନ

ମିଶନ ନାହିଁ ଆଉ କାହିଁରେ ତୋର ମନ,

ଲୋଡ଼ୁଥାଉ ଛଅରେ ଯମୁନା ମରଦନ,

ନ ମାନି ଶାଶୁଙ୍କର ତୁ ମନା ।୪।

 

ସଖୀ ଗୀରେ ଥନ ଥନ କରି ନୟନ ।

ରାଧା ତେଜି ଦେଲେ ମନୁ ଦୁର୍ଜୟ ମାନ ।

ମଣ୍ଡି ଦେଲେ ଅଂଶକୁ ଢମାଳିମ ଖୋସରେ,

ଭୂଷିତ ହେଲେ ନୂଆ ମଣିମୟ ଭଷାରେ ।

କିଶୋରଚନ୍ଦ୍ର ବୋଲେ ଏ ଅଖଣ୍ଡ ରସାରେ

ସ୍ନେହ ପ୍ରସଙ୍ଗ ଏହି କ୍ରମନା ।୫।

 

ସୁଝି ନୁହଇ ଯେ ପ୍ରତି ।୧୪୦।

 

ନୃପମଣ୍ଡନ ହେ ମଜ୍ଜାଇ ଘେନ ମନୀସା ।

ଆସି ପ୍ରସରିଲା ଛଇଳ ଛଇଳାଙ୍କର ମୋଦପ୍ରଦ ନିଶା ।ପଦ।

ଖେଳନ୍ତେ ନିରତେ କିଶୋରୀଙ୍କ ଚିତ୍ତେ ଘନଶ୍ୟାମଦୁଃଖଦଶା ।

ମନକୁ ବାହାର ହେଲେ ଆଳୀ ତୁଲେ ବନକୁ କଞ୍ଜନଦୃଶା ।୧।

 

ବେଗେ ସେ ନିକୁଞ୍ଜ ଦେହଳିରେ କଞ୍ଜସୁବବାସିନୀ ଦୁଃଖେ ମିଳି ।

ମହା ମୋର ପ୍ରାଣନାହା ବୋଲି ସୁନାଦେହା ଚାହୁ ଥିଲେ ଭାଳି ।୨।

କାସି ନୀଳୋତ୍ପଳ ମାଳିକା ମଞ୍ଜୁଳ ତନୁ ତ ଯାଇଛି ବଳି ।

ପଲ୍ଲବ ଶେଜରେ ବଲ୍ଲ ମହେନ୍ଦ୍ର ସଂଖ୍ୟାଳି ଅଛନ୍ତି ଢଳି ।୩।

 

ଏକାଳେ ଶ୍ରୀଧର ରାଧାଙ୍କ ନୂପୁର ଧ୍ୱନିରୁ ସଚେତ ହୋଇ ।

ତୋଳି ବେନି କର ଭାଷିଲେ ଏ ଗୀର ଶ୍ରୀକିଶୋରଚନ୍ଦ୍ର କହି ।

 

ଲୁଚାଇଲେ ସହି ରେ ପ୍ରୀତି ଲୁଚଇ ନାହିଁ ପ୍ରତି ।୧୪୧।

 

ଆସ ଆସ ରସରଙ୍ଗୀ ମୋ କଟିସରୁଆ ।

କାଶଘନସରକୁନ୍ଦହାସୀ ଶିରମରୁଆ ରେ ।ପଦ।

 

କିପରି ରେ ଚନ୍ଦ୍ରମୁଖି            ଆସିଲୁ ମୋ ଦୁଃଖ ଦେଖି ।

କାହାନ୍ତି ତୋ ପ୍ରିୟସଖୀ ତୁ ତ ଅତି ଡ଼ରୁଆ ରେ ।୧।

ଦେଖ ରେ ଦେଖ ମୋ ସହି            ପଡ଼ି ଏ ନିକୁଞ୍ଜମହୀ ।

ତୋ ଲାଗି ଗଡ଼ୁଛି ହୋଇ କାମଯ ଜୁଆରେ ।୨।

 

ଆରେ ମୋ ନେତ୍ରସମ୍ପତ୍ତି            ସରିଲାଣି ମୋର ଧୃତି ।

ନାହାନ୍ତି ତ ସଖୀକତି ନ କର ତୁ ପରୁଆ ରେ ।୩।

ଶ୍ରୀମତୀ ଭାଷିଲେ ଗୀର            ଶ୍ରୀକିଶୋର ନିଶାକର ।

ରଖିଲେ ସଦା ଶ୍ରୀଧରପଦ ହୃଦଫରୁଆ ରେ ।୪।

 

ବାଙ୍କନୟନେ ମତେ ମାରେ କି ଭଙ୍ଗୀ କରି ପ୍ରତି ।୧୪୨।

 

କେତେ ଛାର ଦାସୀ ହେତୁ ହେଲା ଆୟାସ ।

ସତେ ହଜେ ବିଲୋକି ମୋହର ସାହସ ।ପଦ।

 

ତିଚ ଶୁକରାଦିତ            ହିମାଂଶୁମୂର୍ତ୍ତିବତ

ନିସ୍ତେଜ ଅତି ଅଙ୍ଗପ୍ରଦେଶ ।୧।

ନୟନ ଅଶ୍ରୁନୀର            ଧରି କରେ ଧିକ୍କାର

ଶୀକରସିକ୍ତ ରକ୍ତସାରସ ।୨।

 

ଗ୍ରୀଷ୍ମେ ହଂସକୁମାରୀ      ଚାରୁ ପ୍ରବାହ ପରି

ତନୁଜା ବହିଅଛି ବିଶେଷ ।୩।

କି ଭୟାନକ ତାପ            ବିହିଲା ଫୁଲଚାପ

ବହୁଛି ମାତ୍ର ଉଷ୍ଣ ନିଶ୍ୱାସ ।୪।

 

ପଦ ସେବା ମନାସି            ଆସିଛି ତ ଏ ଦାସୀ

ଆଶ୍ୱାସପ୍ରଦ ବାଣୀ ପ୍ରକାଶ ।୫।

ରାଧା ଗୀରେ ଶ୍ରୀଧର            ଭାଷିଲେ ଶ୍ରୀ କିଶୋର

ଧ୍ୟାୟେ ସେ ପଦେ କରି ବିଶ୍ୱାସ ।୬।

 

କେ କଲା ଅନାଉଣି ମନା ରେ ପ୍ରତି ।୧୪୩।

 

ନବୀନା । ମୋ ପ୍ରାଣବନ୍ଧୁ ତୁ ସିନା ରେ ।ପଦ।

ବାସନ୍ତିକକାଳ ମଦମତୁଆଳ କୋକିଳକଳବଦନା ।

ସୁନ୍ଦର ମଞ୍ଜୁଳକୁନ୍ତଳା ରେ ମୋର ମଦିର ଲୋକଲୋଚନା ରେ ।

ଉଡ଼ୁଛି ସାହସ କାମଜ୍ୱର ଶୋଷ ବୁଡ଼ାଇଅଛି ଚେତନା ।

ରେ ଲାବଣ୍ୟସିନ୍ଧୁ ଏ ଅଧର ମଧୁ ମତେ ଦିଅ ଅଧଚିନା ରେ ।୨।

 

ବ୍ରଜବାଳାକୁଳ ମଉଳିମଣ୍ଡଳ କେତକୀ ଫୁଲ ବାସନା ।

ଆହା ମୋ ଜୀବନ ମଣ୍ଡି ଏ କାନନ କଲୁ ସତେ ଆଶ୍ୱାସନା ରେ ।

ଭଜିଯାଉ ଆଜି ମନସିକ ପାଜି ଗୁମାନ ବିଜୟବନା ।

ମାରୁଛି ବିନତେ କରିଦିଅ ମତେ ଯୁବାବୃନ୍ଦରେ ଇନ୍ଦ୍ର ଅଧୁନା ରେ ।୪।

ଶ୍ୟାମପ୍ରେମବାଣୀ ସେ କିଶୋରୀ ଶୁଣି ବିନମ୍ରବଦନ ।

ଭାଷିଲେ ଶ୍ରୀଧର ରଣେ ଶ୍ରୀକିଶୋର-ଚନ୍ଦ୍ରକରେ ବିଭୂଙ୍କୁ ବନ୍ଦନା ରେ ।

 

ରଙ୍କ ରାଜୀବମୁଖୀ ପ୍ରତି ।୧୪୪।

 

ଚାଲ ଚାଲ ରେ ବିମ୍ୱମଧୁରାଧରା । ଗତିର ସେ ମଣ୍ଡ ନିକୁଞ୍ଜଧରା ।

ଏ ଚନ୍ଦ୍ରରଜନୀ ପାହିଗଲେ ଧନୀ ହେବ ସବୁ ଭାବଯାକ ଅଧୁରା ।ପଦ।

 

ମତ୍ତପରଭୃତବଚନା       ଖେଳଖଞ୍ଜରୀଟଲୋଚନା

ଚାହାଁ ଚାହାଁ ମଲ୍ଲିକୁସୁମରେ ଅଳି ଚୁମ୍ୱିବାରେ ଦିଶେ କିପରି ତୋର ।

ମନମଥକେଳିଲାଳସି            ଫୁଲପଲଙ୍କରେ ବିଳସି

ରେ ଲାବଣ୍ୟବନନିଧି ମୋର ଧନ ଝୁଲାଇଦେବାକୁ ଚମ୍ପକଝରା ।୨।

 

ଆଗୋ ରସମୟମୂରତି            ମହୀତଳନୂଆକେଳତି

ଲାଜେ ଯାଉ ସରି କଳାକରଶିରୀ ବିଞ୍ଚି ଦିଅ କୁନ୍ଦହସନହୀରା ।୩।

ଶ୍ରୀ କିଶୋରଚନ୍ଦ୍ର ଭାଷିଲେ            ବିନୟରୁ ରାଧା ସେ କାଳେ

ମନ୍ଦ ମନ୍ଦ ହୋଇ ବିଜେକଲେ ସହୀ ସହିତରେ ଶ୍ୟାମ ଦୁଃଖପାସୋରା ।

 

ରାଗ-ବଙ୍ଗଳାଶ୍ରୀ ।୧୪୫।

 

ଶୁଣ ନରବର ଶ୍ୟାମ ଚାଟୁ ଗୀର ବିଳାସେ ନାରୀରତନ ।

ରହୁ ଲାଜେ ରଙ୍ଗେ କୃଷ୍ଣ ରାଧା ସଙ୍ଗେ ହେଲେ ତହି ଅନ୍ତର୍ଦ୍ଧାନ ।୧।

ଜାଣି ସେ ଉଭୟ ଅତୁଳ ପ୍ରଣୟ ଅନ୍ତରଙ୍ଗ ସଖୀମାନେ ।

ହରଷିତ ମନେ ରସିଲେ କାନନେ ସୁନଲବନ ବିଧାନେ ।୨।

 

ଶୁଭିଲା ଏକାଳେ ଭାନୁସୁତା କୂଳେ ହଂସକୁଳ କଳରବ ।

ନନ୍ଦଦରବାଜା ପ୍ରାଭାତିକୀ ବାଜା ଧ୍ୱନି ପୂର୍ଣ୍ଣ କଲା ଶ୍ରବ ।୩।

ଶାଶୁଠାରେ ଭୟ ବହି କିଶଳୟଅଧରା ତେଣେ ଭାଷିଲେ ।

ହୋଇ ସେ ବେନିଙ୍କ ସେବା ଧନରଙ୍କ ଶ୍ରୀ କିଶୋରଚନ୍ଦ୍ର ବୋଲେ ।୪।

 

ହଇରାଣ କାହିଁକି ଏତେ ପ୍ରତି ।୧୪୬।

 

ଶ୍ୟାମ ମତେ ମେଲାଣି ମିଳୁ । କାମଖେଳେ ଆଉ ପ୍ରେମ ନ ବଳୁ ।ପଦ।

ହେଲା ହେଲା ବନ୍ଧୁ ମୋ ଅଧରୁ ମଧୁ

      କି ଲାଗୁଛି ସତେ ଏତେ କବଳୁ ।

ଆନ ଦେଲେ ହେଲେ ଚୁମ୍ୱି ମୋ ଚିବୁକ

      ପାନ ନିଅ କେଣେ ରସି ମୋ କଳୁ ।୧।

 

ରଖିଦେବେ ନାହିଁ ଲିଭିବାର ଚିତ୍ର

      ଦେଖି ଦେଲେ ସଖୀ ସ୍ତନମଣ୍ଡଳୁ ।

ବିକା ତ ହେଲାଣି ଛମୁରେ ଜରତୀ

      ସକାଳୁ ମୋ ଧୃତିମୃଗ ନ କାଳୁ ।୨।

 

ମଣ୍ଡିବାରୁ ପଥ ମଣିମୟ ନାଥ

      ଦଣ୍ଡିମଣ୍ଡନା ଏ ମୋଦେ ଗୋକୁଳ ।

ବାଜିଲା ତାଙ୍କର ମଞ୍ଜୁଳ ନୂପୁର

      ରଜୀବଚରଣଗଣ ପ୍ରଚଳୁ ।୩।

 

ଏ ଗୀରେ ଶ୍ରୀଧର ଭାଷିଲେ ଉତ୍ତର

      ଭଙ୍ଗିରେ ରାଧାଙ୍କ ସୁଆଗବଳୁ ।

ଶ୍ରୀ କିଶୋରଚନ୍ଦ୍ର ବୋଲେ ଏହିପରି

      ସୁନ୍ଦରେନ୍ଦ୍ର ବାଞ୍ଛା ନିରତେ ଫଳୁ ।୪।

 

କାହିଁ ଛାଡ଼ିଗଲୁରେ ନୀଳମରକତ ପ୍ରତିମା ମୋର ପ୍ରତି ।୧୪୭।

 

ପ୍ରାଣଧନ ମୋର ରେ । ମୋ ହୃଦମଣ୍ଡନମାଳା ପରା ତୁ ।

ଛାଡ଼ିବାକୁ ଧନ ବଳୁ ନାହିଁ ମନ ଦେଖି ତୋ ଶ୍ରୀମୁଖମଣ୍ଡଳଖାତୁ ।ପଦ।

 

ଢାଳି ଦେବି ବେକ            ତଳକୁ ନାଜୁକ

ଖୋସା ଖୋସି ଗେଲେ ରସଗମାତୁ ।

ମନମଥ ଖେଳେ            ଆଉ ଥରେ ଲୋଳେ

ଘନକୁନ୍ତଳା ତୋ ମନଟି ମାତୁ ।୧।

 

ଲେଖି ଦେବି ବାଳା            ତୋ ଗଣ୍ଡରେ ଲୀଳା ।

ମକରୀ ନୋହିଲା ପରି ରେ ଚିତ୍ତୁ ।

ଝାମ୍ପୁ ମୋର ଧୃତି            କେଳି କଳାବତୀ

କମ୍ପୁ ତୋର ହିରା ଭୁଲାକିନା ତୁ ।୨।

 

ଡରୁଆଟି ନୁହ            ସରୁଆକଟିରେ

ଫରୁଆ ନାହିଁ ମୋ ରଦନକ୍ଷତୁ ।

ଝଳି ଯା ଛାତିରେ            ଲଳିତକାନ୍ତିରେ

ବଞ୍ଚାଇ ସ୍ତନକଳସ ମୋ ହାତୁ ।୩।

 

ଚମ୍ପା ତଳେ ରହି            ଜାଣେ ଶମ୍ପାଦେହୀ

ଭୟବଶେ ଡାକ ଦେଲା ପ୍ରଭାତୁ ।

ଘେନିଲୁ ହୃଦୟେ            ଶ୍ରୀ କିଶୋରଚନ୍ଦ୍ର

ଘନଶ୍ୟାମଙ୍କର ରାଧାଜୀବାତୁ ।୪।

 

ଆରେ ଜୀବନ ତତେ ଛାଡ଼ି କରି ମୁଁ ଯାଉଛି ପ୍ରତି ।୧୪୮।

 

ଆରେ ମୋ ଧନ । ଆସ ଆସ ଲୀଳାରସସରସି ।

ନୂଆନାଗରଙ୍କ ସୁଆଗରେ କାମ ଖିଆଲରେ ତୁ ନ ଭରସି ।ପଦ।

 

କହିଲାଣି ମନ୍ଦ ଗନ୍ଧବହ ଅରବିନ୍ଦବୃନ୍ଦ

      ମକରନ୍ଦ ବରଷି ।

ଭାନୁଜେମା ଜଳେ ଖେଳିଲେ ନିରୋଳେ

      ନାନା କୁତୁହଳେ କେତେ ସାରସି ।୧।

 

ପ୍ରଣୟ ଲମ୍ପଟ ଏହି ମଧୁଲିଟ

      ଛାଡ଼ି ପଦ୍ମ କଟ ରରସେ ଆସି ।

ଆହା ବୃନ୍ଦାବନ ସୁରମ୍ୟ ସୁମନ

      ସୁବାସସନ୍ଦୋହେ ଗଲେଣି ମିଶି ।୨।

 

ସମ୍ପ୍ରତି ବ୍ରତକୀ ଅନ୍ତେ ପିକତତି

      ରତିପତି ମନ୍ତ୍ର ଘୋଷିଲେ ରସି ।

ପତି ବିରହିତା କୁମୁବତୀ କାନ୍ତା-

      ବତ୍ସ ଚାହିଁ କଞ୍ଜେ ଦେଲେଣି ହସି ।୩।

 

ବ୍ରଜପୁରାଙ୍ଗଣ ପୟସ୍ୱିନୀଗଣ

      ପୟସେ ଦୋହନ ଧ୍ୱନି ପ୍ରକାଶି ।

ଗଲାଣି ଦଧିର ମଥନେ ଅଧୀର

      ହେଲେଣି କେତେକ ଗୋପସୁଦୃଶୀ ।୪।

 

ଏ ବନରେ ମିଳି ଫୁଲତୋଳା କେଳି

      ବିରଚିବେ ଚନ୍ଦାବଳୀ ସୁହାସୀ ।

ପଡ଼ିଯିବା ଧରା ଯେବେ ଜବାଧରା

      ମରିଯିବା ଚାରୁଚନ୍ଦନବାସୀ ।୫।

 

ବୋଲେ ଶ୍ରୀ କିଶୋରଚନ୍ଦ୍ର ଅନୁକ୍ଷଣେ

      ମାନସେ ରଖି ନିକୁଞ୍ଜବିଳାସୀ ।

ପିଲାକାଳୁଁ ଶ୍ୟାମ ରାଧାଙ୍କର ପ୍ରେମ

      ଜଗତେ କା ମନ ନାହିଁ ଉଲ୍ଲାସି ।୬।

 

ରାଗ-ଭାଟିଆରୀ ।୧୪୯।

 

ଏଥୁଅନ୍ତେ ଶୁଣ ନରଚର            ରାଧା ଶୁଣି ସଖୀଙ୍କର ଗୀର

ଘନଶ୍ୟାମ କତି ବରଜି ସୁଦତି ଯିବାକୁ ହୋଇଲେ ତତପର ।୧।

ଜାଣି ମୋହନ ମୁରଲୀଧର            ରଖି ବାଳା ଅଂଶେ ବାହୁ ଭର

କଦମ୍ୱକୁଞ୍ଜରୁ ବାହାରିଲେ ସରୁମଧ୍ୟମା ତରୁଣ ପୁରନ୍ଦର ।୨।

 

ଏହିପରି ଖଣ୍ଡେଦୂର ଆସି            ନାନା ରସ କଉତୁକେ ରସି

ଜିଆଳି ଆପଟେ ଉଭାହୋଇ ଦୁହେଁ ହେଲେ ସ୍ନେହସିଲ ଅଭିଳାସୀ ।

ବେନି ଗଣ୍ଡେ ମଣ୍ଡି ଚୁମ୍ୱଶ୍ରେଣୀ                  ପ୍ରଥମେ ଭାଷିଲେ ବଂଶୀପାଣି

ଦ୍ୱିତୀୟେ କିଶୋରୀ ତାଙ୍କ ପଦ ସ୍ମରି ଶ୍ରୀ କିଶୋରଚନ୍ଦ୍ର ଭଣି ।

 

ଡର ନାହିଁ କି ହେ ପର ତରୁଣୀ ହରଣ ପ୍ରତି ।୧୫୦।

 

କୃଷ୍ଣ-                        ନୂଆ ଛଇଳି ରେ ଛାମୁରୁ ମେଲାଣି ହେଲି

ମୋ ପ୍ରାଣମିତ ରେ            ଥିବଟି ଚିତ୍ତରେ

ସଖୀଗଣେ ଜଣେ ବୋଲି ।ପଦ।

 

ବଳୁ ନାହିଁ ମନ ରେ ବାଳା ରତନ କୋଳୁ ତେଜିବାକୁ ରତେ ।

ଏହି ଅନୁକମ୍ପା            ଥିବାକୁ ରେ ଚମ୍ପା-

ବରନା ମାଗୁଛି ଏତେ ।୧।

 

ରାଧା-                        ନୂଆ ଛଇଳ ହେ ଛାମୁରୁ ମେଲାଣି ହେଲି ।

ବନ୍ଧୁ ହେ ନିରତେ            ଘେନିଥିବ ମତେ

ପଦତଳଦାସୀ ବୋଳି ।ପଦ।

 

ଶ୍ୟାମ ହେ ତୁମ୍ଭର            ଛାମୁରୁ ଅନ୍ତର

ହେବାକୁ ମନ ନ ବଳେ ।

କୃପା ଜରଜର            ଏ ବେନି ନଜର

ଖେଳୁ ଥାଉ ସବୁବେଳେ ।୨।

 

କୃଷ୍ଣ-                  ବଞ୍ଚିବାକୁ ଦିନ ହେବୁଟିରେ ଘନକୁନ୍ତଳା ନ କରି ହେଳା ।

ରଦନ ମଞ୍ଜୁଳ            ଚିହ୍ନ ପାନଖିଲ

ଚନ୍ଦ ସୁମନାମାଳା । ନୂଆ ଛଇଳି ରେ ।୩।

 

ରାଧା-                  ରଙ୍କରତନ ମୋ ପଙ୍କଜମୁଖ ହେ କଳାବତୀ ନେତ୍ରକାର ।

କାଲିଟିକି ମତେ            ଦେଖାଇବ ସତେ

ସୁନ୍ଦର ଚନ୍ଦ୍ରକ ଝରା । ନୂଆ ଛଇଳ ହେ ।୪।

 

କୃଷ୍ଣ-                  ଅସର ଦୁଃଖପାସୋରା ରେ ଆହା ତୋ ରସମୟ ତନୁବଲ୍ଲୀ ।

ମୋ ଦୋଷ ନ ଧର                  ପାମର କାମର

ଜ୍ୱରେ ସନ୍ତାପିତା କଲି ।୫।

 

ରାଧା-                  ମୋ ରାଣ ଅଛିଟି ଘେନିବ ନାହିଁଟି କଲି ବୋଲି ଅଭିମାନ ।

ମୁଁ ଫୁଲ ବାସନା            ଶ୍ୟାମ ବନ୍ଧୁ ସିନା

ମୁଁ ଘଟ ତୁମ୍ଭେ ଜୀବନ ।୬।

 

ଶ୍ରୀ କିଶୋରଚନ୍ଦ୍ର ତାଙ୍କୁ ଧ୍ୟାୟି ବୋଲେ ଭଲା ଦୁହିଙ୍କର ପ୍ରୀତି ।

ନୁହଇ ଯିବାକୁ            ଛାଡ଼ିକେ କାହାକୁ

ପାହିଗଲା ଆସି ରାତି ।୭।

 

ଉଠିଲେ ହୋଇ ପ୍ରମୋଦ ପ୍ରତି ।୧୫୧।

 

ଘେନ ହେ ନୃପକେଶରୀ            ଘନଶ୍ୟାମ ଶ୍ରୀକିଶୋରୀ

ଗଲେ ସପ୍ରେମାଲିଙ୍ଗନେ ସୁଖେ ବିହରି ।୧।

କେ କାହାକୁ ନ ପାସୋରି            କଷ୍ଟେ କଷ୍ଟେ ତହୁଁ ଫେରି

ମଣ୍ଡିଲେ ସଜନୀମେଳେ ବର ଚତୁରୀ ।୨।

 

ଭଜୁ ନାହିଁ ପଦ ଥୟ            ସଜନୀ ଇଙ୍ଗିତ ଭୟ

ଦେଉଛି ହୃଦୟପଥେ ଏହି ସଂଶୟ ।୩।

ଏପରି ମିଳନ୍ତେ ଆସି            ଦେଖି ସବୁ ମଦାଳସୀ

ଭାଷିଲେ ଖିଆଲେ ବାଣୀ ମଧୁରେ ହସି ।୪।

 

 

ବିଶ୍ୱମ୍ଭର ରାଜଇନ୍ଦ୍ର-            ତନୁଜ କିଶୋରଚନ୍ଦ୍ର

ନଟବର ଧ୍ୟାନେ ଚିତ୍ତ କଲେ ସେ ସାନ୍ଦ୍ର ।୫।

 

ହସି ହସି ଆସି ଧୀରେ ପ୍ରତି ।୧୫୨।

 

ଆଜି ନୂଆ ବେଶ କି ରେ ରଜୀବଲୋଚନୀ

ରାଜିଲୁ କି ପାଜି ମୋର ଆଜି ସରସରେ ।ପଦ।

ଶଚୀରମଣା ନୀଳ            ରୁଚିର ପରିମଳ

କୁଞ୍ଚିତ କେଶ ଖସି ଖେଳେ ପୃଷ୍ଠଦେଶରେ ।୧।

 

ସୁନ୍ଦର ସ୍ୱେଦବିନ୍ଦୁ            ବନ୍ଧୁ ବଦନଇନ୍ଦୁ

ମୋତିଭୂଷଣ ବହୁ ମତି ଏ କି ଭାଷ ରେ ।୨।

ନୂତନ ଅଙ୍କୁରିତ            କେତେକ ଶିଖାଜିତ

ହାସ ରାସରସିକା ରଦଚ୍ଛଦେ ପ୍ରସରେ ।୩।

 

ସୁନାବୁଟାମଣ୍ଡନ            ବନାରସବସନ

ବନାଟଭାସୁସ୍ତନା ଲୋଟଇ ଭୂଦେଶରେ ।୪।

କମନୀୟ କୋମଳ            ଅମଳାନ କମଳ

ସମ ଚରଣ ବେନି ଚଳେ ବିପର୍ଯ୍ୟାସ ରେ ।୫।

 

ବିଳାସ ରସେ ମଜ୍ଜି            ବାଧା ଲେଶ ନ ହେଜି

ମନୋଜନଦେ ମାତି ତନ କଲୁ ପ୍ରାସରେ ।୬।

କିଶୋରଚନ୍ଦ୍ର ଭଣେ            କୃଷ୍ଣଙ୍କୁ ସଖାମାନେ

ଭାଷିଲେ ଅତି ମୁଦି ବିହି ପରିହାସରେ ।୭।

 

ବାଲୁବଜାରୁ ପାନ ଆଣି ଯା ପ୍ରତି ।୧୫୩।

 

ଦୁଃଖ ଗଲା କି ରାସରସିକ ହେ ।ପଦ।

ଦୁର୍ଦ୍ଦଶା ନିଶା ବଶେ            ରହି ଅତି ବିବଶେ ।

ସୁଦଶା ଉଷାୟନୁ            ପଦ୍ମିନୀ ସଙ୍ଗ ତୋଷେ ।

ଲଭ ମାତିଣ ଦେବ            ପମୋଦେ ବିହାୟସେ ।

ଦେଖ କିପରି ଛନ୍ତି ବାହାରି ।୧।

 

ଆହା ଏ ପରଭୃତ            ଗାଢ଼ ଜଡ଼ ବ୍ୟଥିତ ।

ହୋଇ ମାର୍ଜିତ ରୁତ            ନ କରୁଥିଲା ବ୍ୟକ୍ତ ।

ଏଥର ହୋଇବ ତ            କାଳବଳୁ ଅବ୍ୟକ୍ତ ।

ଧ୍ୱନି ଚାଖିଲା ଚୂତମଞ୍ଜରୀ ।୨।

 

ତବ ପ୍ରଣୟ ଧନ            ଅନୁଭବବିହୀନ ।

ବୃଥା ହୋଇ ତ ଥିଲା      ଆହେ ମନମୋହନ ।

ସୁଯୋଗ୍ୟ ଅନୁଭବୀ      ହୋଇଲା ତ ଘଟନ ।

ହୁଅ ଏଥର ସୁଖସଞ୍ଚାରୀ ।୩।

 

ଯେଉଁ ମଳୟାନିଳ            ନୀଳକଣ୍ଠକୋକିଳ ।

ଭୃଙ୍ଗ କ୍ଳେଶ ବହୁଳ            ଦେଉଥିଲେ କେବଳ ।

ସେମାନେ ହେଲେ ଏବେ            ନିରତେ ଅନୁକୂଳ ।

କି ଲୋଡ଼ା ଆମ୍ଭେ ଆଉ ଶ୍ରୀହରି ।୪।

 

ହୋଇ ସଶରହସ୍ତ            ମନ୍ମଥ ହେବ ଦୂତ ।

ଏଣିକି ଅନ୍ୟ କେହି            ହେବେ କି ଚିତ୍ତେ ସ୍ଥିତ ।

ସଖା ରଙ୍ଗୀତ ଗୀରେ            ହେଲେ ଶ୍ୟାମ ଲଜ୍ଜିତ ।

କହେ କିଶୋରଚନ୍ଦ୍ର ଜୁହାରି ।୫।

 

ବୋଲ ଦାସୀ ମନ୍ଦୋଦରୀକି ଯାଇ ପ୍ରତି ।୧୫୪।

 

ଶୁଣ ଶୁଣ ନରପତିମଣ୍ଡନ ।ପଦ।

ଏ ଅନ୍ତେ ବାଳୀ ଆଳୀ ତୁଲେ ମିଳି

      ଗଲେ ତହୁଁ ବହନ ।୧।

ଶାଶୁ ଭୟରୁ ମଣ୍ଡଲେ ସେ ଭୀରୁ

      ଯାଇ ନିଜ ସଦନ ।୨।

 

ଦୈନିକାଚାର ସାରି ସଖୀର

      କରାଇଲେ ଶୟନ ।୩।

ଏକାଳେ କଂସ ନାରଦଙ୍କ ଭାଷ

      କଲା ମନେ ସ୍ମରଣ ।୪।

 

ଡାକି ଆକ୍ରୁର ହୋଇ କ୍ରୋଧଭର

      ଭାଷିଲେ ଏ ବଚନ ।୫।

କିଶୋରଚନ୍ଦ୍ର ବନ୍ଦେ କୃଷ୍ଣଚନ୍ଦ୍ର

      ଚାରୁ ପଦନଳିନ ।୬।

 

ରାଗ-କେଦାର ।୧୫୫।

 

ତୀର କରୁବିନ୍ଦ । କି ଅବିଧି କଲା ଦେଖ ସେ ପାମର ନନ୍ଦ ।ପଦ।

ଏ ସରକି ସରବ ଦରବ କଲା ବନ୍ଦ ।

ଘେନୁଛି ପରା ତା ମନେ ଏ ବଡ଼ ପସଦ ।୧।

କରି ଦେବି ତାର ସେବା ମନା ମରୁ ମନ୍ଦ ।

ଜବେ ଜୁରାଇ ଦେବଟି ଘର ଧେନୁବୃନ୍ଦ ।୨।

 

ବଧିଛନ୍ତି ବକ ଅଘ ସେ ରାମ ଗୋବିନ୍ଦ ।

ଝିଙ୍କି ଆଣିମଟି ହେଲେ କାନ୍ଦକାନ୍ଦ ।୩।

ମୋ ତୁଲେ ଆରମ୍ଭିଛନ୍ତି ମଦମତ୍ତେ ଦ୍ୱନ୍ଦ ।

ବୁଝିବା ଏଠାରେ ତାଙ୍କ କେଡ଼େ ଭଳି ଛନ୍ଦ ।୪।

 

ସେ ନବଘନଶ୍ୟାମଙ୍କ ପଦଅରବିନ୍ଦ ।

ନିରତେ ବନ୍ଦି ବୋଇଲେ ଶ୍ରୀ କିଶୋରଚନ୍ଦ୍ର ।୫।

 

ରାଗ-ରାମକେରୀ ।୧୫୬।

 

ଶୁଣ ନଟବର ନୃଶଂସ କଂସ ଗୀରେ ଅକ୍ରୂର ।

ରଥେ ବସି ଦୁଃଖ ମନରେ ବେଗେ ହେଲେ ବାହାର ।୧।

ଏ ସମୟେ ରାମ ଶ୍ରୀକୃଷ୍ଣ ଭାନୁ ଜେମା କାନନେ ।

ବତ୍ସା ଧେନୁ ଧରି ବିହରୁଥିଲେ ପ୍ରମୋଦମନେ ।୨।

 

ଏକାଳେ ମିଳିଗଲେ ତହିଁ କଂସଦୂତପ୍ରବର ।

ବହିଲେ ସେ ବେନି ବିଭୁଙ୍କୁ ଲକ୍ଷେ ଲକ୍ଷେ ଜୁହାର ।୩।

ଉଠ ଉଠ ବୋଲି ଉଠାଇ ଦେଲେ ସସ୍ନେହେ ଭୋଳେ ।

ଆଲିଙ୍ଗନ କରି ବ୍ରଜକୁ ଯାଆ ବୋଇଲେ ।୪।

 

ତହୁଁ ଆସି ନନ୍ଦ ଆଗରେ ଭାଷିଲେ ଏ ଭାରତୀ ।

ରାଜେନ୍ଦ୍ରତନୁଜ ଧ୍ୟାୟିଲେ ନୀଳଜଳଦକାନ୍ତୀ ।୫।

 

ମୋରେ ନ ବଳା ତୁ ମନ ପ୍ରତି ।୧୫୭।

ଆହେ ବ୍ରଜନରବର,

ଜାଣି ଜାଣି କଲ କେଣେ ଏଡ଼େ ଆବେଭାର ।ପଦ।

 

ମହାପ୍ରତାପୀ ଅଟଇ ସେ କଂସ ଅସୁର ।

ଏ ସରକି ନ ଦେଲ କାହିଁକି ଥିବା କର ।୧।

ବଣା ହେଳ ଜଣା ଥାଉ ସମାଚାର ତାର ।

ସ୍ମରେ ଯାହାକୁ ନିରତେ କରନ୍ତି ଜୁହାର ।୨।

 

ତୁମ୍ଭ ସହିତରେ ବଳରାମ ଶିରୀଧର ।

ବିଳମ୍ୱ ନ କରି ଆଜି ଯିବା ମଧୁପୁର ।୩।

ଏ ଗୀରେ ନନ୍ଦ ହୋଇଲେ ବହୁତ କାତର ।

ଚିନ୍ତେ ରାଜେନ୍ଦ୍ରତନୁଜ ଶିଖଣ୍ଡଶେଖର ।୪।

 

ରାଗ-ସିନ୍ଧୁଡ଼ା ।୧୫୮।

 

ଶୁଣ ନରବର ବ୍ରଜରଜାଙ୍କର ଅକ୍ରୂରଙ୍କ ଗୀର ଶେଷେ ।

ଧେନୁବୃନ୍ଦ ଧରି ବାହୁଡ଼ନ୍ତେ ହରି ବଳରାମ ବନୁ ତୋଷେ ।

କଂସ ଖବରଯାକ ।       ଦୂତ ଶୁଣାଇଦେଲେ ବିବାକ ।୧।

 

ଯିବାକୁ ମଥୁରା ବହି ତୃଷ ସାରି ନିତ୍ୟକର୍ମତତି ।

ଅକ୍ରୁର ସହିତେ ବିଜେ କଲେ ରଥେ ବଳରାମ ଘନକାନ୍ତି ।

ଗୋପମଣ୍ଡଳଶିରୀ । ସରିଗଲା ବୋଲି ହେଲା ହୁରି ।୨।

 

ଏକାଳେ ଶ୍ରୀମତୀ ଗୁନ୍ଥୁଥିଲେ ମତି ମଜ୍ଜାଇ ସୁମନମାଳା ।

ପ୍ରଥମ ଭେଟରେ ଘନଶ୍ୟାମ ଉରେ ସ୍ନେହେ କରିବାକୁ ମେଳା ।

ଗୋଳେ କେହୁ ଚନ୍ଦନ । କେଉଁ ସଜ୍ଜନୀ ଭାଙ୍ଗୁଛି ପାନ ।୩।

 

କାଞ୍ଚୀମଣ୍ଡନା କେ କୁଞ୍ଚ କରି ପୀତ ଅମ୍ୱରେ ଉଛେ ଅତର ।

ବାକି ଘନକେଶୀ ଭାଙ୍ଗୁଥିଲେ ବସି ସମୟୋଚିତ ସମ୍ଭାର ।

ଗତ କୁତୂକ ଖେଳ । ପ୍ରସଙ୍ଗରେ ହରୁଥିଲେ କାଳ ।୪।

 

ଏ ସମୟେ ବୃନ୍ଦା ପୌର୍ଣ୍ଣମାସୀ ଶ୍ରଦ୍ଧା ବରଜି ବିକଳଭରେ ।

ମୋ ନବକିଶୋରୀ ରହିଛି କିପରି ଦେଖିଯିବା ଚାଲ ଥରେ ।

ଆସି ଦେଖନ୍ତେ ବାଳା । ରସି ଗୁନ୍ଥୁଛନ୍ତି ଫୁଲମାଳା ।୫।

 

ରାଧାଙ୍କୁ ଭାରତୀ ପୌର୍ଣ୍ଣମାସୀ ଅତି ବିକଳ ବହି ଭାଷିଲେ ।

ଯୁବାଜନଇନ୍ଦ୍ର ଶ୍ରୀ କିଶୋରଚନ୍ଦ୍ର ସେ ଦେବୀଙ୍କି ଚିନ୍ତି ବୋଲେ ।

ଶୁଣି ବୋଲେ ଏ ରୀତି । ଜୀବ ରଖିବେ କି ସେ ଶ୍ରୀମତୀ ।୬।

 

ସତେ ଶ୍ୟାମବନ୍ଧୁ ପ୍ରତି ।୧୫୯।

 

ଆହା ମାନନୟନାଟି ମୋର ସ୍ନେହଧୀନା ମନ୍ଦହାସି ରେ ।

କାହାପାଇଁ ଫୁଲମାଳା ସଜାଡ଼ୁଛୁ ବସି ରେ ।ପଦ।

ଆଉ କି କରିବୁ ପାନ            କି ଲୋଡ଼ା ଚନ୍ଦ୍ର ଚନ୍ଦନ

କି ହେବ ରେ ଝମା ଜୀବନ ସବୁ ଦିଅ ନାଶି ରେ ।୧।

 

ଜାଣି ନାହୁଁ ବାଳାବର            ଗୋପ ନୀଳକଳାକାର

ନୃସଂଶ କଂସର ଚାର ଘେନିଗଲେ ଆସି ରେ ।୨।

ଦେଖ ଦେଖ ବେଗେ ଧାଇଁ            ସେ ଶ୍ୟାମ ବନ୍ଧୁଙ୍କୁ ତୁହି

ମଣ୍ଡିଛନ୍ତି ବ୍ରଜମହୀ ରଥେ ହସି ହସି ରେ ।୩।

 

ଶୁଭୁ ନାହିଁ କି ଏ ରଡ଼ି            ତରୁଣୀ ଏ ଚେତନେ ପଡ଼ି

କାନ୍ଦୁଛନ୍ତି ତଳେ ଗଡ଼ି ଦୁଃଖଜଳେ ଭାସି ରେ ।୪।

ଶ୍ରୀ କିଶୋରଚନ୍ଦ୍ର ବୋଲେ            ରାଧାଙ୍କୁ ନ ଦେଖି ଡ଼ୋଲେ

ପଳା ରେ ମନ ଚପଳେ କୃଷ୍ଣ ସଙ୍ଗେ ମିଶିରେ ।୫।

 

ସିଂହଲେଶ ତୋଷଭର ପ୍ରତି ।୧୬୦।

 

ଘେନ ହେ ନୃପତିମଣି            ପୌର୍ଣ୍ଣମାସୀ ଗୀର ଶୁଣି

ଫିଙ୍ଗିଦେଇ ଫୁଲ ମାଳା ମୋହ ଭଜିଲେ ବାଳା ।୧।

ରାଧା ରୀତି ଦେଖି ଆଳୀ            ଲଭନ୍ତେ ରତିପଣ୍ଡିତା

କାହୁଁ ଆସିଲା ସେକ୍ଷଣି ବିଲକ୍ଷଣ ଅଙ୍ଗଠାଣି ।୩

ପୌର୍ଣ୍ଣମାସୀକି ଅନାଇ            ଭାଷିଲେ ବିରସ ବହି

ଶ୍ରୀ କିଶୋରଚନ୍ଦ୍ର ବୋଲେ ଶ୍ୟାମବନ୍ଧୁ କି ନ କଲେ ।୪।

 

ଶୁଣ ବିଭୀଷଣ ପ୍ରତି ।୧୬୧।

 

ଆଗୋ ପୌର୍ଣ୍ଣମାସୀ ! କିସ ଭାଷିଲ ଗୋ ଆଉ ଥରେ ଦିଅ ଭାଷି ।ପଦ।

କେତେ ଶୁଣି କେତେ ନ ଶୁଣିଲା ହେଲା କାନ ।

କାହିଁକି ଗୋକୁଳେ ଶୁଭେ ଏ ରୋଦନ ସ୍ୱନ ।୧।

କାହିଁକି ତୁମ୍ଭ ନୟନୁ ବହି ନୀରଧାର ।

ତିନ୍ତାଇଛି ହୃଦସ୍ଥଳ କାଷାୟ ଅମ୍ୱର ।୨।

 

ବୃନ୍ଦା କେଣେ ଫନ୍ଦା କରିଛନ୍ତି ଏ ବିକଳ ।

ଦିଶୁଛି ନ ଥିଲା ପରି ଆଉ ଧୃତିବଳ ।୩।

ଏ ଗୀରେ ବତାଇ ତହିଁ ଲଳିତା ଭାଷିଲେ ।

ରାଜେନ୍ଦ୍ରରାଜତନୁଜ ଶ୍ୟାମଙ୍କୁ ବନ୍ଦିଲେ ।୪।

 

ରାଗ-କରୁଣାଶ୍ରୀ ।୧୬୨।

 

ଡ଼ାଳିମ୍ୱ ମଞ୍ଜମଞ୍ଜୁଳଦଶନା ରେ ଘେନ,

ନ ବୁଝିଲୁ ପୌର୍ଣ୍ଣମାସୀ ଭାଷବା ବଚନ ।

ପ୍ରାଣସଙ୍ଗିନି ରେ ।୧।

 

ମଥୁରାରୁ କଂସ ଦୂତ କାଲି ଆସି,

ଶ୍ୟାମବନ୍ଧୁଙ୍କୁ ନେବାକୁ ହଟିଛନ୍ତି ବସି ।

ପ୍ରାଣସଙ୍ଗିନୀ ରେ ।୨।

 

ଡକାଇଛନ୍ତି ମେଲାଣି ମାଗିବାକୁ ତତେ,

ଗୋପଦାଣ୍ଡେ ମଣ୍ଡି ଚାରୁ ମଣିମୟ ରଥେ ।

ପ୍ରାଣସଙ୍ଗନୀ ରେ ।୩।

 

ଲାଲଅଧରା ରେ ବେଗେ ଯିବା ଚାଲ ଚାଲ,

ଚାହିଁ ରହିଥିବେ ବ୍ରଜରାଜ ନବଲାଲ ।

ପ୍ରାଣସଙ୍ଗିନୀ ରେ ।୪।

 

ଶ୍ରୀ କିଶୋରଚନ୍ଦ୍ର ବୋଲେ ଶ୍ୟାମପଦ ସ୍ମରି ,

ସରିଗଲା ଏ ଗୋପନଗର ସୁଖଶିରୀ ।

ପ୍ରାଣସଙ୍ଗିନୀ ରେ ।୫।

 

ବୋଲେ ଲକ୍ଷ୍ମଣ ଶୁଣ ଚାପଧର ପ୍ରତି ।୧୬୩।

 

ଏଥୁଅନ୍ତେ ଘେନ ନୃପତିମଣି            ସଖୀ ଗୀର ନବକିଶୋରୀ ଶୁଣି

ପୁରୁଁ ହେଲେ ବାହାର ।

ସ୍ମୃତି ତ ନ ଥିଲା ଲବ ମାତର ।୧।

 

ବୃନ୍ଦା ପୌର୍ଣ୍ଣମାସୀ ଚମ୍ପକଲତା                  ବିଶାଖା କୁନ୍ଦଲତିକା ଲଳିତା

ଏହି ସଜନୀଗଣେ ।

ଥିଲେ ସେ ମଧୁରାଧରା ଗହଣେ ।୨।

 

ରୋଦନ ବନଳେ ସକଳେ ପୂରି            ବ୍ରଜଦାଣ୍ଡେ ମିଳିଗଲେ ସପରି

ମହୀମଉଳି ଗଭା ।

ଭାଷିଲେ ଲଳିତାକୁ ହୋଇ ଉଭା ।୩।

 

କିଶୋରଚନ୍ଦ୍ର ବୋଲେ ଦୁଃଖଚିତ୍ତେ            ମଥୁରାକୁ ବିଜେ କଲେ ନିରତେ

ଆଉ କାହୁଁ ଦେଖିବ ।

ନିକୁଞ୍ଜବିଳାସୀ ମୁଖରାଜୀବ ।୪।

 

ବସନ୍ତକାଳେ କାନ୍ତ ଗଲେ କାହିଁ ପ୍ରତି ।୧୬୪।

 

କହ ଗୋ କହ ଶ୍ୟାମବନ୍ଧୁ ଗଲେ କାହିଁ ।ପଦ।

ମଣିମୟ ରଥେ            ମଣ୍ଡି ଏହି ପଥେ

ଦେଖିବାପାଇଁ ମତେ ଥିଲେ ପରା ଚାହିଁ ।୧।

ସେ ଘନବରନ            ଯିବାବେଳେ ବନ

ଯାହା ହୁଏ ମୋ ମନ ନ ଜାଣୁ କି ତୁହି ।୨।

 

ଚନ୍ଦ୍ରକଚୂଳ ଢଳା            ଚଞ୍ଚଳ ନେତ୍ରଖେଳା

ନ ଦେଖିଲେ ଏ ପ୍ରାଣ ମୁଁ ରଖିବି ନାହିଁ ।୩।

ଦିଶିଲାଣି ଅନ୍ଧାର            ବସନ ହେଲା ଭାର

ସେ ରାସରସଙ୍କ ବିନା ରାଧା କି ବଞ୍ଚଇ ।୪।

ଲଳିତା ଜଳପିଲେ             କିଶୋରଚନ୍ଦ୍ର ବୋଲେ

ବିଭୃତି ବିଜେ କଲେ ମଥୁରା ନ କହି । ୫ ।

 

ନିଜ ମନରେ କଳାକହ୍ଣାଇ ପ୍ରତି । ୧୬୫ ।

 

ବାରିଚ୍ଚାକ୍ଷି ଅନର ଗୋ ଅନା । କାସ ପ୍ରତି କାଶଚାରୁହସନା । ପଦ ।

ନୃସଂଶ କଂସଇ ଦୁଷ୍ଟରେ ଦୂତବର କଲେ ହେଲେ କେତେବିଧ ତର୍ଜନା ।

ଖେଳାଇ ଚଞ୍ଚଳ ଚାରୁ ଦୃଗଞ୍ଜଳ ଫେରି ଚାହୁଁଛନ୍ତି ତୋତେ ଅଧନା । ୧ ।

ଘେରି ସଖାପନ୍ତି ଉଚ୍ଚାରୁଅଛନ୍ତି, ମଥୁରା ଗମନ ମଙ୍ଗଳାଗାନା ।

ଦେଖିବାକୁ ଶ୍ୟାମ ଶ୍ରୀମୁଖସୁଷମ ଧାଇଁଛନ୍ତି କେତେ ସନାବରନା ୨ ।

 

ବିଳମ୍ବ ନ କରି ଆସ ରେ କିଶୋର ବୋଲି ଡାକୁଛନ୍ତି ଧରି ତୋର ନା ।

ଯିବା ଚାଲ ଧନ ସେ ନନ୍ଦନନ୍ଦନ ନ ଗଲା ପରି କରିବୁ ମନା । ୩ ।

ଲଳିତପ୍ରବୋଧି କହିଲେ ହେଲେହେଁ କାନ୍ଦି କାନ୍ଦି ବାହାରିଲେ ନବୀନା ।

ଶ୍ରୀ କିଶୋରଚନ୍ଦ୍ର ବୋଲେ ଦେବୀଙ୍କର ବଢ଼ିବ ସିନା ଅଧିକେ ବୋଦନା । ୪ ।

 

କାହିଁ ଛାଡ଼ିଗଲୁ ରେ ନୀଳମରକତପ୍ରତିମା ମୋର ପ୍ରତି । ୧୬୬ ।

 

ପ୍ରାଣଧନ ମୋର ହେ କାହିଁ ଛାଡ଼ିଗଲ ରାସରଙ୍ଗିଲା ।

ଦେଖାଅ ହେ ଥରେ             ତ୍ରିଭଙ୍ଗୀ ଛନ୍ଦରେ

ଉଚ୍ଚ ଶୋଭା ଠାଣି ଚନ୍ଦ୍ରକଝୁରା । ପଦ ।

 

ଆସ ର ଅସର-            ଦୁଃଖହରା ମୋର

ବୋଲିବାର ଯେତେବେଳେ ଶୁଭିଲା ।

ଆସୁ ଆସୁ ଧାଇଁ             କରୁ ଫିଙ୍ଗି ଦେଇ

ମଞ୍ଜୁଳ କଳା ଇନ୍ଦୀବରମାଳା । ୧ ।

 

ନୀପ କୁଞ୍ଜେ କେତେ             ରାଣ ଦେଇ ମତେ

କହିଥିଲ ପରା ଆରେ ଛଇଳା ।

ତୁ କଳ ମୁଁ ମୀନ            ଆହେ ନବଘନ-

କାନ୍ତି ମତିରୁ କି ପାସୋରି ଗଲା । ୨ ।

 

ମଣେ ଯେ କଳପ             ବିଳମ୍ବ ଅଳପ

ହେଲେ ବୃନ୍ଦାବନକୁ ହୁଡ଼ା ଲୀଳା ।

ବଞ୍ଚିବ କିପରି             ସେ ନବକିଶୋରୀ

ବୋଳି ଚିତ୍ତେ ଏତେ କୃପା ନୋହିଲା । ୩ ।

 

ଶ୍ରୀ କଶୋରଚନ୍ଦ୍ର            ଭଣିଲେ କରୀନ୍ଦ୍ର-

ଗମନାଙ୍କୁ ଅତି ବିଭ୍ରମ ହେଲା ।

ଜାଣିମେ କାହୁଁ ସେ             ମଥୁରା ରୋଷେ

ଶ୍ୟାମଙ୍କୁ ତ କ୍ରୂର ଅକ୍ରୂର ନେଲା । ୪ ।

 

ରାଗ- ଚକ୍ରକେଳି । ୧୬୭ ।

 

ଶୁଣ ଶୁଣାଏ ଅନ୍ତେ ନୃପମଣି । ଲଳିତାଙ୍କ ବୋଧରୁ ସେ ତରୁଣୀ । ୧ ।

ଦେଖିବ କି ଶ୍ୟାମ ମୁଖମାଧୁରୀ । ବୋଲି ତହୁଁ ବିଜେ କଲେ କିଶୋରୀ । ୨ ।

ଢଳି ପଡ଼ିଲେ ତଳେ ଲୀଳାନିଧି । ସଖୀ ଧରନ୍ତି ତାହାଙ୍କୁ ପ୍ରବୋଧି । ୩ ।

ଏହିପରି ଯାଉ ଯାଉ ସେ ବାଳା । ବାଟେ ପଡ଼ିଛି ଇନ୍ଦୀବର ମାଳା । ୪ ।

ଦେଖି ରାଧା ବହନେ ଧରି କରେ । ବାହୁନି ସେ କାନ୍ଦିଲେ ଉଚ୍ଚସ୍ୱରେ ।

ବୋଲେଶ୍ରୀ କିଶୋରଚନ୍ଦ୍ର ଜୁହାର । ଦେବୀ କରିଦେବ ବିଅର୍ଥେ ଗୁହାରି ।

 

ଆଉ କି ସତେ ଦେଖିବା ପ୍ରାଣ ରଖିବା ପ୍ରତି । ୧୬୮ ।

 

କହ ଗୋ ସତେ ଦେଖିବ ପ୍ରାଣ ରଖିବି । ପଦ ।

କଳା ବନ୍ଦୀବର            ମାଳା ଗୋ ସୁନ୍ଦର

ମୁରତିଙ୍କ ଉଗ୍ରସ୍ଥଳେ ମୁଁ ଲାଖିବ୍ୟଥା । ୧ ।

ଅହୋ ସେ ମୋ ନୀଳ       ବାହାକୁ ମୁଁ କୋଳ

କରି ଏ ଗହରେ ଦୁଃଖ ଉପେକ୍ଷିବି । ୨ ।

 

ଚାହିଁ ଦେଇ ଦୁରୁଁ             ଡାକିଲେ ସ୍ନେହରୁ

ସେସ ସରସ ଗୀର ମଧୁର ଚାଖିବି । ୩ ।

କହି ଅଭିମାନ            ସେ ନବ ମଦନ-

ମୋହନ ଛାମୁଏ ବଦନ ଲେଖିବି । ୪ ।

ଶ୍ରୀକିଶୋରଚନ୍ଦ୍ର             ବୋଲେ ରାଧାଙ୍କର

ରୋଦନ ବିକଳ କି ବୋଲି ଯୋଖିବି । ୫ ।

 

ଶୁଣ ହେ ହଟିଆ ନାଗର ପ୍ରତି । ୧୬୯ ।

 

ଶୁଣ ହେ ନରେଶ ଏ ଅନ୍ତେ । ବିକଳେ କହିଲେ ଯେ ଯେତେ । ୧ ।

ଲଳିତାଶୁଣି ସେ ବଚନ । ଅନେକ କଲେ ପ୍ରବୋଧନ । ୨ ।

କାହିଁ ଗଲେ ହେ ବନ୍ଧୁ ମୋର । ଏପରି ବେଳ ବାଳାବର । ୩ ।

ସେଠାରୁ ଖଣ୍ଡେ ଦୂର ଗଲେ । ବାତୁଳ ହୋଇ ସେ ଭାଷିଲେ । ୪ ।

କିଶୋରକଳାକର ବୋଲେ । ବିଭୁ ତ ସବୁ ସାରିଦେଲେ । ୫ ।

 

ରାଗ- କାମୋଦି । ୧୭୦ ।

 

ଆହା ମୁଁ ବଞ୍ଚିବି କେହି ରାହା ଦିଶୁ ନାହିଁ ପ୍ରିୟସହି ।

ଅଳପ ଅନ୍ତର ହେଲେ କଳପରୁ ଦିନ ବଳେ ।

ମନ କାହିଁରେ ନ ଖେଳେ ଛନ୍ନ ଛନ୍ନ ହୁଏ ବିକଳେ ।

ସହି ଏବେ ଗୋ ।

 

ମହୀମଦନର ବଦନ ପରବଚନ୍ଦ୍ର ଶୋଭନ ।

କେହି ନ ଦେଖି ରହିବ ମୋ ଜୀବନ ।

ମୂରଲୀର ବାଦନ ଭୁରୁଯୁଗଚାଳନ ।

ଖେଳନ ନଳିନନେତ୍ର ଅଞ୍ଚଳ ସୁଚଳ ଚଞ୍ଚଳ ।

 

କୋକିଳ କଳ ଲଳିତ ମୃଦୁ ବଚନ ରତନ ହୃଦମଣିହାର ।

ଅଳିଭଳି ଅଳିକରି ଅଳକାବଳି ନାସିକାରେ ମୋତିକି ନ ଦେଖି । ପଦ ।

କେଳି କଦମ୍ବ ତଳର ତ୍ରିଭଙ୍ଗୀ ଉଭା ସମ୍ଭାର ।

ଚନ୍ଦ୍ରକ ଢଳାଇବାରେ ପୟର ଖେଳାଇବାର । ୧ ।

 

ପଲ୍ଲବକୁସୁମ ବେଶ କୁଞ୍ଚିତ ସୁବାଶ କେଶ ।

ସୁନ୍ଦର ଅଧର ହାସ କୁନ୍ଦନ ମଞ୍ଜୁଳ ବାସ । ୨ ।

 

ରାଧାଙ୍କ ବିକଳ ବାଣୀ ଭାଷିଲେ ଲଳିତା ଶୁଣି ।

ସେ ଦେବୀଙ୍କି ନିତି ଗୁଣ ଶ୍ରୀ କିଶୋରଚନ୍ଦ୍ର ଭଣି । ୩ ।

 

ଶୁଣ ଶୁଣ ବିଭୀଷଣ ପ୍ରତି । ୧୭୧ ।

 

ଆଗୋ ପ୍ରାଣଧନ ମୋର ।

ଆଉ ଏଥର ବିକଳେ ରୋଦନ ତ କର । ପଦ ।

କେତେ ଭଳି ସ୍ନେହ ଅଛି ବୋଲି ରାଧାଙ୍କର ।

ବିଡ଼ୁଥିବେ ଗୋ କେବଳ ସେ ନୂଆ ନାଗର । ୧ ।

 

ଭାବନା କରିଛି ଏବେ ହୃଦନ୍ତରେ ମୋର ।

ପୀତପଟ କପଟନାଟକ ସୁତ୍ରଧାର । ୨ ।

ବିରଚନା କରି ରଥ କୁତୁକେ ଅକ୍ରୁର ।

କରୁଥିବେ ଯାଇ ବୃନ୍ଦାବନରେ ବିହାର । ୩ ।

 

ମିଛ ହେବ ଯେବେ ଶ୍ୟାମ ମଥୁରା ଯିବାର ।

ବ୍ରଜସଜନୀରେ ଲାଜେ ଯିବଟି ଆବୁର । ୪ ।

ଚାଲ ଚାଲ ଯିବା ଏବେ ଖୋଜି କୁଞ୍ଜଘର ।

ଦେଖି ସୁଖି ହେବା ତାଙ୍କ ମୁଖକଳାକର । ୫ ।

 

ବୋଲେ ଶ୍ରୀ କିଣୋରଚନ୍ଦ୍ର ମନମଧୁକର ।

ମଜ୍ଜିଯାଏ କୃଷ୍ଣ ପଦପଦ୍ମେ ନିରନ୍ତର । ୬ ।

 

ପାଦପଦ୍ମ ମୋହୁଛି ମନ ପ୍ରତି । ୧୭୨ ।

 

ଶୁଣ ନୃପ ଦୁଃଖମୟ କାଳ ଆସିଲା । ପଦ ।

 

ଲଳିତାଙ୍କ ବୋଧବାଣୀ             ସେ ନବକିଶୋରମଣି

ସମଜିଲେ ହେଲେ ଧୃତି ଖସିଲା । ୧ ।

ବିଶାଖା ହୃଦେ ଢଳି             ଧୀରେ ପଦକୁଞ୍ଚ ଚାଳି

ଗଲେ କେତେଦୂର ବରସୁଶୀଳା । ୨ ।

 

ଏକାଳେ ନୀପପରେ             କାହୁଁ ଉଡ଼ିଆସି ଖରେ

ଡାକ ଦେଇ ନୀଳକଣ୍ଠ ବସିଲା । ୩ ।

ପଡ଼ନ୍ତେ ରାଧାଙ୍କ ନେତ୍ର             ପୁଲକି ଉଠିଲା ଗାତ୍ର

ଯେଣୁ ଶ୍ୟାମଚୂଳଛଟା ଦିଶିଲା । ୪ ।

 

ତାହାକୁ ଏହି ଭାରତୀ       ଭାଷିଲେ ରତିମୂରତି

କିଶୋରଚନ୍ଦ୍ର ଶ୍ରୀହରି ଘୋଷିଲା । ୫ ।

 

ହରିଚଉତିଶା ବାଣୀ । ୧୭୩ ।

 

ନୀଳକଣ୍ଠକୁଳ ନଟନକୁଶଳ ଜଳଦକାଳକୁ ତୁ କି ।

ରହି ଯାଇ ଥରେ ମୋହନ ଛାମୁରେ ମୋର ଏ ଦୁଃଖରୀତିକି ରେ ।

ଦେବୀ କଂସଦୂତ ସ୍ନେହେ ହୋଇ ବିକି ।

ବିଜେ କଲେ ମୋତେ ଡାକି ଡାକି । ୧ ।

 

ଚାଲି ନ ପାଇ ମୁଁ ବାଲିକାଟି ଶ୍ରମୁ ହାଲିଆ ହେଲି କେବଳ ।

ଚାହିଁ ନ ପାରିଲି ଝଳମଲଝଳି ଶ୍ରୀମୁଖଚନ୍ଦ୍ର ମଣ୍ଡଳ ରେ ।

କେକୀ । ଭଲା ଝୁଲା ଭୁଲା କି ମୋତିକି ।

ମଣି ହାରମଣ୍ଡନ ଛାତିକି । ୨ ।

 

ପାମର କାମର କରେ ଯେବେ ମୋର ଏ ପଞ୍ଚପରାଣ ଯିବେ ।

ରସିକନିକର ମଧ୍ୟେ ବିଭୁବର ନିନ୍ଦା ସିନା ଅରଜିବେ ରେ ।

କେକୀ । ଥରେ ବୋଲ ମୁଁ ମାତ୍ର ଏତିକି ।

ଦଣ୍ଡ ବଳି ଗଲା କିଶୋରିକୀ । ୩ ।

 

ଏହି ତରୁତଳେ ରୋଦନ ବିକଳେ ଅନାଇଁ ଅଛି ବାଟକୁ ।

ଦିଅ ବାହୁଡ଼ାଇ ମୋ ଦୁଃଖ ଜଣାଇଁ ସେ ଶିଖଣ୍ଡିମୁକୁଟକୁ ରେ ।

କେକୀ । ଭାସି ଯାଉଛି ହୋଇ ଏକାକୀ ।

ରଖ ରଖ ତୋର କୀରତିକି । ୪ ।

 

ସେ ସରୋଜମୁହୀଁ କହୁଁ କହୁଁ ଏହିପରି ବିହ୍ୱଳେ ସେ କାଳେ ।

କରି ସେ ନିସ୍ୱନ ପଳାଇଲା ବନଦେଶକୁ ଅତି ଚପଳେ ସେ ।

କେକୀ । କିଶୋରଚନ୍ଦ୍ର ସେ ଦେବୀକି ।

ଧ୍ୟାୟୀ ବୋଇଲେ ପ୍ରୀତି ଏତିକି । ୫ ।

 

ବହନ ପାରିଲୁ ପଶାକାଠିକି ପ୍ରତି । ୧୭୪ ।

 

ଶୁଣ ହେ ଏ ଅନ୍ତେ ନୃପବିଳାପ । ତୁଟିଲା କିଛି କିଶୋରୀ ତାପ । ୧ ।

କହିବ ଯାଇ ମୋହନ ଛାମୁରେ । କେକୀ ତ ଗଲା ଅତି ବେଗରେ ।

ଏହି ଆଲୋଚନା କରି ଚିତ୍ତରେ । ପ୍ରବେଶ ହେଲେ ବୃନ୍ଦାବନରେ ।

 

ଯାଉ ଯାଉ ବାଟେ ମକତଶିଳା । ରାଧାଙ୍କ ପ୍ରତିବିମ୍ବ ଧଇଲା । ୪ ।

ସେହି ଛାୟାରେ ଦୃଷ୍ଟି ପଡ଼ିଗଲା । ଘେନିଲେ ଚନ୍ଦ୍ରବଳୀ ଏ ବାଳା ।

ସମସ୍ତଙ୍କ ସରମେ ଥିଲା ମଜ୍ଜାଇ । ମତେ ଏ ଦେଖି ଦେଲା ଲୁଚାଇ ।

ବିକଳ ହୋଇ ଭାଷିଲେ ଏ ବାଣୀ । କିଶୋରଚନ୍ଦ୍ର ବିରସ ବାଣୀ । ୬ ।

 

ରାଗ-ଶଙ୍କରାଭରଣ । ୧୭୫ ।

 

କଞ୍ଜନୟନ ହେ କୁଞ୍ଜମଣ୍ଡଳ ମୋ ଧନ      

କଳାପଳୁନବାକୂଳହୃଦୟ ମଦନ ।

ବିଜେ କର ହେ ଖିଆଲି ।

ଲୁଚିବା ପ୍ରସଙ୍ଗ କହିଲାଣି ଚନ୍ଦ୍ରାବଳୀ । ୧ ।

 

ଦାସୀଟା ଆସି ହେଲାଣି ବାସି ଚମ୍ପା ପରି

ଶ୍ରୀମୁଖରୁ ଦେଖିବାକୁ ଝୁରି ଝୁରି ।

ଉଡ଼ି ଗଲାଣି ସାହସ ।

ଲୋଡ଼ି ତୁମ୍ଭ ବଧୁଲୀଅଧରମଧୁରସ । ୨ ।

 

ନ ଥିବ କି ଦିବ୍ୟ ଚିତ୍ତେ କଦମ୍ବକୁଞ୍ଜରେ

ଲଳିତା ଇଙ୍ଗିତ ଡାକ ଶୁଣି ପ୍ରଭାତରେ ।

ସେହି ସମୟ ନିୟମ ।

ପାସୋରିଲ ପରା ମନୁ ନବଘନଶ୍ୟାମ । ୩ ।

 

ହେ ତରୁଣକୁଳକଳାକର ଅଳଙ୍କାର

କି କରିଛି ଏ ତନୁର ଅତନୁ ପାମର ।

ହେବ କାହାକୁ ଏ ନିନ୍ଦା ।

ମରିଯିବି ଯେବେ କରି ମୋହନଙ୍କୁ ଫନ୍ଦା । ୪ ।

 

କୁନ୍ଦଲତା ଲଳିତା ଗୋ ଦେଖ ଏ ଯୋଷାକୁ

ଲଭିଲା ଉତ୍ତାରୁ ମୁହିଁ ଏ ଭଳି ଦଶାକୁ ।

ଛାଡ଼ୁନାହିଁ ମନୁ ହିଂସା ।

ଆହୁରି କରୁଛି ପରିହାସ ଉଡ଼ାହସା । ୫ ।

 

ରାଧାଙ୍କ ବିକଳ ଗୀର ବେନି ସଖୀ ଶୁଣି

ଭାଷିଲେ ବଢାଇ ତାଙ୍କୁ ଏହି ବେ ଧନାଣୀ ।

ଶ୍ରୀ କିଶୋରଚନ୍ଦ୍ର ବୋଲେ ।

କି ହୋଇବ ସବୁ ତ ଶ୍ରୀ ହରି ସାରିଦେଲେ । ୬ ।

 

ନାସେ ଗଜମୋତିବର ପ୍ରତି । ୧୭୬ ।

 

ଆଗୋ ଶ୍ୟାମପ୍ରେମଲୋଳା ନୁହଇ ଏ ଚନ୍ଦ୍ରାବଳୀ ମହିଳା ।

ଘେନ ବନମରକତଶିଳା । ସଜ୍ଜନି ଗୋ । ୧ ।

ତୋର ପ୍ରତିବିମ୍ବ ସିନା ଏଥିରେ ପଡ଼ିଛି କୁନ୍ଦଦଶନା ।

ଅକାରଣେ ରୋଦନ କର ନା । ମୋ ଧନ ଗୋ । ୨ ।

 

ଏହି ନିକଟରେ ଏକା କୁଞ୍ଜେ ଲୁଚିଥିବେ ଅଚଳଟେକା ।

ନୀପମୂଳ ତ ତାଙ୍କ ଜୀବିକା । ସଜନି ଗୋ । ୩ ।

ଖୋଜିବା ଗୋ ଚାଲ ଚାଲ ଅଶୋକ ବଉଳ ନୀଆଳି ତଳ ।

ଧରା ପଡ଼ିଯିବ ନନ୍ଦବାଳ । ମୋ ଧନ ଗୋ । ୪ ।

 

ତୁ ଲଭିବା ଦୁଃଖଯାକ ଛାମୁରେ ଜଣାଇଦେବା ବେବାକ ।

ଘେନି ଦ୍ରବି ଯିବେ ରାସରଙ୍କ । ସଜନି ଗୋ । ୫ ।

ପୁଣି ତହିଁ ବିଜେ କଲେ ଚାହିଁ ତରୁ ଲତା ରାଧା ପୁଛିଲେ ।

ଶ୍ରୀ କିଶୋରଚନ୍ଦ୍ର ଦୁଃଖେ ବୋଲେ । ସୁଜନେ ହେ । ୬ ।

 

ପଚାର ଗୋ ପଚାର ସୁକେଶୀ ପତି । ୧୭୭ ।

 

କହ କହ ସତେ ଗୋ ମରୁଆ । ପଦ ।

ଏ କୁଞ୍ଜପୁଞ୍ଜରେ ଗଳି             ବିଜେ କଲେ କି ଗୋ ଖେଳି

ଚନ୍ଦ୍ରଚୂଳକୁ ଢ଼ାଳି ସେ କେଳିକଳାହଟିଆ । ୧ ।

ଆଗୋ ଚମ୍ପା ମଲ୍ଲୀ ଜାଈ             ମନେ କାମ ନରେ ଦେଇ

ଆସ ଲୁଚିଗଲେ କାହିଁ କଳାବତୀଧୃତିଖିଆ । ୨ ।

 

ହେ ନାଗେଶ୍ୱର ଅଶୋକ            ଦେଖ ଦେଖ ମୋର ଶୋକ

କି କଲ ସେ ଚନ୍ଦ୍ରମୁଖ ହୋଇ ମତେ କପଟିଆ । ୩ ।

କୁନ୍ଦ ମନ୍ଦାର କେତକୀ             କାହା ରସେ ହୋଇ ବିକି

ଏ ପଥେ ବିଜେ କଲେ କି କଦମ୍ବଫୁଲମାଳିଆ । ୪ ।

ଶ୍ରୀ କିଶୋରଚନ୍ଦ୍ର ବୋଲେ             ଆହା ସେ ଲୋଡ଼ିବା କାଳେ

ରାଧାଙ୍କ ନୟନଜଳେ ବନଯାକ ହେଲା ଧୁଆ । ୫ ।

 

ସିଂହଳେଶ ତୋଷରର ପ୍ରତି । ୧୬୮ ।

 

ଶୁଣ ହେ ନୃପକେଶରୀ             ତହୁଁ ସେ ନବକିଶୋରୀ ।

ପୂରି ରୋଦନବିକଳେ             ପ୍ରତି ନିକୁଞ୍ଜେ ଖୋଜିଲେ ଯେ । ୧ ।

ଏହିପ୍ରକାରେ ସକଳେ             ଯମୁନାତୀରେ ସେ କାଳେ

ଶ୍ୟାମଙ୍କୁ ନ ଦେଖି ଯୋଷା             ଛାଡ଼ି ଦେଲେ ପ୍ରାଣ ଆଶା ଯେ । ୨ ।

 

ହା ଜୀବବନ୍ଧୁ ହେ ଧନ            ତ ଚାହିଁଲି ଚନ୍ଦ୍ରାନନ ।

ଏତେ ବୋଲି ବାଳାବର            ସଖୀଙ୍କି ଭାଷିଲେ ଗୀର ଯେ । ୩ ।

ଶ୍ରୀ କିଶୋରଚନ୍ଦ୍ରବୋଲେ             ସେ ଯେତେରୂପେ କାନ୍ଦିଲେ ।

କେ ଶୁଣିବ ବନସ୍ଥଳେ            ଭେଟ ନାହିଁ ଜୀବ ଗଲେ । ୪ ।

 

ରାଗ-ଶିଖରୀ । ୧୭୯ ।

 

ଅଖୋ କୁନ୍ଦଲତିକା,

ଦେଖ ଇନ୍ଦୀବର ବନରେ କିଶୋର ଲୁଚି ରହିଛନ୍ତି ଏକା । ୧ ।

ମୋ ଦୁଃଖ ସହି ନ ପାରି,

ଡାକୁଛନ୍ତି କେତେ ବଳିଥାଇ ମତେ ଖେଳାଇ ବାହୁବଲ୍ଲରୀ । ୨ ।

 

ତମ ଆଲିଙ୍ଗନେ ସୁଖେ,

ଛଡ଼ାଇବିରଙ୍କ ଚୁମ୍ବିକି ନିରଙ୍କ ଶଶାଙ୍କମଞ୍ଜଳମୁଖେ । ୩ ।

ଚମ୍ପକଲତା ଲଳିତା,

ଛାଡ଼ି ଗଲେ ବୋଲି ସବୁ ପ୍ରିୟ ଅଳୀ ନ କରିବ କିଛି ଚିନ୍ତା । ୪ ।

 

କହୁଛି ମାତ୍ର ଏତିକି,

ଥିବ ପ୍ରତିପାଳ ବଉଳ ନିଆଳୀ କଦମ୍ବକୁଞ୍ଜକତିକି । ୫ ।

ଲାଗିଲା ଏ ବୃନ୍ଦାବନ,

ବଂଶୀବଟଠାରୁ ମୋ ଅଟ୍ଟାଳି ଯାଏ ମଧ୍ୟସ୍ଥିତ ରମ୍ୟସ୍ଥାନ । ୬ ।

 

ଶ୍ରୀ କିଶୋରଚନ୍ଦ୍ର ବୋଲେ,

ମହୀମହିଳାର ମଥାଅଳଙ୍କାର ହଜିଯିବ ଦଣ୍ଡେ ଗଲେ । ୭ ।

ରାଗ ଚୋଖି । ୧୮୦ ।

 

ଶୁଣ ହେ ନୃପକଳାପ            କିଶୋରୀ କରି ବିଳାପ

ସବୁ ସଜନୀମାନଙ୍କୁ ବୋଧ ବତାଇ,

ପହଣ୍ଡେ ପହଣ୍ଡେ ଚାଲି            ବିଳସିଲେ ଜଳେ ବାଳୀ

କଲ୍ଲୋଳ ଖେଳମାଧୁରୀ ଅନାଇ ଦେଇ,

ବୋଲି ବୋଲି ଉଚ୍ଚେ ଏ ନାମ,

ହେ ରାସରସିକର ହେ ଘନଶ୍ୟାମ । ୧ ।

 

ଏହିପରି କହି କହି             ସେ ଶରତ୍‌ଚନ୍ଦ୍ରମୁହିଁ

ଖଣ୍ଡେଦୂର ଯାଉ କାନ୍ଦି କାନ୍ଦି ବିକଳେ,

ଡେଇଁ କଣ୍ଠ ଓଷ୍ଠତଟ      ଗ୍ରାସିଲା ଆସି ନିପଟ

ଚଳନୟନାଙ୍କୁ ଜଳ ଅତି ଚପଳେ,

ବୁଡ଼ି ଯିବରକାଳେ କିଶୋରୀ,

କଞ୍ଜବନ୍ଧୁ ହରି ନେଲେ ସ୍ୱକରେ ଧରି । ୨ ।

 

ବିଭାକରମଣ୍ଡଳରେ             ଶୋଭାସ୍ଥଳି ବିହରିଲେ

କନ୍ୟାରୂପ ବହି ସହୀ ସହିତେ ସୁଖେ,

ଦ୍ରବିଗଲା ବୃନ୍ଦାବନ            ତରୁ ଲତାଦି ପାଷାଣ

ପଶୁ ପକ୍ଷିଏ ସରିଲେ ରୋଦନଦୁଃଖେ,

ହା ହା ମଧୁରାଧିକା ରାଧିକା,

ବୋଲି ସଖି ଉଚ୍ଚାରିଲେ ଉଚ୍ଚରେ ଡ଼କା । ୩ ।

 

ଏ ସମୟେ ଅଶରୀର            ବାଣୀ ବିଳାସରୁ ପୁର

ବାହୁଡ଼ାକୁ ଆଦରିଲେ ମୁଖରା ଆଦି,

ଲଳିତା ସହି ନ ପାରି            ଗଲା ଗୋବର୍ଦ୍ଧନଗିରି

ଶିଖରୁ ପାତ ହେବାକୁ ବିଧିକି ନିନ୍ଦି;

ଶ୍ରୀ କିଶୋରଖନ୍ଦ୍ର ବୋଇଲେ,

ଉତ୍ତମ ଜୀଇବା ପ୍ରତି ପରାଣ ଗଲେ । ୪ ।

 

ସମାପ୍ତ